• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାତି ପାହିଲେ ଦୀପାବଳି । ଆଲୋକର ପର୍ବ ପାଇଁ ଆକାଶଛୁଆଁ ଉତ୍ସାହ ଓ ଉଦ୍ଦୀପନା ।  କିଏ ବାଣ କିଣି ଘରେ ଗଦା କଲାଣି, ତ ଆଉ କିଏ ଘରକୁ ସଜାଇଲାଣି ସୁନ୍ଦର ଆଲୋକମାଳାରେ । ବିଷାକ୍ତ ଧୂଆଁ, କ୍ଷତିକାରୀ ପ୍ରଦୂଷଣ ଓ ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ବାଣ ନଫୁଟାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ, ବାଣ ବଜାର ଉପରେ ବି ପ୍ରଶାସନର କଡ଼ା ନଜର ରହିଛି । ସେପଟେ ଆସନ୍ତାକାଲି କେବଳ ଦୀପାବଳି ନୁହେଁ, କାଳୀପୂଜା ଏବଂ ପୟାଶ୍ରାଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ହେଲାଣି ।

କାଲି ସଞ୍ଜ ନଇଁଲେ ଜଳିଯିବ- ଫୁଟିଯିବ ଲକ୍ଷ ଲକ୍ଷ ଟଙ୍କା । କେଉଁଟି ଧପ୍ ଧପ୍ ଜଳି ଆଖି ଝଲସାଇଦେବ, ତ ଆଉ କେଉଁଟି ଢୋ କରି ଫୁଟି ଛାତି ଥରାଇ ଦେବ । ହାବେଳି ଆକାଶ ଭେଦିବ, କୁମ୍ପି ଆଉ ଚକ୍ରି ଭୂଇଁରେ କରିସ୍ମା ଦେଖାଇବ । ଆଉ ଇଏ ଆଜି ଦିପାବଳୀ ପୂର୍ବ ଦିନରେ ବାଣ ବଜାରର ଦୃଶ୍ୟ। ଭୁବନେଶ୍ୱର, ଖୋର୍ଦ୍ଧା ଓ ବାଣ ପାଇଁ ପ୍ରସିଦ୍ଧ ଜଟଣୀର ମୋଟ ୩୧ ଟି ସ୍ଥାନରେ ଖୋଲିଛି ଏମିତି ୫ଶହରୁ ଅଧିକ ଷ୍ଟଲ୍ । ଫୁଲଝରି, ଧପଧପି, କୁମ୍ପି, ଚକ୍ରି ଆଦି ସହ ଫ୍ୟାନ୍ସି ବାଣ ଓ ସବୁଜ ବାଣର ରହିଛି ଅଧିକ ଚାହିଦା ।

ବାଣ ପ୍ୟାକେଟ ଉପରେ ଗ୍ରୀନ୍ କ୍ରାକର୍ ଚିହ୍ନ ଦେଖିବା ପରେ ହିଁ ଦାମ୍ ପଚାରୁଛନ୍ତି ସଚେତନ ନାଗରିକ । କେବଳ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀଙ୍କୁ ବାଣ ବିକିବାକୁ ଅନୁମତି ମିଳିଥିବା ବେଳେ, ନିଆଁଲିଭା ବ୍ୟବସ୍ଥା ସହ ସମସ୍ତ  SOP ପାଳନ ହେଉଛି କି ନାହିଁ, ତାହା ଅଗ୍ନିଶମ ବିଭାଗ ଏବଂ ଭୁବନେଶ୍ବରରେ BMC ପକ୍ଷରୁ ମଧ୍ୟ ଯାଞ୍ଚ କରାଯାଉଛି ।

ଦୀପାବଳିରେ ଖାଲି ବାଣ ବଜାରରେ ନୁହେଁ; ମିଠା, ଡ୍ରାଏଫ୍ରୁଟ୍ ଓ ଚକଲେଟ ବଜାରରେ ବି ଭରପୁର ଉତ୍ସାହ । ଗ୍ରାହକ ମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଖାଲି ରସଗୋଲା କି ଲଡ଼ୁ ନୁହେଁ, ବିଭିନ୍ନ ଭେରାଇଟିର ଖୁଆ ମିଠା ଓ କାଜୁ କିସମିସ ଆଦି ପଡ଼ିଥିବା ଡ୍ରାଏ ଫ୍ରୁଟ୍ ମିଠା ତିଆରି କରିଛନ୍ତି ବ୍ୟବସାୟୀ । ସୁଗାର୍ ଫ୍ରି ଓ କମ୍ ମିଠା ଥିବା ଆଇଟମର ବି ଚାହିଦା ଏଥର ଢେର୍ ଅଧିକ ଦେଖିବାକୁ ମିଳିଛି ।

ଦୀପାବଳି ସହ କାଳିପୂଜା ପାଇଁ ବି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଛି ଆଡ଼ମ୍ବରପୂର୍ଣ୍ଣ ଆୟୋଜନ । ଆସନ୍ତାକାଲି ମଧ୍ୟରାତ୍ରରେ ହେବ ମହାମାୟାଙ୍କ ଆବାହନ । ରୀତିନୀତି ଅନୁସାରେ ଚକ୍ଷୁଦାନ ପରେ ଷୋଡ଼ଶ ଉପଚାର ପୂଜା ଏବଂ ଚଣ୍ଡୀପାଠ ହେବ । କଟକରେ ୭୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଶ୍ୟାମାକାଳୀ । ବ୍ରହ୍ମପୁରବାସୀଙ୍କ ଦୃଷ୍ଟି ଆକର୍ଷଣ କରିବ ଖୋଡ଼ାସିଙ୍ଗିରେ ନେପାଳ କାଠମାଣ୍ଡୁ ଶିବ ମନ୍ଦିର ଷ୍ଟାଇଲ୍ ତୋରଣ, ଯାହାର ଉଚ୍ଚତା ୭୦ ଫୁଟ୍ ଏବଂ ଓସାର ୧୦୦ ଫୁଟ୍ । ବିଜିପୁରରେ ପୂଜା ପାଇବ ମାଆଙ୍କ ୨୦ ଫୁଟ୍ ଉଚ୍ଚ ମୃଣ୍ମୟୀ ପ୍ରତିମା । ତେବେ ସମସ୍ତଙ୍କ ନଜର ରହିବ ପ୍ରସିଦ୍ଧ ଭଦ୍ରକ କାଳୀପୂଜା ଉପରେ । ୯ଟି ସୁଦୃଶ୍ୟ ମଣ୍ଡପ ସହ ସଜେଇ ହୋଇଛି ଭଦ୍ରକ ସହର । ଏଥିସହ ମୀନାବଜାର ଓ ଯାତ୍ରା ବି ଆୟୋଜିତ ହେଉଛି ମନୋରଞ୍ଜନ ପାଇଁ ।

ଆସନ୍ତାକାଲି ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟା ତିଥୀ ରହୁଥିବାରୁ ଘରେ ଘରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଓ ଦୀପଦାନ ହେବ । କାଉଁରିଆ କାଠି ଜାଳିବା ସହ ବଡ଼ବଡ଼ୁଆଙ୍କୁ ଖଇକୋରା, ଫଳମୂଳ ଓ ଆଖୁ ଆଦି ଶୀତଳ ଭୋଗ ଅର୍ପଣ କରାଯିବ। ସୋମବାର ଅମାବାସ୍ୟା ଉଦୟପର୍ବରେ ଶ୍ରୀମନ୍ଦିରରେ ଦୀପାବଳି ଅମାବସ୍ୟା ଓ ସାଗର ବିଜେ ନୀତି ଅନୁଷ୍ଠିତ ହେବ ।