• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମନ ମୋହୁଛି କଟକର ଐତିହାସିକ ବାଲିଯାତ୍ରା । ଏଥର ବାଲିଯାତ୍ରାରେ ପଡିଛି ଭିନ୍ନ ଏକ ନାଁ ଥିବା ଚା ଦୋକାନ । ଚା ର ନାଁ ରହିଛି ଗବ୍ବର ଚାଏ । ଏହି ଚାର ନାଁ ଶୁଣିବାକୁ ଯେମିତି ରୋଚକପୂର୍ଣ୍ଣ, ସେତିକି ସୁଆଦିଆ । ସେଥିପାଇଁ ତ ଦୋକାନରେ ଗ୍ରାହକଙ୍କ ଭିଡ ହଟିବାର ନାଁ ନେଉନି । ଶୀତଦିନରେ ଏମିତି ବି ଚା’ ଦୋକାନରେ ବେଶ୍‌ ଭିଡ଼ ଜମେ । ଶୀତୁଆ ପାଗକୁ ବାଲିଯାତ୍ରା ଭିଡ଼ରେ ଲୋକେ ଜମାଉଛନ୍ତି ଗବ୍ବର ଚାଏରେ ଭିଡ଼ ।

ଦିନକୁ ଦିନ ଜମୁଛି ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରାରେ ସନ୍ଧ୍ୟା ବେଳକୁ ବେଶ ଭିଡ ଜମୁଛି । ପ୍ରତ୍ୟେକ ଦିନ ହଜାର ହଜାର ଦର୍ଶକ ମେଳା ବୁଲିବାକୁ ଆସୁଛନ୍ତି । କିଣାକିଣି ସାଙ୍ଗକୁ ବିଭିନ୍ନ ପ୍ରକାରର ଦୋଳିର ମଜା ଉଠାଉଛନ୍ତି । ଖାଲି ଦୋଳି ନୁହେଁ, ବାରିପଦା ମୁଢିମାଂସ ଖାଦ୍ୟ ସାଙ୍ଗକୁ ଓରମାସ ଫୁଡଷ୍ଟଲରୁ ମଜା ଉଠାଉଛନ୍ତି ସଭିଁଏ । ତା’ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରୁଛନ୍ତି ପିଲାଠୁ ବୁଢା ।

ପ୍ରତିବର୍ଷ ଭଳି ଏବର୍ଷ ବି ପ୍ରମୁଖ ଆକର୍ଷଣ ପାଲଟିଛି ଓଡ଼ିଶାର ପାରମ୍ପରିକ ପିଠାର ସ୍ୱତନ୍ତ୍ର ଷ୍ଟଲ୍ । ଆଉ ଏସବୁ ପିଠାକୁ ପ୍ରସ୍ତୁତ କରିଛନ୍ତି ମିଶନ ଶକ୍ତିର ମହିଳା ମାନେ । କଟକରେ ଥିବା ମା ମହାଲକ୍ଷ୍ମୀ ମହିଳା ମିଶନ ଶକ୍ତିର ପ୍ରାୟ ୯୦ ଜଣ ମହିଳା ଓଡ଼ିଆଣୀ ଘରର ସେହି ପାରମ୍ପରିକ ପିଠା କାକରା ଠାରୁ ଆରମ୍ଭ କରି ଆରିସା, ମଣ୍ଡା,ଚକୁଳି ଆହୁରି କେତେ କଣ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ପ୍ରାୟ ୧୪୨ରୁ ଉର୍ଦ୍ଧ ପ୍ରକାରର ଏସବୁ ପିଠାର ମଜା ନେଉଛନ୍ତି ଦର୍ଶକ ।

ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ । ଚଳିତବର୍ଷ ବାଲିଯାତ୍ରା ପଡିଆରେ ଲୋକଙ୍କୁ ମିଳିଛି ଏକ ନିଆରା ଅନୁଭୂତି । ପ୍ରଥମଥର ପାଇଁ ତିଆରି ହୋଇଛି ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ । ଯେଉଁଠି ଦର୍ଶକ ସମୁଦ୍ର ଭିତରେ ଚାଲି ଚାଲି ଯିବାର ଅନୁଭବ ସହ ଅସଂଖ୍ୟ ମାଛ ଦେଖିବାର ମଜା ଉଠାଇପାରିବେ ।

ଟନେଲ୍ ଭିତରେ ସମୁଦ୍ର ତଳର ନିଆରା ଅନୁଭୂତି । ଯୁଆଡେ ଆଖି ବୁଲାଇବେ, ଦେଖିବାକୁ ମିଳିବ ଭଳିକି ଭଳି ଜଳଜୀବ । କଳା, ଧଳା, ନାଲି, ହଳଦିଆ, ଛାପିଛାପିକା ମାଛ ସାଂଗକୁ ଛୋଟ ସାର୍କ, ଜେଲି ଫିସ ଆଉ କେତେ କଣ । କଟକ ବାଲିଯାତ୍ରା ପଡିଆରେ କରାଯାଇଥିବା ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ ୨୦୦ ଫୁଟ ଲମ୍ବ, ୬୦ ଫୁଟ ଚଉଡ଼ା । ଏହି ଟନେଲରେ ରହିଛି ହଜାରରୁ ଅଧିକ ପ୍ରଜାତିର ସାମୁଦ୍ରିକ ମାଛ । ଟନେଲରେ ପଶିଲେ ଆପଣଙ୍କୁ ଲାଗିବ ଯେମିତି ସମୁଦ୍ର ଭିତରେ ଆପଣ ଚାଲି ଚାଲି ଯାଉଛନ୍ତି ।

କେବଳ ଯେ ଏହି ଅଣ୍ଡର ୱାଟର ଟନେଲ ଆକ୍ୱାରିୟମ ଭିତରେ ମାଛ ଅଛନ୍ତି, ତାନୁହେଁ ବରଂ ଫଟୋ ସେସନ୍ ପାଇଁ ବଡ ବଡ ହାତୀ ପ୍ରତିମୂର୍ତ୍ତି ବି ରହିଛି । ଲୋକେ ବୁଲି ବୁଲି ମାଛ ଦେଖିବା ସହ ହାତୀ ପ୍ରତିମୂର୍ତ୍ତି ପାଖରେ ଠିଆ ହୋଇ ଫଟୋ ବି ଉଠାଉଛନ୍ତି ।

ବାଲିଯାତ୍ରାରେ ମିଳିଛି ଗାଁର ଅନୁଭୂତି । ଗାଁ ପୋଖରୀ, ମନ୍ଦିର, ଗାଈ ଗୁହାଳ, ଚାଷ ବାସ ସବୁକିଛି ଦେଖିବାକୁ ମିଳିଛି ବାଲିଯାତ୍ରାରେ। ମାଟି ଚାଳ ଘର ଠାରୁ ଆରମ୍ଭ କରି ମାଟି ଚୂଲି ଏବଂ ଗାଁର ଚାଲିଚଳଣି ଥିମ୍‌ରେ ସଜେଇ ହୋଇଛି କଟକ ଇନ୍ କଟକ ପାଭିଲିଅନ୍ ।