ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମାରେ ଗୋଟିଏ ପରେ ଗୋଟିଏ ଅଘଟଣ । ଶ୍ରୀମନ୍ଦିର ବାଇଶି ପାହାଚରେ ବିଦେଶୀ ଭକ୍ତ । ଭିଡ଼ ଭିତରେ ଜଣେ ବିଦେଶୀ ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରି ବାଇଶି ପାହାଚ ପର୍ଯ୍ୟନ୍ତ ଚାଲିଯାଇଥିଲେ । ପରେ ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ପୋଲିସକୁ ଜଣାଇବା ପରେ ପୋଲିସ ସଂପୃକ୍ତ ଭକ୍ତଙ୍କୁ ଧରି ବାହାରେ ଛାଡ଼ିଥିଲା ।
ତେବେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ସିଂହଦ୍ୱାରରେ ମାଳ ମାଳ ପୋଲିସ ଉପସ୍ଥିତ ଥିବା ସତ୍ତ୍ୱେ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବିଦେଶୀ ପ୍ରବେଶ କଲେ କେମିତି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
Also Read
ସେପଟେ ଆଜି ସ୍ନାନ ମଣ୍ଡପ ଚକଡାରେ ରକ୍ତ ଛିଟା ଦେଖିବାକୁ ମିଳିଛି । ଏଥିପାଇଁ ଏବେ ରୀତିନୀତି ଅନୁସାରେ ଶ୍ରୀଜିଉଙ୍କର ମହାସ୍ନାନ ହେବ । କୌଣସି ଜଣେ ସେବାୟତଙ୍କ ଠାରୁ ରକ୍ତଛିଟା ଲାଗିଥିବା ସୂଚନା ମିଳିଛି । ମହାପ୍ରଭୁ ଯାତ୍ରାରେ ବାହାରିଥିବାରୁ ଯାତ୍ରାଙ୍ଗୀ ମହାସ୍ନାନ କରାଯିବ । ଏହି ମହାସ୍ନାନ ପରେ ସର୍ବାଙ୍ଗ ହେବ ଏବଂ ତା’ପରେ ହେବ ବେଶ ନୀତି । ଆଉ ତା’ପରେ ଛେରାପହଁରା ନୀତି କରାଯିବ । ଏଥିପାଇଁ ନୀତିରେ ପ୍ରାୟ ଏକଘଣ୍ଟା ବିଳମ୍ବ ଘଟିବ ।
ଅନ୍ୟପଟେ ମହାସ୍ନାନ ପୂର୍ଣ୍ଣିମାରେ ଆଜି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି । ମୃତ ଭକ୍ତଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି । ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ତୁରନ୍ତ ପୁରୀ ବଡ଼ ଡାକ୍ତରଖାନା ନିଆ ଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ୧୦୮ ସୁବାସିତ ଗରା ଜଳରସ୍ନାନ କରିଛନ୍ତି ଶ୍ରୀଜିଉ । ଏହି ପବିତ୍ର ଦିନରେ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି । ଏପଟେ ବଡଦାଣ୍ଡରେ ପ୍ରବଳ ଗୁଳୁଗୁଳି ଯୋଗୁଁ ଶ୍ରଦ୍ଧାଳୁଙ୍କ ଉପରେ ପାଣି ଛିଞ୍ଚିଛି ଅଗ୍ନିଶମ ବାହୀନି ।
- Reported by:
- MADHUSUDAN MISHRA