• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ବିଶ୍ୱକର୍ମା ପୂଜା । ବିଭିନ୍ନ କାରଖାନା ଓ ଆଇଟିଆଇ ଗୁଡ଼ିକରେ ପୂଜା ପାଇବେ ପ୍ରଭୂ ବିଶ୍ୱକର୍ମା । ଏଥିପାଇଁ ସବୁଠି ଜୋରଦାର ପ୍ରସ୍ତୁତି ଚାଲିଛି । ବ୍ରହ୍ମପୁର ଆଇଟିଆଇରେ ମଧ୍ୟ ଛାତ୍ରଛାତ୍ରୀମାନେ ବ୍ୟାପକ ଆୟୋଜନ କରିଛନ୍ତି । ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ନିର୍ମାଣ କରିଛନ୍ତି ଦେବଶିଳ୍ପୀଙ୍କ ଏକ ନିଆରା ମୂର୍ତ୍ତି । ଯେଉଁଠି ମୁଣ୍ଡିଆ ମାରିଲେ ଆଶୀର୍ବାଦ ଦେଉଛନ୍ତି ଦେବଶିଳ୍ପୀ । ଖାଲି ସେତିକି ନୁହେଁ, ଅଦରକାରୀ ଯନ୍ତ୍ରାଂଶକୁ ନେଇ ସାଜସଜା ବି ହୋଇଛି ।

ମୁଣ୍ଡିଆ ମାରିଲେ ଆଶୀର୍ବାଦ ଦେବେ ଦେବଶିଳ୍ପୀ ବିଶ୍ୱକର୍ମା । ନିଜ ହାତର ପାପୁଲି ହଲାଇ ଶ୍ରଦ୍ଧାଳୁଙ୍କୁ ଦେବେ ଆଶୀର୍ବାଦ । ଦେବଶିଳ୍ପୀଙ୍କ ଏଭଳି ଏକ ନିଆରା ମୂର୍ତ୍ତି ନିର୍ମାଣ କରିଛନ୍ତି ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀମାନେ ପ୍ରଭୁ ବିଶ୍ୱକର୍ମାଙ୍କ ସୁନ୍ଦର ମୂର୍ତ୍ତି ସହ ଏଭଳି ଡାଇନାମିକ୍ ପାପୁଲି ତିଆରି କରିଛନ୍ତି ଛାତ୍ରଛାତ୍ରୀ । ପାପୁଲିରେ ପଛ ପାଖରେ ଲାଗିଛି ଏକ ମୋଟର, ତା ସହ ଅନ୍ୟାନ୍ୟ ତାର ଓ ଯନ୍ତ୍ରାଂଶ । ପାପୁଲିର ସମ୍ମୁଖ ପାଖରେ ଲାଗିଛି ଏକ ସେନ୍ସର । ସେନ୍ସର ସମ୍ମୁଖକୁ ଯେ କେହିବି ଆସିଲେ ଏହା ଆକ୍ଟିଭେଟ୍ ହେବା ସହ ଏକ ବିପ୍ ସାଉଣ୍ଡ କରି ହାତ ପାପୁଲି ଆଶୀର୍ବାଦ ଦେବା ଭଳି ପୋଜିସନ୍‌କୁ ଆସିଯାଉଛି । ଏଭଳି ଏକ ନିଆରା ମୂର୍ତ୍ତି ନିର୍ମାଣ କରି ଛାତ୍ରଛାତ୍ରୀମାନେ ବେସ୍ ଉତ୍ସାହିତ ଅଛନ୍ତି । 

ପ୍ରଭୁ ବିଶ୍ୱକର୍ମାଙ୍କ ମୂର୍ତ୍ତି ପାଖରେ ରହିଛି ଏକ ସୁନ୍ଦର ଗଛ, ଯାହା ସଂପୂର୍ଣ୍ଣ ଭାବେ ୱେଷ୍ଟ ମାଟେରିଆଲରୁ ପ୍ରସ୍ତୁତ ହୋଇଛି । ଗାଡ଼ିର ଭଙ୍ଗା ପାର୍ଟସ୍ ସବୁକୁ ଖଞ୍ଜି ଏକ ସୁନ୍ଦର ବୃକ୍ଷ ଛିଡ଼ା କରିଛନ୍ତି ପିଲାମାନେ । ଖାଲି ଏହି ଗଛ କାହିଁକି ବିଶ୍ୱକର୍ମାଙ୍କ ମୂର୍ତ୍ତି ମଧ୍ୟ ଛାତ୍ରଛାତ୍ରୀମାନେ ନିଜେ ଗଢ଼ିଛନ୍ତି । ନଡ଼ା, ପାଳ ଓ ମାଟିରେ ଛାଞ୍ଚ କରାଯିବା ପରେ ସେଥିରେ ୱାଟର ପେଣ୍ଟ ଏବଂ ଆକ୍ରିଲିକ୍ କଲର ଲଗାଯାଇ ମୂର୍ତ୍ତି ଗଢ଼ାଯାଇଛି । ସପ୍ତାହକ ଭିତରେ ଦେବଶିଳ୍ପୀଙ୍କ ଏହି ୧୨ ଫୁଟ୍‌ର ମୂର୍ତ୍ତି ନିର୍ମାଣ କରିଛନ୍ତି ଛାତ୍ରଛାତ୍ରୀମାନେ । ପିଲାଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଏଭଳି ଟ୍ରେନିଂ ଦିଆଯାଉଛି । ଆଗକୁ ଆହୁରି ଏଭଳି ଡାଇନାମିକ୍ ମୂର୍ତ୍ତି ତିଆରି ପାଇଁ ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ରଖିଛନ୍ତି।

ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପଲ୍ଲୀଠୁ ସହର ସବୁଠି ବିଶ୍ୱକର୍ମାଙ୍କୁ ଆବାହାନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଖାସକରି ବିଶ୍ୱକର୍ମା ପୂଜା ପାଇଁ ଅନୁଗୋଳର ନାଲକୋ ନଗର ଚଳଚଞ୍ଚଳ ହୋଇଉଠିଛି । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେଲା ପୂଜା ମଣ୍ଡପରେ ଦେବଶିଳ୍ପୀଙ୍କ ଆରାଧନା ହୋଇ ପାରିନଥିଲା । ଚଳିତବର୍ଷ ନାଲକୋ ନଗରରେ ୧୭ଟି ପୂଜା ମଣ୍ଡପରେ ହେଉଛି । ଦେବଶିଳ୍ପୀଙ୍କ ଆବାହନ ବିଭିନ୍ନ ପୂଜାମଣ୍ଡପକୁ ଆକର୍ଷଣୀୟ କରାଯାଇଛି  କେଉଁଠି ସାମ୍ପ୍ରତିକ ଘଟଣାବଳୀକୁ ନେଇ ତ ଆଉ କେଉଁ ମଣ୍ଡପରେ ପୌରାଣିକ କଥାବସ୍ତୁକୁ ନେଇ ହୋଇଛି ମୂର୍ତ୍ତି ନିର୍ମାଣ । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ଓ ଦର୍ଶକ ତଥା ଶ୍ରଦ୍ଧାଳୁଙ୍କ ନିମନ୍ତେ ନାଲକୋ ପ୍ରଶାସନ ତରଫରୁ ଗ୍ରହଣ କରାଯାଇଛି ବ୍ୟାପକ ପଦକ୍ଷେପ ।

(ରିପୋର୍ଟ- ଜଗନ୍ନାଥ ସାହୁ, ବ୍ରହ୍ମପୁର)