• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୋଲକାତାରେ ପୂଜା ପାଇଁ ଫେମସ୍ ପଶ୍ଚିମବଙ୍ଗର ଏହି ସହରରେ ସବୁଥର ଭଳି ଏଥର ବି ବେଶ୍ ଧୂମଧାମରେ ହେଉଛି ଜଗତଜନନୀଙ୍କ ଆବାହନ । ପୂଜା ପେଣ୍ଡାଲରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ମାଆଙ୍କ ଜୀବନ୍ତ ମୂର୍ତ୍ତି ଯିଏ ଦେଖୁଛି, ଆଖି ଖୋସି ହୋଇଯାଉଛି ।

କଳା ଓ କାରୁକାର୍ଯ୍ୟର ସହର କୋଲକାତା । ପ୍ରତି ଶହେ ମିଟରରେ ମା'ଙ୍କ ମେଢ । ହେଲେ ଇଏ ଏମିତି ସେମିତି ପୂଜା ପେଣ୍ଡାଲ ନୁହେଁ । ସବୁଠି ନୂଆ ଥିମ୍, ନିଆରା ପୂଜା । ଆଉ ସେହି ଥିମରେ ରହିଛି ଲୋକଙ୍କ ପାଇଁ ବାର୍ତ୍ତା, ପ୍ରକୃତି ସୁରକ୍ଷାର ସନ୍ଦେଶ ।

ବାଉଁଶରେ ଘର, ମାଟିର ସୁରେଇ, ଘର ଚଟିଆଙ୍କ ବସା ସାଙ୍ଗକୁ ମହୁଫେଣା । ବୃକ୍ଷ, ଜଳ, ଅଗ୍ନି, ଆକାଶ ଓ ଧରିତ୍ରୀର ସୁରକ୍ଷା ନେଇ ପୂଜା ପେଣ୍ଡାଲରେ ଦିଆଯାଇଛି ମନୁଷ୍ୟ ଅସ୍ଥିତ୍ୱର ସନ୍ଦେଶ । ମଣିଷର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହକୁ ସ୍ଥାନ ଦେଇ ଲୋକଙ୍କୁ ଭଲ ଓ ମନ୍ଦର ବାର୍ତ୍ତା ଦେଇଛି ପୂଜା କମିଟି । ଦେବୀ ଦୁର୍ଗାଙ୍କ ମୂର୍ତ୍ତି ପଛରେ କାହାଣୀ ବି ରହିଛି । ମୃଣ୍ମୟୀ ମୂର୍ତ୍ତିରେ ଦେବୀଙ୍କ ଆବାହନ ପାଇଁ ରହିଛନ୍ତି ବିଭିନ୍ନ ଦେବଦେବୀ । ଆଉ ଦଶଭୂଜା, ମହିଷାମର୍ଦ୍ଦିନୀ ହାତ ମେଲାଇ ସୁରକ୍ଷା ଦେଉଛନ୍ତି ସାରା ଜଗତକୁ । କୋଲକାତାର ହାଜାର ହାତ୍ କାଳୀତାଲା ପୂଜା କମିଟିର ଏ ପ୍ରୟାସ, ଯିଏ ଦେଖୁଛି, ତାଜୁବ ହୋଇଯାଉଛି ।

ଏଠି ମାଆଙ୍କ ପାଇଁ ତିଆରି ହୋଇଛି ମନ୍ଦିର । ସଂପୂର୍ଣ୍ଣ ରାଜକୀୟ ଶୈଳୀରେ କୋଲକାତାର ନ୍ୟୁ ଟାଉନରେ ପ୍ରସ୍ତୁତ ହୋଇଛି ମା ଦୁର୍ଗାଙ୍କ ପୀଠ । ଅବିକଳ ମନ୍ଦିରର ରୂପ ଦିଆଯାଇଛି ପୂଜା ପେଣ୍ଡାଲକୁ । ଭବ୍ୟ ଓ ଆକର୍ଷଣୀୟ ଏହି ମଣ୍ଡପକୁ ଭିନ୍ନ ଅନୁଭୂତି ଦେଉଛି କାଚର କାନ୍ଥ । ତେବେ ଏଠି ମାଆ, ମହିଷାଶୁରଙ୍କୁ ବଧ କରୁନାହାନ୍ତି ବରଂ ଦେଖିବାକୁ ମିଳିଛି ମାଆଙ୍କ ଶାନ୍ତି ଓ ସୌମ୍ୟ ଭାବ ଓ ରୂପ ।

ଝାଟି ମାଟିର ଚାଳ ଛପର ଘରେ ଗୋବର ଲେପ ସାଙ୍ଗକୁ ବାଉଁଶ ଓ ବେତରେ ତିଆରି ମାଆଙ୍କ ଭବ୍ୟ ମଣ୍ଡପ । କେଉଁଠି ଲଣ୍ଠନ ଜଳୁଛି ତ କେଉଁଠି ଦୀପର ଆଲୁଅ । ତା’ ଭିତରେ ପୂଜା ପାଉଛନ୍ତି ମା ଦଶଭୂଜା । ଭବ୍ୟ ଓ ଚିତ୍ତାକର୍ଷକ ମହାମାୟାଙ୍କ ମୃଣ୍ମୟୀ ପ୍ରତିମା । ଦେଖିବା ଲୋକର ଆଖି ପଲକ ପଡୁନି କି ମନ ଭରୁନି । ସେପଟେ ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ବର୍ଜନର ବାର୍ତ୍ତା । ପ୍ଲାଷ୍ଟିକ ହେଉ କି ପଲିଥିନ୍, ପରିବେଶ ଓ ଜୀବଜନ୍ତୁଙ୍କ ପ୍ରତି ଏହା କେତେ ବିପଦପୂର୍ଣ୍ଣ, ନିଖୁଣ କାରୁକାର୍ଯ୍ୟରେ ଦର୍ଶାଇଛି ବାଗାନ ଖାଲୁର ଯୁବ ସଂଘ କ୍ଲବ୍ ।

ଯେଉଁଠିକି ଆଖି ବୁଲାଇବେ ନିଆରା ପୂଜା ପେଣ୍ଡାଲ, ମାଆଙ୍କ ଆଖି ଝଲସିଲା ଭଳି ମୂର୍ତ୍ତି । ସାଜସଜ୍ଜା ସବୁଠୁ ଭିନ୍ନ, ସବୁଠୁ ଆକର୍ଷଣୀୟ । ଏଇ ଯେମିତି ପୁଚକା ପେଣ୍ଡାଲ । ମାନେ ଗୁପଚୁପ୍ ଆଉ ସମସ୍ତଙ୍କ ପ୍ରିୟର ଗୋଲଗପ୍ପା । ପୁରା ପେଣ୍ଡାଲରେ ସଜେଇ ହୋଇଛି ୫୦ ହଜାରରୁ ଅଧିକ ଗୁପଚୁପ୍ । ଏଣ୍ଟ୍ରି ଗେଟରେ ଖୋଲିଛି ଗୁପଚୁପ୍ ଷ୍ଟଲ୍ । ପ୍ରତି ପେଣ୍ଡାଲରେ ବାରି ହୋଇ ପଡୁଛି କୋଲକାତା କାରିଗରଙ୍କ ହାତର ଯାଦୁ ଓ ଶିଳ୍ପୀଙ୍କ କଥାକୁହା ତଥା ଜୀବନ୍ତ ମୂର୍ତ୍ତି । ଏପରିକି ସହରର ଗହଳି ରାସ୍ତାରେ ଗଡୁଥିବା ଟ୍ରାମ ବି ନେଇଛି ପୂଜା ପେଣ୍ଡାଲର ରୂପ ।

କୋଲକାତାରୁ କ୍ୟାମେରାମେନ୍ ପ୍ରଶାନ୍ତଙ୍କ ସହ ପାର୍ଥ ପାଲ ଓ ପ୍ରସନ୍ନଜିତ୍ ରାୟଙ୍କ ରିପୋର୍ଟ ଓଟିଭି..