• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଗରୁ କ୍ୟାମେରା ଆଗରେ ତୁ ତୁ ମେଁ ମେଁ ହେଉଥିଲେ, ହେଲେ ଆଜି ସିଧା ଖଣ୍ଡଯୁଦ୍ଧକୁ ଓହ୍ଲାଇଲେ । ଘଣ୍ଟ ପିଟା- ଗୋବର ମାଡ଼- ବିଧା ଗୋଇଠା- ଲାଠି ପାହାର । ସୂର୍ଯ୍ୟୋପରାଗକୁ ବଳିଗଲା ଚନ୍ଦ୍ରଗ୍ରହଣ । ପାକତ୍ୟାଗ ବେଳେ ଖାଦ୍ୟ ଭକ୍ଷଣକୁ ନେଇ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପଂରପରାବାଦୀଙ୍କ ମଧ୍ୟରେ ତୁମୁଳକାଣ୍ଡ ।

ରାଜଧାନୀର ଲୋହିଆ ଏକାଡେମୀରେ ମେଳି କରି ଖାଇବାକୁ ନିଷ୍ପତ୍ତି ନେଇଥିବା ହେତୁବାଦୀଙ୍କୁ ପ୍ରବଳ ବିରୋଧ କରିଥିଲେ ପରମ୍ପରାବାଦୀ । ଆଗେ ଘଣ୍ଟ ପିଟିବା ପରେ ସିଧା ଲୋହିଆ ଏକାଡେମୀ ଭିତରକୁ ଧସେଇ ପଶିଥିଲେ ବ୍ରାହ୍ମଣ ନିଯୋଗ ଓ ବଜରଙ୍ଗ ଦଳ ସମେତ ଅନ୍ୟାନ୍ୟ ସଂଗଠନର ସଦସ୍ୟ । ଖୋଦ୍ ପୋଲିସ୍ ଆଗରେ ଉଭୟ ଗୋଷ୍ଠୀ ହାତାହାତି ହୋଇଗଲେ । ପିଟାପିଟି- ବିଧା ଗୋଇଠା ଚାଲିଲା । କେହି କାହାରିକୁ ଛାଡ଼ିବା ମୁଡ୍‌ରେ ନଥିଲେ । ହେତୁବାଦୀଙ୍କୁ ଗୋବର ଓ ପଥର ମାଡ଼ ବି ହେଲା । ବେଶ୍ କିଛି ସମୟ ଧରି ରଣକ୍ଷେତ୍ର ପାଲଟିଗଲା ଲୋହିଆ ଏକାଡେମୀ ପରିସର । ଝରକା କାଚ ଗୁଣ୍ଡ ହୋଇଗଲା । ଗଣ୍ଡଗୋଳରେ ଜଣେ ହେତୁବାଦୀଙ୍କ ମୁଣ୍ଡ ଫାଟିବା ସହ ଆଉ କିଛି ଆହତ ବି ହୋଇଛନ୍ତି । ଶେଷରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍ ଲାଠି ମାଡ଼ କରିଥିଲା ।

ବ୍ରହ୍ମପୁରରେ ବି ଅଣାୟତ୍ତ ସ୍ଥିତି । ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ହୋଇଥିଲେ । ସିଟି ହାଇସ୍କୁଲ ରୋଡ୍‌ରେ ହେତୁବାଦୀ ଆୟୋଜନ କରିଥିବା ଭୋଜନସ୍ଥଳିରେ ରାଲିରେ ଆସି ପହଞ୍ଚିଥିଲେ ପରପଂରାବାଦୀ । ଆଗେ ବ୍ୟାନର ଚିରିଲେ, ଅସ୍ଥାୟୀ ଟେଣ୍ଟ ବି ଭାଙ୍ଗିଲେ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଲା । ବେଶ୍ କିଛି ସମୟ ଧରି ଏଠି ବି ଠେଲାପେଲା ଓ ଉତ୍ତେଜନା ଚାଲିଲା । ହେତୁବାଦୀଙ୍କ ଉପରକୁ ଗୋବର ମାଡ଼ ହେଲା । ସ୍ଥିତି ବିଗୁଡୁଥିବା ଦେଖିି ପୋଲିସ୍ ଲାଠି ଚାର୍ଜ କରି ସମସ୍ତଙ୍କୁ ଘଉଡ଼ାଇଲା ଓ ଖାଦ୍ୟ ଭକ୍ଷଣ କାର୍ଯ୍ୟକ୍ରମ ବି ବାତିଲ୍ କରିବାକୁ କହିଥିଲା ।

ଗତ ସୂର୍ଯ୍ୟୋପରାଗରୁ ଆରମ୍ଭ ହୋଇଥିଲା ଖାଦ୍ୟ ଭକ୍ଷଣ ବିବାଦ । ପରାଗ ଓ ଗ୍ରହଣରେ ପାକତ୍ୟାଗ ବିଜ୍ଞାନ ସମ୍ମତ ନୁହେଁ ବୋଲି କହି ହେତୁବାଦୀ ସର୍ବସମ୍ମୁଖରେ ଚିକେନ୍ ବିରିଆନି ଖାଇଥିଲେ ଓ ଖୁଆଇଥିଲେ । ଯାହାକୁ ନେଇ ଖପ୍ପା ହୋଇଥିଲେ ପରପଂରାବାଦୀ ଓ ବିଭିନ୍ନ ଧାର୍ମିକ ସଂଗଠନ । ଏମିତିକି ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ କରି ହେତୁବାଦୀଙ୍କ ବିରୋଧରେ ଥାନାରେ ଏତଲା ବି ଦେଇଥିଲେ ।

ତାସତ୍ତ୍ୱେ ଚନ୍ଦ୍ରଗ୍ରହଣରେ ବି ଖାଦ୍ୟ ଖାଇବାକୁ ହେତୁବାଦୀଙ୍କ ପୁଣି ଖୋଲାଖୋଲି ଆହ୍ୱାନକୁ ଜୋରଦାର ବିରୋଧ କରିଥିଲା ଓଡ଼ିଶା ମନ୍ଦିର ସେବାୟତ ସଂଘ । ଏମିତିକି ହେତୁବାଦୀଙ୍କ ପକ୍ଷରୁ ଖାଦ୍ୟ ଆୟୋଜନ ସ୍ଥଳରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିବାକୁ ଚେତାବନୀ ଦେଇଥିଲେ ଯାହା ଆଜି ଉଗ୍ର ରୂପ ନେଇଥିଲା । ତେବେ ପରିସ୍ଥିତି ଶାନ୍ତ ହେବା ପରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ କିନ୍ତୁ ଆଣିଥିବା ଖାଦ୍ୟକୁ ଖାଇଛନ୍ତି ।