• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାକ୍ଷୀ ପୂର୍ଣ୍ଣିମା ତିଥିକୁ ନେଇ ବହୁ ଦ୍ୱନ୍ଦ୍ୱ ସତ୍ତ୍ୱେ ଆଜି ବେଶ୍ ଉତ୍ସାହର ସହ ପାଳନ ହୋଇଛି ଭାଇ ଭଉଣୀଙ୍କ ପବିତ୍ର ସଂପର୍କର ପର୍ବ ରକ୍ଷା ବନ୍ଧନ । ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ସିଦ୍ଧ ବଳଦେବଜୀଉଙ୍କ ଠାରେ ଆଜି ଗହ୍ମାଭିଷେକ ହୋଇଥିବା ବେଳେ ଆସନ୍ତାକାଲି ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ । ଅନ୍ୟପଟେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ହାତରେ ମଧ୍ୟ କୁନିକୁନି ପିଲାମାନେ ବାନ୍ଧିଛନ୍ତି ସ୍ନେହର ଡୋରି ।

ଶୁଭ-ଅଶୁଭ ଓ ମଙ୍ଗଳ-ଅମଙ୍ଗଳର ଦ୍ୱନ୍ଦ୍ୱ ଭିତରେ ସାରା ଦେଶରେ ଆଜି ବେଶ୍ ଉତ୍ସାହର ସହ ପାଳିତ ହୋଇଛି ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ । ଭାଇ ହାତରେ ରେସମୀ ଡୋରିଟିଏ ବାନ୍ଧି ଭଉଣୀ ତା ଶୁଭ ମନାସିବା ସହିତ ନିଜର ସୁରକ୍ଷା କାମନା ବି କରିଛି । ହେଲେ ଆଜି ବିଷ୍ଟିଯୋଗ ବା ଭଦ୍ରାଯୋଗ ପଡିଥିବାରୁ କୌଣସ ମାଙ୍ଗଳିକ କାର୍ଯ୍ୟ ଅନୁଚିତ ବୋଲି ଗଲାକାଲିଠାରୁ ଯେଉଁ ଚର୍ଚ୍ଚା ହେଉଥିଲା ତା ସତ୍ତ୍ୱେ ସବୁଠି ବେଶ୍ ଉତ୍ସାହର ସହ ରକ୍ଷା ବନ୍ଧନ ପର୍ବ ପାଳନ ହୋଇଛି ।

ଆଜି ଦିନ ୧୧ଟା ୨୨ ମିନିଟ୍ ପରଠାରୁ ରକ୍ଷାବନ୍ଧନ ପାଳିବାରେ କୌଣସି ଅସୁବିଧା ନାହିଁ ବୋଲି ଜ୍ୟୋତିର୍ବିଦମାନେ ମତ ଦେବା ପରେ ଏହି ସମୟକୁ ଅପେକ୍ଷା କରିଥିଲେ ସମସ୍ତେ । ଖାଲି ଭାଇ ହାତରେ ଭଉଣୀ ଯେ ରାକ୍ଷୀ ବାନ୍ଧିଥିଲା ତା ନୁହେଁ, ବିଭିନ୍ନ ସ୍ଥାନରେ ବେଶ୍ ଉତ୍ସାହର ସହ ସାମୁହିକ ରକ୍ଷାବନ୍ଧନ ପାଳନ ହୋଇଥିଲା । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଉତ୍କଳ ବାଳାଶ୍ରମର କୁନିକୁନି ପିଲାଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ମିଠେଇ ବାଣ୍ଟିଥିଲେ, ଠିକ୍ ସେମିତି ରାଜଧାନୀର ଏକ ପାର୍କରେ ଭଉଣୀମାନେ ଗଛ ଦେହରେ ରାକ୍ଷୀ ପିନ୍ଧାଇ ଦେଉଛନ୍ତି ।

ଖାଲି ସେତିକି ନୁହେଁ, ଏମିତି ଏକ ଦୃଶ୍ୟ ଆପଣଙ୍କୁ ଭାବବିହ୍ୱଳ କରିଦେବ । ଜନ୍ମରୁ ଦିବ୍ୟାଙ୍ଗ କେନ୍ଦ୍ରାପଡା ଜିଲ୍ଲା ଆଳିର ଅଙ୍ଗନବାଡ଼ି ଦିଦି ଉର୍ବଶୀ ଦାସ ତାଙ୍କ ଧରମ ଭାଇ ପ୍ରକାଶ ମିଶ୍ରଙ୍କୁ ବନ୍ଦାପନା କରି ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ଦେଉଛନ୍ତି । ତା ପୁଣି ନିଜ ଗୋଡରେ..

ସେହିପରି ଆଜି ଅହିଂସା ପାଟପିନ୍ଧି ଲକ୍ଷେ ତୁଳସୀରେ ସଜେଇ ହୋଇଛନ୍ତି ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ବଡଠାକୁର ସିଦ୍ଧ ବଳଦେବଜୀଉ । ବଡ଼ଭାଇ ବଳଭଦ୍ରଙ୍କ ଜନ୍ମୋଉତ୍ସବ ତଥା ଗହ୍ମାଭିଷେକ ଅବସରରେ ପାଟରାକ୍ଷୀ ପିନ୍ଧିଛନ୍ତି ଦୁଇ ଭାଇ । ଅନ୍ୟପଟେ ପୁରୀ ଶ୍ରୀମନ୍ଦିରରେ ଭଦ୍ରା ଯୋଗ ପାଇଁ ଆଜି ରକ୍ଷାବନ୍ଧନ ପର୍ବ ପାଳନ କରାଯାଇ ନାହିଁ । ଆସନ୍ତା କାଲି ଉଦୟ ପର୍ବରେ ଭଉଣୀ ସୁଭଦ୍ରା ଦୁଇ ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ । ସେହିପରି ନେମାଳ ବଟ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠରେ ବି ଆସନ୍ତାକାଲି ରକ୍ଷା ବନ୍ଧନ ପର୍ବ ପାଳନ ହେବ ।

ସେପଟେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୁନିକୁନି ପିଲାଙ୍କ ହାତରେ ରାକ୍ଷୀ ବାନ୍ଧି ଚକୋଲେଟ୍ ଦେଇଥିବା ବେଳେ ତାଙ୍କୁ ମଧ୍ୟ ସ୍କୁଲର ଛାତ୍ରୀମାନେ ରାକ୍ଷୀ ବାନ୍ଧିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଜି ବେଶ୍ ଉତ୍ସାହର ସହ ଶହଶହ ସଂଖ୍ୟାରେ କୁନିକୁନି  ପିଲାଙ୍କଠାରୁ କଲେଜ ଛାତ୍ରୀମାନେ ରୁଣ୍ଡ ହୋଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ହାତରେ ବି କୁନିକୁନି ପିଲାମାନେ ରାକ୍ଷୀବାନ୍ଧି ଫଟୋ ଉଠାଇଥିଲେ ।