• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କାଲି ବଡଦିନ । ଯୀଶୁଙ୍କ ଜନ୍ମଦିନ ପାଳନ ପାଇଁ ସବୁଠି ଉତ୍ସବର ମାହୋଲ । ଘରେ ଘରେ X-Mass ଟ୍ରି ସଜା ଚାଲିଛି । ଏଥିପାଇଁ ଲୋକେ ବଜାରରୁ ବିଭିନ୍ନ ପ୍ରକାର ସାମଗ୍ରୀ କିଣୁଛନ୍ତି । କିଏ ସାନ୍ତା କ୍ଲଜ୍ କିଣୁଛି ତ କିଏ ଷ୍ଟାର । ରଙ୍ଗୀନ ଝଲମଲ କରୁଥିବା ବଲ, ସ୍ନୋ ବଲ ବିି କିଣୁଛନ୍ତି ।

ସେପଟେ ବଡଦିନ ପାଳନ ପାଇଁ ଚର୍ଚ୍ଚ ଗୁଡିକ ମଧ୍ୟ ସଜେଇ ହୋଇଛି । କ୍ରିସମସ୍ ଟ୍ରି ଏବଂ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଚର୍ଚ୍ଚ । ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିବାକୁ ଚର୍ଚ୍ଚରେ ବ୍ୟାପକ ଆୟୋଜନ ହୋଇଛି । ଆଲୋକ ମାଳାରେ ଗୁହାଳ, ମଦର ମେରି, ଶିଶୁ ଯୀଶୁ ଏବଂ କ୍ରିସମସ ଟ୍ରି ଝଲସି ଉଠିଛି । ସେପଟେ କନ୍ଧମାଳରେ ବଡଦିନ ପର୍ବକୁ ଧୂମଧାମରେ ପାଳନ କରିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଚର୍ଚ୍ଚରେ ବ୍ୟାପକ ସାଜସଜ୍ଜା ହୋଇଛି। ନାଚ ଗୀତ ଅଭ୍ୟାସ ବି କରାଯାଉଛି । ସେପଟେ ଶାନ୍ତି ଶୃଙ୍ଖଳାର ସହ ପର୍ବ ପାଳନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ କରାଯାଇଛି । ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି କରିଛି ପୋଲିସ ।

ଖ୍ରୀଷ୍ଟମାସ ପୂର୍ବରୁ ପର୍ଯ୍ୟଟନର ସହର ପୁରୀରେ ଜମିଲାଣି ଭିଡ଼ । ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି ଶ୍ରୀକ୍ଷେତ୍ରକୁ । ବଡ ଦାଣ୍ଡରୁ ବେଳାଭୂମି, ସବୁଠି ଜନସମୁଦ୍ର । ପୁରୀରେ ନୂଆ ବର୍ଷ ପାଳନ ପାଇଁ ମଧ୍ୟ ପର୍ଯ୍ୟଟକଙ୍କ ସମାଗମ ହେବାରେ ଲାଗିଛି । ଏଭଳି ସ୍ଥିତିରେ ଭିଡ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦେଇଛି ପୋଲିସ । ମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ସମୁଦ୍ରକୂଳରେ ସ୍ନାନ ଉପରେ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ପୋଲିସ ଓ ଲାଇଫଗାର୍ଡ ମୁତୟନ କରାଯାଇଛି । ସହରର ପ୍ରମୁଖ ସ୍ଥାନରେ ସିସିଟିଭି ଲଗାଯାଇଛି ।

ଶାନ୍ତି ଶୃଙ୍ଖଳାର ସହ ବଡଦିନ ପାଳନ ଲାଗି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ ବାରଖମାରେ ପୋଲିସର ଫ୍ଲାଗମାର୍ଚ୍ଚ । ଏସଡିପିଓ ୟସ୍ ପ୍ରତାପ ଶ୍ରୀମଲଙ୍କ ନେତୃତ୍ୱରେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ଦ୍ବାରା ଫ୍ଲାଗମାର୍ଚ୍ଚ କରାଯାଇଛି । ଅଞ୍ଚଳରେ ସମସ୍ତ ଯାନବାହନ ଯାଞ୍ଚ ସହ ନାକା କରାଯାଇ ସୁରକ୍ଷା କଡାକଡି କରାଯାଉଛି । ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ବାଲିଗୁଡ଼ା ଉପ-ଜିଲ୍ଲାପାଳ ଓ ଏସଡିପିଓ ବାରଖମାରେ ଆୟୋଜିତ ଶାନ୍ତି କମିଟିରେ ଯୋଗ ଦେଇଥିଲେ । ଅଂଚଳରେ ବଡଦିନ ଓ ସ୍ୱର୍ଗତ ଖଗେଶ୍ୱର ମଲିକଙ୍କ ଶ୍ରାଦ୍ଧ ଦିବସ କିଭଳି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ, ସେ ନେଇ ବିଭିନ୍ନ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ଉଭୟ ଅଧିକାରୀ ବାରଖମା ବଜାର ଓ ବିଭିନ୍ନ ଚର୍ଚ୍ଚକୁ ଯାଇ ସୁରକ୍ଷା ସ୍ଥିତିର ସମୀକ୍ଷା କରିଥିଲେ ।