/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752488895.jpg)
ବାବା ଆଖଣ୍ଡଳମଣୀ
ଶ୍ରାବଣମାସର ପ୍ରଥମ ସୋମବାର ପାଇଁ ରବିବାର ଠାରୁ ଆଖଣ୍ଡଳମଣିଙ୍କ ପୀଠରେ ଲାଗିଥିଲା କାଉଡିଆଙ୍କ ଭିଡ। ଆଜି ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ବୋଲ ବମ ହରହର ବମ ଧ୍ବନି ଦେଇ ବାବାଙ୍କୁ ଜଳାଭିଷେକ କରିଥିଲେ ହଜାର ହଜାର କାଉଡିଆ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସେହିପରି ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ଘାଟ ଦେଇ ନଦୀପାରି ହୋଇ ଆସୁଥିବା କାଉଡିଆ ଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀଘାଟର ଉଭୟ ପାର୍ଶ୍ବରେ ପୋଲିସ ମୁତୟନ ରହିଥିବା ବେଳେ ନଦୀରେ ପଇଁତରା ମାରୁଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ।
ସ୍ଥଳପଥରେ ପୁଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କରାଯାଛି। ଏପଟେ କାଉଡିଆ ଭକ୍ତମାନେ ଯେପରି ଭାବେ ଶୃଙ୍ଖଳିତ ଜଳଲାଗି କରିବେ ସେଥିପାଇଁ ସ୍ୱତନ୍ତ୍ର ବାରିକେଡ ସହ ମନ୍ଦିର ଭିତରେ ଓ ବାହାରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହେଲେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଶହଶହ କିଲୋମିଟର ଖାଲି ପାଦରେ କାଉଡିଆ ଭକ୍ତ ଆସୁଥିଲେ ମଧ୍ୟ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତା ସହ ପୀଠକୁ ସଂଯୋଗ କରୁଥିବା ଅନ୍ୟ ରାସ୍ତାରେ ଖାଲଖମା ରହିଛି। ଏହି ରାସ୍ତାର ମରାମତି ପାଇଁ ଏକମାସ ପୂର୍ବରୁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଆଲୋଚନା ହୋଇଥିଲେ ମଧ୍ୟ ମରାମତି ହୋଇ ପାରିଲାନାହିଁ।
ଏଥିସହ ରବିବାର ରାତିରେ ବସଷ୍ଟାଣ୍ଡ ଠାରୁ ମନ୍ଦିର ରାସ୍ତା ଓ ବାଇପାସ ରାସ୍ତା ସହ ନଦୀ ରାସ୍ତା ଅନ୍ଧକାରମୟ ହୋଇ ରହିଥିବାରୁ କାଉଡିଆ ଯାତାୟତ କରିବାରେ ନାନା ଅସୁବିଧା ଦେଖା ଦେଇଥିଲା। ଭକ୍ତଙ୍କ ସୁବିଧାରେ ଯାତାୟତ ପାଇଁ ଏହି ରାସ୍ତା ତୁରନ୍ତ ମରାମତି ସହ ଆଲୋକୀକରଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
(ରିପୋର୍ଟ- ତ୍ରିଲୋଚନ ସାହୁ, ଚାନ୍ଦବାଲି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)