• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ଧରି ବନ୍ଦ ଥିବା ବାଲିଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବ । ପୁଣି ଥରେ ଚଳଚଞ୍ଚଳ ହେବ କଟକ ବାଲିଯାତ୍ରା ପଡ଼ିଆ ।ଆଜି ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । କୋଭିଡ ମହାମାରୀର ପ୍ରକୋପ କମିବା ପରେ ବାଲିଯାତ୍ରା କରିବା ପାଇଁ ଯୋଜନା ରହିଥିବା କହିଛନ୍ତି ଜିଲ୍ଲାପାଳ ।

ଆସନ୍ତା ଚାରି ମାସ ଭିତରେ କରୋନା ପରିସ୍ଥିତିରେ ଆହୁରି ସୁଧାର ଆସି ଯାଇଥିବ । ତେଣୁ ଆନନ୍ଦ ଓ ଉଲ୍ଲାସ ସହ ବାଲିଯାତ୍ରା ପାଳନ ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ଏଥିରେ ବ୍ୟବସାୟୀଙ୍କ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦିଆଯିବା ସହ ମିଶନ ଶକ୍ତିକୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା ମିଳିଛି । ତେବେ ରାଜ୍ୟସ୍ତରୀୟ ମନ୍ୟତ୍ୟ ପାଇଥିବା ବାଲିଯାତ୍ରାକୁ ଜାତୀୟ ମେଳା ମାନ୍ୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କଟକ ଜିଲ୍ଲାପାଳ । ଚଳିତ ଥର ବାଲିଯାତ୍ରାକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ DRDA ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ୭ ଜଣିଆ କମିଟି ଗଠନ କରାଯାଇଥିବା କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଗତ ଦୁଇ ବର୍ଷ ହେଲା ବାଲିଯାତ୍ରାକୁ ନେଇ ନିରାଶ କରିଥିଲା ପ୍ରଶାସନ । କୋଭିଡ୍ ପାଇଁ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ବାଲିଯାତ୍ରାରେ ହଜାର ହଜାର ଷ୍ଟଲ ପଡ଼ିଥାଏ । ବିଭିନ୍ନ ରାଜ୍ୟରୁ ଏଠାକୁ ବ୍ୟବସାୟୀମାନେ ଆସି ନିଜର ପସରା ମେଲାଇଥାନ୍ତି । ଆଉ ସେମାନଙ୍କ ଜିନିଷ କିଣିବାକୁ ମଧ୍ୟ ବିଭିନ୍ନ ସ୍ଥାନରୁ ବା ଦୂରଦୂରାନ୍ତରୁ ଲୋକ ଏଠାକୁ ଆସିଥାନ୍ତି ।

ଜିଲ୍ଲାପାଳଙ୍କ କହିବା ଅନୁସାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ କଟକର ବାରବାଟୀ ପ୍ୟାଲେସ୍‌ରେ୧୪, ୧୫ ଓ ୧୬ ତାରିଖରେ କାଇଟ୍‌ ଉତ୍ସବ ଅନୁଷ୍ଠିତ ହେବ। କଟକରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ଏହାର ଆୟୋଜନ ହେବ। ଏଥିପାଇଁ ମିଶନ ଶକ୍ତି ବିଭାଗ, ଓରମାସ୍‌ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରାଯାଇଛି। ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ, ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଳି ଜିଲ୍ଲାପାଳ କହିଛନ୍ତି।