ଦୀପାବଳି, କେଉଁଠି ହସ ତ ଆଉ କେଉଁଠି କାନ୍ଦ...

ଆଲୋକର ପର୍ବ ଦୀପାବଳି, କେଉଁଠି ହସ ତ ଆଉ କେଉଁଠି କାନ୍ଦ...କେଉଁଠି ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଛି ତ ପୁଣି କେଉଁଠି ବାଣ ଫୁଟାକୁ ନେଇ ବଚସାର କାହାର ଯାଇଛି ଜୀବନ। 

ଦୀପାବଳି ଅଘଟଣ

ଆଲୋକର ପର୍ବ ଦୀପାବଳି, କେଉଁଠି ହସ ତ ଆଉ କେଉଁଠି କାନ୍ଦ...ଆଉ କେଉଁଠି ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଛି ତ ପୁଣି କେଉଁଠି ବାଣ ଫୁଟାକୁ ନେଇ ବଚସାର କାହାର ଯାଇଛି ଜୀବନ। ଦୀପାବଳି ଦିନ ଖାଲି ଓଡ଼ିଶା ନୁହେଁ ଦେଶର ବିଭିନ୍ନ ଅଞ୍ଚଳରୁ ଦୀପାବଳି ଦିନ ଅନେକ ଅଘଟଣ ଖବର ସାମ୍ନାକୁ ଆସିଛି।  ନୟାଗଡ଼ ଜିଲ୍ଲା ରେ ବାଣ ଫୁଟାକୁ ନେଇ ବିବାଦ ପରେ ଛୁରାମାଡ଼ ହୋଇଥିଲା। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ବେହେରା ଜୀବନ ଯାଇଛି। 

ମୃତ ବିକାଶର ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଅଧିନ ମଧ୍ୟଖଣ୍ଡ ଗାଁରେ। ଗତକାଲି ବିଳମ୍ବିତ ରାତିରେ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବାଣ ଫୁଟାଇବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଗୋଟିଏ ଗୋଷ୍ଠୀର ମୁଖ୍ୟ ଥିଲା ବିକାଶ। ତେବେ ଏହି ଗୋଷ୍ଠୀ କନ୍ଦଳରେ ବିକାଶକୁ ଅପର ପକ୍ଷ ଗୋଷ୍ଠୀ ପକ୍ଷରୁ ଛୁରୀମାଡ଼ ହୋଇଥିଲା। ଏଥିରେ ସେ ଆହତ ହୋଇଥିଲା। ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ବିକାଶକୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ବିକାଶ ନାଁରେ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ଥାନାରେ ୧୫ରୁ ଅଧିକ ଅପରାଧିକ ମାମଲା ରହିଛି। ସେ ଜଣେ ପେସାଦାର ଅପରାଧୀ ଥିଲା। ଦଶପଲ୍ଲା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ: ଗୋଟିଏପଟେ ଚାଲିଥିଲା ଦୀପାବଳି ସେଲିବ୍ରେସନ, ସେପଟେ ଫୁଟିଲା ଗୁଳି...

ଦୀପାବଳି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଛୋଟବଡ଼ ଅଘଟଣ ଘଟିଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବାଣ ଦୋକାନରେ ବିସ୍ଫୋରଣ ଘଟଣାରେ ଜଣକ ମୃତ୍ୟୁ ହୋଇଛି। କଟକ SCB ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବାଣ ଦୋକାନରେ ବିସ୍ଫୋରଣ ଘଟି ୪ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ବାପ,ପୁଅ ଥିବାବେଳେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରେ ବାପା ଦୁଷ୍ମନ୍ତ ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ବର୍ଷର ପୁଅ ପ୍ରତୀକର ଚିକିତ୍ସା ଚାଲିଛି। କଟକର ଏକ ଘରୋଇ ହସ୍ପିଟାଲରେ ଅନ୍ୟ ଜଣେ ଗୁରୁତର ଚିକିତ୍ସାଧୀନ ଅଛନ୍ତି। ଗତକାଲି ସନ୍ଧ୍ୟାରେ ବଡ଼ସୁଆଁଳ ଗାଁରେ ବାଣ ବିକ୍ରି ବେଳେ ଏହି ଅଘଟଣ ଘଟିଥିଲା।

ସେପଟେ କଟକ ର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। କଟକ ନୟାସଡ଼କରେ ଥିବା ଏକ ଲୁଗା ଦୋକାନରେ ବାଣ ପଡ଼ି ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଖବରପାଇ ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଲୁଗା ଦୋକାନର ଉପର ମହଲରେ ହୁତୁହୁତୁ ହୋଇ ନିଆଁ ଲାଗିଥିଲା। ଏହାପରେ ଧୀରେ ଧୀରେ ଏହା ଚାରିଆଡ଼କୁ ବ୍ୟାପି ଯାଇଥିଲା। 

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ନିକଟସ୍ଥ ଓଏମ୍ଏମ୍ ଛକ ନିକଟରେ ଥିବା ଜ୍ୟୋତି ଇଣ୍ଟରପ୍ରାଇଜେସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କମ୍ପାନୀରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।