• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆସିଛି ପାର୍ବଣ । ଚଳଚଞ୍ଚଳ ହେଲାଣି ସହର ବଜାର । ମେଢ ସାଙ୍ଗକୁ ରଙ୍ଗୀନ ଆଲୋକର ଫୁଆରାରେ ଚମକୁଛି ଟୁଇନସିଟିର ପୂଜା ମଣ୍ଡପ । ସରିଆସୁଥିବା ସାଜସଜ୍ଜା ଭିତରେ କେଉଁଠି ମନମୋହିଲାଣି କାଳ୍ପନିକ ପରୀ ମହଲ ତ କେଉଁଠି ତାଇୱାନର ବୁଦ୍ଧ ମନ୍ଦିର ଶୋଭା ପାଇଲାଣି । ଭୁବନେଶ୍ୱର ଝାରପଡ଼ାର ଗୋଲଡେନ୍ ପ୍ୟାଲେସ ତ ପାର୍ବଣରେ ଚାର୍ ଚାନ୍ଦ ଲଗାଇଦେବ । କେବଳ ରାଜଧାନୀ ନୁହଁ, କଟକରେ ବି ମନଲୋଭା ତୋରଣ ସାଙ୍ଗକୁ ତିଆରି କରାଯାଉଛି ଆଖି ଝଲସା ଚାନ୍ଦି ମେଢ଼ ।

ଯଦି କେବେ ଆପଣ ପୂର୍ବ ଏସିଆର ଦ୍ୱୀପ ଦେଶ ତାଇୱାନର ପ୍ରସିଦ୍ଧ ବୁଦ୍ଧ ମନ୍ଦିରକୁ ନିଜ ଆଖିରେ ଦେଖିନାହାଁନ୍ତି, ତେବେ ବ୍ୟସ୍ତ ହୁଅନ୍ତୁନି । ଏହି ତୋରଣ ହିଁ ଆପଣଙ୍କୁ ଦେବ ବାସ୍ତବ ଅନୁଭୂତି, ଆପଣଙ୍କୁ ମିଳିବ ପରମ ତୃପ୍ତି । କାରଣ ତାଇୱାନର ବୁଦ୍ଧ ମନ୍ଦିର ଓ ରସୁଲଗଡ଼ ଦୁର୍ଗା ପୂଜା କମିଟିର ତୋରଣରେ ଟିକିଏ ବି ତଫାତ୍ ନାହିଁ ।

ସବୁଥର ଭଳି ଏଥର ବି ନୂଆ କରିବାର ଝୁଙ୍କରେ ରସୁଲଗଡ଼ ପୂଜା କମିଟି ପ୍ରାୟ ୬୫ଫୁଟ୍ ଉଚ୍ଚ ଓ ୧୨୦ ଫୁଟ୍ ଚଉଡ଼ାରେ ଛିଡ଼ା କରିଛି ତାଇୱାନର ବୁଦ୍ଧ ମନ୍ଦିର ସୁଦୃଶ୍ୟ ତୋରଣ । ଯେଉଁଥିରେ ଡ୍ରାଗନ୍ ଓ ଅନ୍ୟାନ୍ୟ ଭୟଙ୍କର ଜୀବଜନ୍ତୁଙ୍କ ପ୍ରତିମୂର୍ତ୍ତି ବି ଦେଖଣାହାରୀଙ୍କ ମନ କିଣିବ ।

ପୂଜା ଆସିଲେ ପ୍ରତ୍ୟେକ କମିଟି ଭିନ୍ନ ଧରଣର ତୋରଣ କିମ୍ବା ମେଢ ନିର୍ମାଣ କରି ପ୍ରତିଯୋଗିତା ଲଗାନ୍ତି, ଚର୍ଚ୍ଚାରେ ରୁହନ୍ତି । ସେହି ଚର୍ଚ୍ଚାର ଧାରା ଭିତରେ ଯୋଡ଼ି ହୋଇଛି ସହିଦ ନଗର ପୂଜା କମିଟି । ୪୬ ବର୍ଷରେ ପାଦ ଥାପି ଥିବା ଏହି କମିଟି କାଳ୍ପନିକ ପରୀ ମହଲ ତିଆରି କରିଛି । ଯାହାର ଉଚ୍ଚତା ୬୦ ଫୁଟ, ଚଉଡ଼ା ୪୦ ଫୁଟ। ଶଙ୍ଖ ମଲ ମଲ କାଳ୍ପନିକ ପରୀ ମହଲକୁ ନିର୍ମାଣ କରିଛନ୍ତି କଲିକତି କାରିଗର ।

ଝାରପଡ଼ା ପୂଜା କମିଟିରେ ଗୋଲଡେନ୍ ପ୍ୟାଲେସ ଆକୃତିରେ ତିଆରି କରାଯାଉଛି ମଣ୍ଡପ । ହିନ୍ଦୁ ଓ ମୁସଲମାନ ଏକାଠି ଆୟୋଜନ କରୁଥିବା ଦୁର୍ଗା ପୂଜାରେ ବର୍ଷର ମୁଖ୍ୟ ଆକର୍ଷଣ ହେଉଛି ଏହି ୮୫ ଫୁଟ ଉଚ୍ଚ ଏବଂ ୧୫୦ ଫୁଟ୍ ଚଉଡ଼ାର ଗୋଲଡେନ୍ ପ୍ୟାଲେସ । ଏଠି ପୂଜା ପାଇବେ ୧୨ ଫୁଟର ମୃଣ୍ମୟୀ ମୂର୍ତ୍ତି ।

କେବଳ ଭୁବନେଶ୍ୱର କାହିଁକି, କଟକରେ ବି ମନଜିଣା ତୋରଣର ଝଲକ । ଶଙ୍କରପୁର ବାଦାମବାଡ଼ି ପୂଜା କମିଟି ପକ୍ଷରୁ ନେପାଳର ଜାନକୀ ପ୍ୟାଲେସ  ଆକାରର ତୋରଣ ତିଆରି କରାଯାଉଥିବାବେଳେ ଶିଖରପୁର ଗଣ୍ଡରପୁର ମହାନଦୀ ବିହାର ପୂଜା କମିଟି ପକ୍ଷରୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଓ ମାଲଗୋଦାମ ପୂଜା କମିଟି ପକ୍ଷରୁ କେଦାରନାଥ ଆକୃତିର ଆକର୍ଷଣୀୟ ତୋରଣ ଆଖି ଝଲସାଇବ । 

ଜଗତଜନନୀଙ୍କ ପୂଜା ପାଇଁ ପ୍ରସିଦ୍ଧ ରୌପ୍ୟ ନଗରୀରର ମଣ୍ଡପଗୁଡ଼ିକରେ ବି ପ୍ରସ୍ତୁତି ଚୁଡାନ୍ତ । ଏବର୍ଷ ଆଉ ଚାରିଟି ନୂଆ ଚାନ୍ଦି ମେଢ଼ ଶୋଭାପାଇବ । ମହମ୍ମଦିଆ ବଜାର ପୂଜା ମଣ୍ଡପରେ ଉଦଘାଟିତ ହୋଇଛି ନୂତନ ଚାନ୍ଦି ମେଢ଼ । ଏହାକୁ ମିଶାଇ ସହରରେ ୩୧ଟି ଚାନ୍ଦି ମେଢ଼ ସହ ଝଟକିବେ ମା’ ଦଶଭୂଜା । କାଲି ମଣ୍ଡପରେ ଷଷ୍ଠୀ ତଥା ମା’ଙ୍କ ହେବ ବିଲ୍ୱବରଣୀ । ଏଇଠୁ ଆରମ୍ଭ ହେବ ମା’ ଜଗତଜନନୀଙ୍କ ଆରାଧନା ।

  • Reported by:
  • PRAVAT BISOI , BIBARTAN PANDA