• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: ପ୍ରଭୁ ଯୀଶୁଙ୍କ ଧରାବତରଣ ପ୍ରେମ ଓ ମୈତ୍ରୀର ପ୍ରତୀକ । ଯୀଶୁଙ୍କ ଆଗମନକୁ ନେଇ ଉତ୍ସବମୁଖର ହୋଇ ଉଠିଛି ଚର୍ଚ୍ଚ । ସାମୁହିକ ପ୍ରାର୍ଥନା ଓ ସଙ୍ଗୀତ ଗାଇ ଯୀଶୁଙ୍କ ଜନ୍ମଦିନ ପାଳିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ହେଲେ ବଡଦିନ ଉତ୍ସବ ପାଳନକୁ ଫିକା କରିଦେଇଛି କୋଭିଡ୍ କଟକଣା ।

ମାତ୍ର ୫୦ ଜଣଙ୍କୁ ନେଇ ଚର୍ଚ୍ଚରେ କରାଯାଇଛି ସାମୁହିକ ପ୍ରାର୍ଥନା । ଅଧିକାଂଶ ସ୍ଥାନରେ ଖାଁ ଖାଁ ଗୀର୍ଜା ଘର, ନା ଥିଲା ଅଧିକ ସାଜସଜ୍ଜା ନା ଶ୍ରଦ୍ଧାଳୁଙ୍କ ଭିଡ । ଲୋକେ ଘରେ କେକ୍ କାଟିବା ସହ ପ୍ରାର୍ଥନା କରି ଖ୍ରୀଷ୍ଟମାସ ପାଳିଛନ୍ତି । ଫୁଲବାଣୀର କ୍ୟାଥଲିକ୍ ଚର୍ଚ୍ଚରେ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଗହଣରେ ଉତ୍ସବ ପାଳନ ହୋଇଛି ।

ସେପଟେ କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ କଟକ କ୍ୟାଣ୍ଟନମେଂଟ୍ କ୍ୟାଥଲିକ୍ ଚର୍ଚ୍ଚରେ ଅଧାରୁ ପ୍ରାର୍ଥନା ବନ୍ଦ ହୋଇଥିଲା । ଆଜି ସକାଳୁ ସମୂହ ପ୍ରାର୍ଥନା ବେଳେ ଶତାଧିକ ଲୋକଙ୍କ ଭିଡ ଜମିଥିଲା । ଫଳରେ ପୋଲିସ ପ୍ରାର୍ଥନା ବନ୍ଦ କରିଦେଇଥିଲା ।

ବଡ଼ଦିନ ପାଇଁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଥିଲା । ଲମ୍ବା ଧାଡ଼ିରେ ଯାଇ ଶ୍ରୀଜିଉଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ତେବେ ନୂଆବର୍ଷରେ ପ୍ରବଳ ଭିଡ ଅଶଙ୍କା ଥିବାରୁ ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ତାରିଖରେ ଜଗା ଦର୍ଶନକୁ ବନ୍ଦ କରାଯାଇଛି ।

ସେପଟେ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଭିଡ । ସାଙ୍ଗସାଥୀ ଓ ପରିବାର ସହ ସମୁଦ୍ରରେ ଗାଧୋଇବାର ମଜା ଉଠାଇଛନ୍ତି ହଜାର ହଜାର ପର୍ଯ୍ୟଟକ । କୋଭିଡ୍ ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ କଡା କଟକଣା ଲଗାଇଛି । ହୋଟେଲରେ ବନ୍ଦ ରହିବ ଜିରୋ ନାଇଟ୍ ଓ ନ୍ୟୁ ଇୟର ସେଲିବ୍ରେସନ୍ ।

ଏପଟେ ଫିକା ପଡିଛି ପିକନିକ୍ । ବାଲେଶ୍ୱର ସୀମାନ୍ତ ଉଦୟପୁର ଓ ତାଳସାରୀ ବେଳାଭୂମିରେ ପଡୋଶୀ ରାଜ୍ୟରୁ ଶହ ଶହ ପର୍ଯ୍ୟଟକ ପହଁଚିଥିଲେ ବି ବଣଭୋଜି କରିନପାରି ନିରାଶ ହୋଇ ଫେରିଥିବାର ଦେଖିବାକୁ ମିଳିଛି । ମୟୂରଭଂଜ ଜିଲ୍ଲା କପ୍ତିପଦାରେ ଥିବା କାଳ ଡ୍ୟାମ୍ ବି ଖାଁ ଖାଁ ପଡିରହିଛି । ବଣଭୋଜି କରିବାକୁ ଏଠାରେ ପ୍ରଶାସନ କଟକଣା ଜାରି କରିଛି ।

ସେପେଟ କିନ୍ତୁ ଗଂଜାମର ନାରାୟଣୀ ପୀଠ ପାଦଦେଶରେ ଜମିଛି ଭୋଜିଭାତର ଆସର । ନୂଆ ଭାରିଆଣ୍ଟ ଓମିକ୍ରନ୍ ପାଇଁ ମନରେ ଭୟ ଥିଲେ ବି ପାଖାପାଖି ୨ ବର୍ଷ ପରେ ଏକାଠି ହେବାର ଖୁସି ମନାଇଛନ୍ତି ଅନେକ ପର୍ଯ୍ୟଟକ । ନୂଆପଡାର ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସ୍ଥଳରେ ମଧ୍ୟ ଭିଡ଼ ଜମିଛି ।