• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଗଣେଶ ଚତୁର୍ଥୀ, ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ଆରାଧନାର ଦିନ । ଗଣେଶ ପୂଜା ଅବସରରେ ସବୁଠି ରହିଛି ଉତ୍ସବମୁଖର ପରିବେଶ । ଶିକ୍ଷାନୁଷ୍ଠାନ, କ୍ଲବ, ଅଫିସ, ଅନ୍ୟାନ୍ୟ ପ୍ରତିଷ୍ଠାନ ଏବଂ ପୂଜା ମଣ୍ଡପରେ ମହାସମାରୋହରେ ଆୟୋଜିତ ହୋଇଛି ପୂଜା । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ । ପ୍ରମୁଖ ସହରରେ ଆକର୍ଷଣୀୟ ପୂଜା ମଣ୍ଡପ ଓ ତୋରଣ ଲାଗି ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଲାଗିଛି । ପୂଜା ପାଇଁ ବିଦ୍ୟାଳୟ ଗୁଡ଼ିକରେ ରଙ୍ଗୀନ ସାଜସଜ୍ଜା ହୋଇଛି ।

ସେପଟେ ଗଣେଶ ପୂଜା ପାଇଁ ଚଳଚଞ୍ଚଳ କଟକ ସହର । ସହର ସାରା ସୁଉଚ୍ଚ ତୋରଣ ସହ ଆକର୍ଷଣୀୟ ପୂଜା ପେଣ୍ଡାଲ । କେଉଁଠି ରାଷ୍ଟ୍ରପତି ଭବନ ରାଇସିନା ହିଲ ତ ପୁଣି କେଉଁଠି ବାରବାଟୀ ଷ୍ଟାଡିୟମର କ୍ଳକ୍ ଟାଓ୍ୱାର, ଆଉ ଅମରନାଥ ମନ୍ଦିର । ଏମିତି ଭଳିକି ଭଳି ତୋରଣ ହୋଇଛି । ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ କୋଭିଡ କଟକଣା ଯୋଗୁଁ ୨ ବର୍ଷ ଧରି ବନ୍ଦ ଥିବା ପୂଜା ଏଥର ବେଶ ଯାକଜମକରେ ହେଉଛି । ଚଳିତ ବର୍ଷ ସହରରେ କ୍ଳବ ଅନୁଷ୍ଠାନକୁ ମିଶାଇ ମୋଟ ୧୨୦୦ ମୂର୍ତ୍ତି ନିର୍ମାଣ ହୋଇଛି ।

ସେପଟେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗଣେଶ ପୂଜା ଅବସରରେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି । ସାରା ପୃଥିବୀରୁ ବିଘ୍ନ ଦୂର କରି ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ତିଆରି କରିଛନ୍ତି । ଏବେ ବିଶ୍ୱରେ ଯୁଦ୍ଧ ବାତାବରଣ ସୃଷ୍ଟି ହୋଇଥିବା ବେଳେ ସମସ୍ତ ଦେଶ ମଧ୍ୟରେ ବନ୍ଧୁତ୍ୱର ବାତାବରଣ ସୃଷ୍ଟି ହେଉ ଏବଂ ସାରା ବିଶ୍ୱରେ ଶାନ୍ତିର ପ୍ରତିଷ୍ଠା ହେଉ । ପ୍ରଭୁ ଗଣେଶଙ୍କ ପାଖରେ ଏପରି କାମନା କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ ।