• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଝୁଲାପୋଲ ବନ୍ଦ, ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି । ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆଜି କରାଯାଇଛି ନୂଆ ବ୍ୟବସ୍ଥା । ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଝୁଲାପୋଲ ପାଖରେ ଲାଗିବ ଏଲଇଡି ସ୍କ୍ରିନ୍ । ଭର୍ଚୁଆଲରେ ଭକ୍ତ କରିବେ ବାବଙ୍କ ଦର୍ଶନ । ତେବେ ପ୍ରଶାସନର ଏହି ନିଷ୍ପତ୍ତିକୁ ବି ନାପସନ୍ଦ କରିଛନ୍ତି ପୂଜକ ଓ ଦୋକାନୀ । ଏପଟେ ଭକ୍ତ ବି ନିରାଶ ।

ପଞ୍ଚୁକରେ ବାବା ଧବଳେଶ୍ୱରଙ୍କୁ ଭର୍ଚୁଆଲରେ ଦର୍ଶନ । ଝୁଲାପୋଲ ପାଖରୁ ଏଲଇଡି ସ୍କ୍ରିନ୍‌ରେ ବାବଙ୍କୁ ଦେଖିବେ ଶ୍ରଦ୍ଧାଳୁ । ଶୁକ୍ରବାରରୁ ପଞ୍ଚୁକ ଯାତ୍ରା, ରବିବାର ବଡ଼ ଓଷା । ଏହା ପୂର୍ବରୁ ବାବା ଧବଳେଶ୍ୱରଙ୍କ ପୀଠରେ ଜାରି ହୋଇଛି ୧୪୪ ଧାରା । ତେଣୁ ଦର୍ଶନ ପାଇଁ ପ୍ରଶାସନ କରିଛି ନୂଆ ବ୍ୟବସ୍ଥା । ଝୁଲା ପୋଲ ପାଖରେ ଲାଗିବ ବଡ ଏଲଇଡି ସ୍କ୍ରିନ୍ । ଯେଉଁଥିରେ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ମନ୍ଦିର ଭିତରେ ଠାକୁରଙ୍କ ପ୍ରତିଟି ନୀତିକାନ୍ତିକୁବି ଏଲଇଡିରେ ଦେଖିହେବ । ପୋଲ ପାଖରେ ପ୍ରତିଷ୍ଠା ହେବ ବାବା ଧବଳେଶ୍ୱରଙ୍କ ଅସ୍ଥାୟୀ ପ୍ରତିମା । ସେଠାରେ ପୂଜାପାଠ କରାଯିବ, ଗଜ ଭୋଗ ବି ମିଳିବ । ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଝୁଲାପୋଲ ସ୍ଥିତି ସମୀକ୍ଷା କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଝୁଲାପୋଲ ଓ ମନ୍ଦିର ପରିସରରେ ପ୍ରଶାସନ ୧୪୪ ଧାରା ଜାରି କରିଥିବାରୁ ଶ୍ରଦ୍ଧାଳୁଙ୍କୁ ପୀଠକୁ ବାରଣ କରାଯାଇଛି । ଡଙ୍ଗାରେ ବି କେହି ମନ୍ଦିର ମାଡି ପାରିବେନି । ତେବେ ଝୁଲାପୋଲ ଏପଟେ ପୂର୍ବଭଳି ପଂଚୁକ ଯାତ୍ରା ହେବ । ଦୋକାନ ବଜାର ଖୋଲିବ, ମେଳା ବି ଲାଗିବ । କିନ୍ତୁ ପ୍ରଶାସନର ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛି ଧବଳେଶ୍ୱର ପୂଜକ ସମିତି । ସେମାନେ ସଫା ସଫା କହିଛନ୍ତି, ଠାକୁରଙ୍କ ପୂଜା ଓ ନୀତିକାନ୍ତିରେ ଅସହଯୋଗ କରିବେ । ଏଥର ପଂଚୁକ ଯାତ୍ରାରେ ଭଲ ରୋଜଗାର ଆଶା ରଖିଥିବା ବ୍ୟବସାୟୀ ବି ପ୍ରଶାସନର ନିଷ୍ପତ୍ତିରେ ଖପ୍ପା । ପୂଜା ସାମଗ୍ରୀଠୁ ପ୍ରସାଦ ଯାଏଁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ କିଣିଥିଲେ ସେମାନେ । ହେଲେ ଏବେ କଣ କରିବେ, ଚିନ୍ତା କରିପାରୁ ନାହାନ୍ତି ।

କୋଭିଡ୍ କଟକଣା ଯୋଗୁଁ ଦୁଇ ବର୍ଷ ହେଲା ପଞ୍ଚୁକ ଓ ବଡ଼ଓଷାରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିନଥିଲେ ଭକ୍ତ । ତେଣୁ ଏଥର ମନରେ ଥିଲା ପ୍ରବଳ ଉତ୍ସାହ । ମାତ୍ର ପ୍ରଶାସନର ନିଷ୍ପତ୍ତି ସମସ୍ତଙ୍କୁ ନିରାଶ କରିଛି । ଗୁଜରାଟ ମୋର୍ବି ଝୁଲାପୋଲ ଟ୍ରାଜେଡି ପରେ ଧବଳେଶ୍ୱର ଝୁଲାପୋଲକୁ ଅସୁରକ୍ଷିତ ଦର୍ଶାଇ ଏହାକୁ ବନ୍ଦ କରିଦେଇଛି ପ୍ରଶାସନ । ତେବେ ପ୍ରଶାସନର କଟକଣାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

(ରିପୋର୍ଟ- ଆଠଗଡରୁ ନୀଳକଣ୍ଠ ଦୋରା)