ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ତିଥିରୁ ଆରମ୍ଭ ହୋଇଛି ମା' ଭଗବତୀଙ୍କ ଷୋଡ଼ଶ ପୂଜା। ସହସ୍ରକୁମ୍ଭ ବରଣ ପରେ ଚାଲିଛି ମାଆଙ୍କ ନିଆରା ଦଶରା ପର୍ବ। ରାଜ୍ୟର ଅନ୍ୟ ଶକ୍ତିପୀଠ ଠାରୁ ଭିନ୍ନ ଆଉ ସ୍ବତନ୍ତ୍ର। ଏହି ପୀଠର ନିଆରା ପରମ୍ପରା ହେଲା ପ୍ରତୀକାତ୍ମକ ନରବଳି। ଖୋର୍ଦ୍ଧା ବାଲୁଗାଁ ସିଙ୍ଗେଶ୍ୱର ଗାଁର ରବୀନ୍ଦ୍ର କୁମାର ଜେନା ପ୍ରତୀକାତ୍ମକ ନରବଳି ଭାବେ ରବୀନ୍ଦ୍ରଙ୍କୁ ସମର୍ପଣ କରାଯାଏ। ମାଆଙ୍କ ପାଖରେ ତେଣୁ ତାଙ୍କ ନାଁ ପଡିଯାଇଛି ବଳି ଜେନା କୁହାଯାଏ, ପୂର୍ବରୁ ମାଆଙ୍କ ପାଖରେ ନରବଳି ଦିଆଯାଉଥିଲା ଏବେ ସମର୍ପଣ କରାଯାଉଛି ପ୍ରତୀକାତ୍ମକ ନରବଳି।
ଷୋଡ଼ଶ ପର୍ବର ପ୍ରଥମ ଦିନରେ ଘର ତ୍ୟାଗ କରି ମାଆଙ୍କ ପାଖରେ ସମର୍ପିତ ହୋଇଥାନ୍ତି ବଳି ଜେନା। ପୂର୍ଣ୍ଣକୂମ୍ଭ, ଧୂପ, ଦ୍ୱୀପ ଓ ଅରୁଆ ଚାଉଳରେ ବନ୍ଦାପନା କରି ବିଦାୟ ଦେଇଥାନ୍ତି ପରିବାର। ଗ୍ରାମ ଦେବତାଙ୍କ ପାଖରେ ମୁଣ୍ଡିଆ ମାରି ଏକ ମୁହାଁ ହୋଇ ଭଗବତୀଙ୍କ ବାପଘର ଦକ୍ଷେଶ୍ୱର ମନ୍ଦିରରେ ପ୍ରବେଶ କରନ୍ତି ବଳି ଜେନା। ସନ୍ଧ୍ୟାରେ ପୂଜାର୍ଚ୍ଚନା ସାରି ମୁଖ୍ୟ ମନ୍ଦିରକୁ କାଠି ଠାକୁରାଣୀ ଓ କନକ ଦୁର୍ଗାଙ୍କ ସହ ଯାଇଥାନ୍ତି। ପିଢି ପରେ ପିଢି ବଳି ଜେନାଙ୍କ ପରିବାର ଏମିତି ମାଆଙ୍କ ପାଖରେ ନିଜକୁ ସମର୍ପି ଦେଇଛନ୍ତି ପ୍ରତୀକାତ୍ମକ ବଳି ରୂପରେ।
ମାଆଙ୍କ ପୀଠରେ ପ୍ରଥମ ଆଠ ଦିନ ମହାଳୟା ଅମାବାସ୍ୟା ଯାଏଁ ଭିତର ପର୍ବ ଏବଂ ପ୍ରତିପଦା ଠାରୁ ମହାନବମୀ ଯାଏଁ ଅନୁଷ୍ଠିତ ହୋଇଥାଏ ବାହାର ପୂଜା। ଏହି ସମୟରେ ମନ୍ଦିରରେ ସ୍ବତନ୍ତ୍ର ପୂଜା ନୀତି ସହ ବଳି ନାଟ ହୋଇଥାଏ। ପୂର୍ବରୁ ଭଗବତୀ ପୀଠରେ ଶହ ଶହ ସଂଖ୍ୟାରେ ମାନସିକ ବଳି ଭାବେ ଛେଳି ବଳି ଦିଆଯାଉଥିଲା। ଏପରିକି ପାରିକୁଦ ରାଜା ମହାପଶୁ ରୂପେ ଗୋଟିଏ ମଇଁଷି ବଳି ମଧ୍ୟ ଦେଉଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ୨୦୦୯ରୁ ପୀଠରେ ବଳିପ୍ରଥା ବନ୍ଦ ରହିଛି।
(ରିପୋର୍ଟ: ଶକ୍ତି ପ୍ରସାଦ ମହାପାତ୍ର, ବାଲୁଗାଁ)