• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି। ଜ୍ୟୋତିର୍ବିଦମାନେ ଏହାକୁ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ ବୋଲି କହୁ ଥିବାବେଳେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ନୀତି ନିର୍ଘଣ୍ଟ ହୋଇଛି। ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ। ୮ ତାରିଖ ରାତି ୧୨ଟା ୧୦ରେ ଦ୍ୱାର ଫିଟା ଯାଇ ଅନ୍ୟ ନୀତିକାନ୍ତି ସହ ସୁନାବେଶ ଓ ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। 

ଅଧିକ ପଢ଼ନ୍ତୁ:ଏହିସବୁ ରାଶି ଉପରେ ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବ ପଡ଼ିପାରେ...

କାଲି ଆକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଗୋଟିଏ ସରଳ ରେଖାରେ ରହିବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର। ଚଳିତ ବର୍ଷର ଏହା ଶେଷ ତଥା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୋଇଥିବା ବେଳେ ପୃଥିବୀ ଛାୟାରେ ଏହା ନାଲି ରଙ୍ଗର ଦେଖାଯିବ। ଭାରତ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକାର କିଛି ସ୍ଥାନ, ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଦୀର୍ଘ ୧ ଘଣ୍ଟା ୨୫ ମିନିଟ ଧରି ଦୃଶ୍ୟମାନ ହେବ। ତେବେ ଓଡ଼ିଶାରେ ଏହା ଦେଖାଯିବ ନାହିଁ।  ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରପରାଗକୁ ସମସ୍ତେ ଖାଲି ଆଖିରେ ଦେଖିପାରିବେ। ସୂର୍ଯ୍ୟୋପରାଗ ଭଳି ଚନ୍ଦ୍ରଗ୍ରହଣ ଦେଖିବାକୁ ଦୂରବୀକ୍ଷଣ ଯନ୍ତ୍ର କିମ୍ବା କୌଣସି ଯନ୍ତ୍ରାଂଶର ଆବଶ୍ୟକତା ପଡ଼ିବ ନାହିଁ।

ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବା ବେଳେ ସର୍ବମୋକ୍ଷ ହେବ ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ। ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ, ସକାଳ ୮ଟା ୨୯ରୁ ଅନ୍ନ ଭୋଜନ, ପାକ, ଦେବ ନୀତି ନିଷେଧ। କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାଶଙ୍କ ମତରେ ଅପରାହ୍ଣ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବାରୁ ଏହାର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସକାଳ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରୁ ଅନ୍ନ ଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ ସଂଶୋଧିତ ପାଞ୍ଜିରେ ଏହା ଲେଖା ଅଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଚନ୍ଦ୍ରଗ୍ରହଣକୁ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ କୁହାଯାଉଛି। ଏହି ଦିନ କାର୍ତ୍ତିକ ପୂର୍ଣ୍ଣିମା ପଡୁଥିବା ବେଳେ ମହାପ୍ରଭୁଙ୍କର ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ତେଣୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏନେଇ ଛତିଶା ନିଯୋଗ ବୈଠକରେ ପୂର୍ବରୁ ନିଷ୍ପତ୍ତି ହୋଇଛି। ତେବେ ଦେବ ନୀତି ନିଷେଧ ଓ ଚନ୍ଦ୍ରଗ୍ରହଣ ସ୍ୱତନ୍ତ୍ର ନୀତି ଯୋଗୁ ଶ୍ରଦ୍ଧାଳୁମାନେ ଦୁର୍ଲଭ ସୁନାବେଶ ଦେଖିପାରିବେ କି ନାହିଁ, ତାହା ଅସ୍ପଷ୍ଟ ରହିଛି। 

(ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀ ଓ ପୁରୀରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ)