ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ ତିଥିରେ ପ୍ରସିଦ୍ଧ ଚନ୍ଦ୍ରଭାଗାରେ ବୁଡ଼ ଅନୁଷ୍ଠିତ ହେବ । କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ । ଏହି ଦିନରେ ବୁଡ଼ ପକାଇ ସୂର୍ଯ୍ୟ ଦେବତାଙ୍କ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ କୋଣାର୍କରେ ପହଞ୍ଚିବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି କୋଣାର୍କ ଚନ୍ଦ୍ରଭାଗାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଭୋର ୪ଟା ୩୭ରେ ପବିତ୍ର ଚନ୍ଦ୍ରଭାଗାରେ ବୁଡ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଚନ୍ଦ୍ରଭାଗା ଆସିବେ । ତେଣୁ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଚଳିତ ବର୍ଷ ବୁଡ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚାରିଜଣ ଆଡିସିନାଲ ଏସ୍ପିଙ୍କ ସମେତ ୩୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଆଜି ମାଘ ଷଷ୍ଠୀରେ ସଂଧ୍ୟାରେ ପୂଜାର୍ଚ୍ଚନା ମଧ୍ୟ କରାଯିବ । ଆସନ୍ତାକାଲି ଭୋର ୪ଟା ୩୭ ମିନିଟ୍ ସମୟରେ ଶ୍ରଦ୍ଧାଳୁ ମାନେ ବୁଡ ପକାଇବେ ।
Also Read
ବିଦ୍ୟୁତ ସରବରାହରେ ବ୍ୟାଘାତ ନହେବା ପାଇଁ ୩ଟି ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଣାର୍କର ବିଭିନ୍ନ ସ୍ଥାନରେ ୫ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର କରାଯାଇଛି । ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ୨ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି ।
ପୋଲିସ ପକ୍ଷରୁ ୪ଜଣ ଆଡିସିନାଲ ଏସ୍ପିଙ୍କ ସହ ୧୨ଜଣ DSP, ୧୨୨ ଜଣ ASI, ୩୩ ପ୍ଲାଟୁନ ଫୋର୍ସ ଏବଂ ୨୦ଜଣ ଲାଇଫ ଗାର୍ଡ ମୁତୟନ ହୋଇଛନ୍ତି । ପୁରୀ ଏସ୍ପି ବିନୀତ ଅଗ୍ରୱାଲ ପୋଲିସର ନିୟମ ମାନି ଚନ୍ଦ୍ରଭାଗା ବୁଡରେ ସାମିଲ ହେବାକୁ ଅପିଲ୍ କରିଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ମାଘ ସପ୍ତମୀ ଅବସରରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି ।