• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଝଲସୁଛି ସିଟି ଅଫ୍ ଜୟ୍ ବା ଉଲ୍ଲାସର ନଗରୀ କୋଲକାତା । ରଙ୍ଗବେରଙ୍ଗର ଆଲୋକ ମାଳା, ଆକର୍ଷଣୀୟ ସାଜସଜ୍ଜା, ଭଳି କି ଭଳି ମନଲୋଭା ତୋରଣ ଓ ପଣ୍ଡାଲ୍ । ଆଉ ମା ଦୁର୍ଗାଙ୍କ ମୂର୍ତ୍ତି ତ ଆଖି ଲାଖି ଗଲା ଭଳି । କେତେ ରୂପରେ, କେତେ ରଙ୍ଗରେ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ପୂରା ପଶ୍ଚିମବଙ୍ଗ । କୋଲକାତା ସହରରେ ମାଆଙ୍କ ଆକର୍ଷଣୀୟ ମେଢ ଦେଖିବାକୁ ପୂଜାପେଣ୍ଡାଲ ନିକଟରେ ସନ୍ଧ୍ୟା ହୋଇଗଲେ ଲାଗୁଛି ଅସମ୍ଭବ ଭିଡ଼ ।

ତେବେ ଏଥର ବିଭିନ୍ନ ସ୍ଥାନରେ ନିଆରା ମଣ୍ଡପ ତିଆରି ହୋଇଛି । କେଉଁଠି ତିଆରି ହୋଇଛି ପୂରା ଗାଁର ପରିବେଶ । ପୂଜା ପେଣ୍ଡାଲ ତ ନୁହେଁ, ସତେ ଯେମିତି ନିପଟ କେଉଁ ଗାଁର ଭ୍ରମ ସୃଷ୍ଟି କରୁଛି । ଧାନ ବିଲଠୁ ଆରମ୍ଭ କରି ନଦୀ, ପୋଖରୀ, ପେଖରୀରେ ହଂସ ବତକ । ବୁଢ଼ୀମା ତାର ନାତି ନାତୁଣୀଙ୍କର ସେବାଠୁ ଆରମ୍ଭ କରି କୁକୁଡା ଏବଂ ଗୋ ପାଳନ, ଢିଙ୍କିରେ ଧାନ କୁଟା ଆଦି ସବୁ ବୁଲି ବୁଲି ଦେଖୁଛନ୍ତି ଦର୍ଶକ ।

ସେହିପରି ବେଣିଆଟୋଲା ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ପୂଜା ପାଉଛନ୍ତି ଅଷ୍ଟଧାତୁରେ ନିର୍ମିତ ୧୧ ଫୁଟ ଉଚ୍ଚତାର ମାଆଙ୍କ ମୂର୍ତ୍ତି । ଏହି ମୂର୍ତ୍ତିର ଓଜନ ରହିଛି ପ୍ରାୟ ୧ ଟନ୍ । ପ୍ରଥମ ଥର ପାଇଁ ଏଠାରେ ସ୍ଥାୟୀ ଭାବେ ତିଆରି କରାଯାଇଛି ଏହି ମୂର୍ତ୍ତି । ଏହି ମୂର୍ତ୍ତି ତିଆରି କରିବାକୁ ୪ରୁ ୫ ମାସ ଲାଗିଛି ।

ଆଉ ଏପଟେ ସନ୍ତୋଷପୁର ଲେକ୍ ପଲ୍ଲୀ ଦୁର୍ଗାପୂଜା ମଣ୍ଡପ କମିଟି ପକ୍ଷରୁ ଦିଆଯାଇଛି ଭିନ୍ନ ବାର୍ତ୍ତା । ଏହି ମଣ୍ଡପ ନିକଟରେ ଦୂରଦର୍ଶନ କେନ୍ଦ୍ର ସହ ପ୍ରସାର ଭାରତୀ ଅଫିସର ଭ୍ରମ ସୃଷ୍ଟି କରିଛି । ଏଠାରେ ପୂର୍ବରୁ ଟିଭି ପାଇଁ ବ୍ୟବହୃତ ଆଣ୍ଟିନା, ପୁରୁଣା ଟିଭି, ଘଣ୍ଟା ଆଦି ପୁରୁଣା ସାମଗ୍ରୀ ସାଜସଜ୍ଜା କରାଯାଇଛି । ଯାହା କିଛି ବର୍ଷର ତଳର କଥାକୁ ଲୋକଙ୍କ ମନରେ ପୁଣି ଉଜ୍ଜୀବିତ କରିଛି । ସେହିପରି ଏହି ମଣ୍ଡପରେ ଏକ ଅଭିନବ ଥିମରେ କେବଳ ସୂତା କପଡ଼ାକୁ ବ୍ୟବହାର କରି ସଜାଯାଇଛି ।

କୋଲକାତାରେ ଆଉ ଏକ ମଣ୍ଡପରେ ଦେଖିବାକୁ ମିଳିଛି ମାଆଙ୍କ ଜୀବନ୍ତ ରୂପ । ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ତଳକୁ ଜଣେ କୁନି ଝିଅ ସାକ୍ଷାତ ଦେବୀଙ୍କ ରୂପରେ ସଜାଇ ହୋଇ ବସିଛନ୍ତି । ଆଉ ପୂଜକ କୁନି ଝିଅକୁ ପୂଜା କରୁଛନ୍ତି । ପାଦରେ ଫୁଲ ପକାଇ ବ୍ରାହ୍ମଣ ପୂଜାର୍ଚ୍ଚନ କରୁଛନ୍ତି ଯାହା ଏକ ଭିନ୍ନ ଏକ ପରିବେଶ ସୃଷ୍ଟି କରିଛି ।

କୋଲାକାତାରେ ବିଭିନ୍ନ ମଣ୍ଡପରେ ଏଥର ମାଆଙ୍କ ମେଢ ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ଖାଲି ସେତିକି ନୁହେଁ, କରୋନା ମହାମାରୀ ବେଳେ ଘରେ ହାତବାନ୍ଧି ଅନେକ ରହିଥିବା ବେଳେ ଏବେ ୩ ଲକ୍ଷ ଲୋକେ କାମ ପାଇପାରିଛନ୍ତି । ଆଉ ଏହି ପୂଜା ପାଇଁ ୩ରୁ ୪ ମାସ ହେଲା ଅନେକ ଲୋକଙ୍କୁ ରୋଜଗାର ଯୋଗାଇଛି । ମୂର୍ତ୍ତି ତିଆରି ଠାରୁ ଆରମ୍ଭ ପେଣ୍ଡାଲ କାମ, ସାଜସଜ୍ଜା, ସାଉଣ୍ଡ, ଲାଇଟ୍, ଘରୋଇ ସୁରକ୍ଷା କର୍ମୀ, ପୂଜାକ, ଶ୍ରମିକ, ପରିବହନ ସଂସ୍ଥାରେ ନିୟୋଜିତ ଲୋକେ କାମ ପାଇଥାନ୍ତି । ଖାଲି ସେତିକି ନୁହେଁ, ଅନେକ କଳାକାରଙ୍କ ମଧ୍ୟ ରୋଜଗାର ମିଳିଥାଏ । ଆଉ ମାଆଙ୍କ ପୂଜା ସମସ୍ତଙ୍କ ମୁହଁରେ ଖୁସି ଆଣିଦେଇଛି ।

ଖାଲି କୋଲକାତା ନୁହେଁ, ଦେଶରେ ଥିବା ବିଭିନ୍ନ ସହରର କୋଣ ଅନୁକୋଣରେ ପୂଜା ପାଉଛନ୍ତି ମାଆ । ମାୟାନଗରୀ ମୁମ୍ବାଇରେ ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ମାଆ ଦୁର୍ଗତିନାଶିନୀ । ଖାଲି ସାଧାରଣ ଲୋକେ ନୁହେଁ, ବଲିଓଡ ଅଭିନେତା, ଅଭିନେତ୍ରୀଙ୍କ ମଧ୍ୟ ପୂଜାପେଣ୍ଡାଲ ନିକଟରେ ଭିଡ ଦେଖିବାକୁ ମିଳିଛି ।