• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଡିଜେ ବାଜିବ...ବାଜା ବାଜିବ...ଝିଲମିଲ ଆଲୁଅରେ ଏରିଆ କମ୍ପିବ । ସମ୍ବଲପୁରୀ ହେଉ କି ନାକାବନ୍ଦୀ ହେଉ...ଗୀତରେ ତାଳେ ତାଳେ ଅଣ୍ଟା ହଲେଇବେ ଲୋକାଲ ପିଲା । ହାତରେ ଆଉ ମାତ୍ର ଦିନ କେଇଟା । ବିଭିନ୍ନ ପୂଜାମଣ୍ଡପରେ ପୂଜା ପାଇବେ ବିଘ୍ନନାଶକ ପ୍ରଭୁ ଶ୍ରୀଗଣେଶ । ଆଉ ପୂଜା ପାଇଁ ଚଳଚଂଚଳ ହେଲାଣି ଭଦ୍ରକ ସହର । ଟୋକା ହେଉ କି ବୁଢା ଗଣେଶ । ପ୍ରସ୍ତୁତି ପହଞ୍ଚିଲାଣି ଶେଷ ପର୍ଯ୍ୟାୟରେ ।

ଦିନ କେଇଟା ପରେ ଦୁଲୁକିବ ପୂଜା ମଣ୍ଡପ , ଧରାବତରଣ କରିବେ ବିଘ୍ନ ବିନାଶକ । ସେଥିଲାଗି ତ ଏବେଠୁ ଭଦ୍ରକ ସହରରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଖାସ୍‌ କରି ବୁଢା ଗଣେଶଙ୍କ ମଣ୍ଡପରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଏହି ସ୍ଥାନର ମହାତ୍ମ୍ୟକୁ ନେଇ ପୂରା ଜିଲ୍ଲାରେ ଚର୍ଚ୍ଚା ହୁଏ । କାରଣ ପ୍ରତିବର୍ଷ ସମାନ ଉଚ୍ଚତାର ମୂର୍ତ୍ତି ଏଠାରେ ତିଆରି ହେଉଥିବା ବେଳେ ଭକ୍ତଟିଏ ଯାହା ମାନସିକ କରେ ତାହା ପୂରଣ ହୁଏ । ସପ୍ତାହେ କି ଦୁଇ ସପ୍ତାହ ନୁହେଁ ବରଂ ପୂରା ୩୦ ଦିନ ଅର୍ଥାତ୍‌ ଗୋଟିଏ ମାସ ପର୍ଯ୍ୟନ୍ତ ଏଠାରେ ଚାଲେ ପୂଜା । ଆଉ ପ୍ରତିଦିନ ନୀତି ବି ହୁଏ । ତେଣୁ ଭକ୍ତଙ୍କର ଲାଗେ ଅସମ୍ଭବ ପ୍ରକାର ଭିଡ ।

ଖାଲି ଜିଲ୍ଲା କି ଜିଲ୍ଲା ବାହାରରୁ ଭକ୍ତ ଆସନ୍ତି ତାହା ନୁହେଁ ବରଂ ରାଜ୍ୟ ବାହାରୁ ବି ମାନସିକଧାରୀମାନେ ବୁଢା ଗଣେଶଙ୍କ ଦର୍ଶନ ପାଇଁ ଭିଡ ଜମାନ୍ତି । ପୂଜା ଯେତିକି ଆଡମ୍ବରର ସହ ଚାଲେ, ବିସର୍ଜନ ବି ସେତିକି ଉତ୍କଣ୍ଠାର ସହ କରନ୍ତି କମିଟି ମେମ୍ବର । ତେବେ ଏଥର ଚାନ୍ଦି ମେଢରେ ଗଣପତି ପୂଜା ପାଇବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । କେବଳ ଏତିକି ନୁହେଁ ବରଂ ପୂଜା କେମିତି ସୂଚାରୁରୂପରେ ହୋଇପାରିବ ? କେମିତି ଶାନ୍ତିଶୃଙ୍ଖଳାରେ ଭକ୍ତ ଗଣେଶଙ୍କ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଏଥର ପୂରା ଭଦ୍ରକରେ ଜମାଣିଆ ପୂଜାର ଆୟୋଜନ ହେଉଥିବା ବେଳେ ବାବା ବୁଢା , ଟୋକା , ପିଲା ଓ କାଞ୍ଚନ ଗଣେଶଙ୍କ ପୂଜା ବେଶ ଆକର୍ଷଣୀୟ ହେବ ବୋଲି ଆଲୋଚନା ହେଉଛି ।

 

  • Reported by:
  • Partha Sarathi nayak