• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ପବିତ୍ର ମାଘ ପୂର୍ଣ୍ଣିମା ତିଥି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ । ଗଜଉଦ୍ଧାରଣ ବେଶ ଦିପହର ଧୂପ ସରିବା ପରେ ସନ୍ଧ୍ୟାରେ ସାହାଣ ମେଲା ହେବା ଯାଏ ରହିଥାଏ । ଗଜ ଉଦ୍ଧାରଣ ବେଶର ବିଶେଷତ୍ୱ ହେଲା ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତ ରୂପେ ଓ ସୁଭଦ୍ରା ଦ୍ୱିଭୁଜ ବିଶିଷ୍ଟା ହୁଅନ୍ତି । ଚତୁଃହସ୍ତଧାରୀ ଶ୍ରୀ ଜଗନ୍ନାଥ ଗରୁଡ଼ ଉପରେ ବସିଥିବା ପ୍ରଦର୍ଶିତ ହୋଇଥାଏ ।

ଉଡ୍ଡୟନରତ ଭଙ୍ଗୀରେ ଥିବା ଦୁଇଟି ପକ୍ଷ ବିଶିଷ୍ଟ ଗରୁଡ଼ ମୁଖ୍ୟତଃ କାଠ, ଶୋଲ ଏବଂ ଜରିରେ ନିର୍ମିତ ହୋଇଥାଏ । ପକ୍ଷ ବିସ୍ତାରି ଉଡୁଥିବା ଗରୁଡ଼ ପୃଷ୍ଠରେ ଜଗନ୍ନାଥ ପଦ୍ମାସନ ଭଙ୍ଗୀରେ ବସିଥାନ୍ତି  । ଶ୍ରୀ ଜଗନ୍ନାଥଙ୍କ ଚାରିହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଇଥାଏ । ପଦ୍ମାସନ ଭଙ୍ଗୀରେ ଗୋଟିଏ ଆସ୍ଥାନରେ ବସିଥିବା ବଳଭଦ୍ର ତାଙ୍କର ଉର୍ଦ୍ଧ୍ୱ ଦୁଇ ହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ ଓ ଚକ୍ର ତଥା ନିମ୍ନ ଦୁଇ ହସ୍ତରେ ହଳ ଓ ମୂଷଳ ଧାରଣ କରିଥାନ୍ତି ।

ସୁଭଦ୍ରା ଦୁଇଭୁଜ ଓ ଦୁଇ ପଦଯୁକ୍ତା ହୋଇ କୃଷ୍ଣଙ୍କ ଭଳି ଛନ୍ଦାୟିତ ଭଙ୍ଗୀରେ ଛିଡ଼ା ହୋଇଥାନ୍ତି। ଦେବୀଙ୍କ ହସ୍ତଦ୍ୱୟ ମୁଷ୍ଟିବଦ୍ଧ ତଥା ତଳ ଉପର ହୋଇ ରହିଥାଏ ଏବଂ ସେ ଧରିଥାଆନ୍ତି ପଦ୍ମ କଳିକାଟିଏ । ଏହି ବେଶରେ କାଠ ଓ ଶୋଲ ନିର୍ମିତ ଦୁଇଟି ହସ୍ତୀ ପ୍ରତିମୂର୍ତ୍ତି ବ୍ୟବହୃତ ହୋଇଥାଏ ୧ଗୋଟିଏ ହସ୍ତୀ ବଳଭଦ୍ରଙ୍କ ସମୀପରେ ରତ୍ନ ସିଂହାସନ ଆଗରେ ପୋଖରୀଆରେ ଏବଂ ଅନ୍ୟଟି ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ରଖାଯାଇଥାଏ । ଜଗନ୍ନାଥଙ୍କ ସମ୍ମୁଖରେ ଥିବା ଗଜଟି ଭୟରେ ଆକୁଳ ନିବେଦନ କରୁଥିବା ଭଙ୍ଗୀରେ ଦର୍ଶନ ଦିଅନ୍ତି ।

ତା’ର ପାଦଗୁଡ଼ିକ ମଧ୍ୟରେ ଥାଏ ଆକ୍ରମଣରତ କୁମ୍ଭୀରର ପିତୁଳା ଏବଂ ହସ୍ତୀଟିର ଟେକି ହୋଇଥିବା ଶୁଣ୍ଢରେ ପ୍ରସ୍ଫୁଟିତ ପଦ୍ମଫୁଲ ଶୋଭା ପାଇଥାଏ । ଗଜଉଦ୍ଧାରଣ ବେଶରେ ତିନି ଠାକୁରଙ୍କ ମଥାରେ ଚୂଳ ଓ କିରୀଟ ସହ ସୁବର୍ଣ୍ଣ ନିର୍ମିତ ପଦ୍ମମାଳି, କଦମ୍ବମାଳି ପ୍ରଭୃତିରେ ଭୁଷିତ ହୋଇଥାନ୍ତି । ଏହି ବେଶ ସମୟତକ ରତ୍ନସିଂହାସନରେ ଶୋଭା ପାଉଥିବା ଲକ୍ଷ୍ମୀଙ୍କର ସୁବର୍ଣ୍ଣପ୍ରତିମାଙ୍କୁ ଜଗନ୍ନାଥଙ୍କ କୋଳରେ ରଖାଯାଏ । କ୍ଷୀରି ଓ ଅମାଲୁ ସ୍ୱତନ୍ତ୍ର ଭୋଗ ରୂପେ ଅର୍ପିତ ହୋଇଥାଏ ।

ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଆକ୍ରମଣ କରେ । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବାର କୈଣସି ଉପାୟ ନଦେଖି ବିକଳରେ ପୁରୁଷୋତ୍ତମ ଭଗବାନଙ୍କୁ ଗଛରାଜ ପ୍ରାର୍ଥନା କରିଥିଲା । ଗଜରାଜର ପ୍ରାର୍ଥନାରେ ସ୍ୱଂୟ ପୁରୁଷୋତ୍ତମ ତତ୍‌କ୍ଷଣାତ ଭକ୍ତ ଗଜଙ୍କୁ ଆକ୍ରମଣରୁ ରକ୍ଷାକରିବା ପାଇଁ ଚକ୍ରପେଷି କୁମ୍ଭୀରକୁ ମାରି ଉଦ୍ଧାର କରିଥିଲେ । ସେହି ପୌରାଣିକ ଆଖ୍ୟାୟିକାର ସ୍ମୃତିରେ ଶ୍ରୀମନ୍ଦିରରେ ଅତ୍ୟନ୍ତ ପୁରାତନ ସମୟରୁ ଶ୍ରୀବିଗ୍ରହମାନଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଆସୁଛି ।