• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ମହାପ୍ରଭୁ ଶିବଙ୍କର ମହାଶିବରାତ୍ରି । ଶିବରାତ୍ରି ପାଳନ ପାଇଁ ବିଶାଖାପାଟଣା ସହର ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଚଳିତ ବର୍ଷ ବହୁ ଆଡମ୍ବରରେ ସାରା ସହରରେ ଶିବରାତ୍ରି ପାଳନ ହେଉଛି । ସହରର ବିଭିନ୍ନ ଶୈବପୀଠ ଗୁଡିକରେ ସକାଳ ୪ ଘଣ୍ଟା ଠାରୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏପରିକି ଠାକୁର ଦର୍ଶନ ପାଇଁ ଭକ୍ତ ମାନେ ଖରାକୁ ଭୃକ୍ଷେପ ନକରି କିଲୋମିଟର ଯାଏ ଲମ୍ବା ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ତେବେ ମହାଶିବରାତ୍ରି ଉପଲକ୍ଷେ ବିଶାଖାପାଟଣା ସହରର ରାମକ୍ରିଷ୍ଣା ବିଚ ସମୁଦ୍ର କୂଳରେ ୧ ଲକ୍ଷ ୧ ଛୋଟ ଛୋଟ ଶିବ ଲିଙ୍ଗ ଦ୍ୱାରା ୧୮ ଫୁଟ ଉଚ୍ଚତାରେ ଗୋଟିଏ ବିରାଟକାୟ ଶିବଲିଙ୍ଗର ନିର୍ମାଣ କରଯାଇଛି । ଏଠାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ପୂର୍ବତନ ସାଂସଦ ଓ ରାଜ୍ୟସଭା ସଦସ୍ୟ ଟି.ସୁବୀରମୀ ରେଡ୍ଡୀ ସହର ବାସୀଙ୍କ ପାଇଁ ପୂଜାର୍ଚ୍ଚନା କରୁଛନ୍ତି । ଶ୍ରୀ ରେଡ୍ଡୀଙ୍କ ଉପସ୍ଥିତିରେ ଏଠାରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଏଠାରେ ନିର୍ମିତ ବିରାଟକାୟ ଶିବଙ୍କ ଲିଙ୍ଗରେ ଜଳାପର୍ଣ ପାଇଁ ଲକ୍ଷ ଲକ୍ଷ ଭକ୍ତ ରାମକ୍ରିଷ୍ଣା ବିଚ ସମୁଦ୍ର କୂଳରେ ପହଁଞ୍ଚିଥିବା ଦେଖିବା ପାଇଁ ମିଳିଛି ।

ଶିବଲିଙ୍ଗର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଆଖ ପାଖ ଜିଲାରୁ ଲକ୍ଷ ଲକ୍ଷ ଭକ୍ତ ବିଶାଖାପାଟଣାରେ ପହଂଚିଛନ୍ତି । ଭକ୍ତଙ୍କ ସହ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବିଶାଳ ଶିବଲିଙ୍ଗ ।  ଭକ୍ତଙ୍କ "ଓଁ ନମଃ ଶିବାୟ" ସ୍ୱରରେ ସାରା ସମୁଦ୍ର କୁଳ ଏକ ଭକ୍ତି ଓ ଆନନ୍ଦମୟ ପରିବେଶ ସୃଷ୍ଟି କରିଛି । ସନ୍ଧ୍ୟା ୬ ଟା ଠାରେ ଜାଗର ପାଳନ କରୁଥିବା ଭକ୍ତଙ୍କ ପାଇଁ ଗୋଟିଏ ଯଜ୍ଞର ଆୟୋଜନ କରାଯାଇଥିବା ବେଳେ ରାତ୍ରିରେ ତେଲୁଗୁ ସିନେମା କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

ସେହିପରି ଶିବରାତ୍ରି ପାଳନରେ ଚଳିତ ବର୍ଷ ସମସ୍ତଙ୍କଠୁ ଆଗରେ ରହିଛନ୍ତି ବିଶାଖାପାଟଣାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନେ । ସହରର ଦଶପଲ୍ଲା ହିଲସ ନିକଟ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ରହିଛି ଥିବା ଶିବ ମନ୍ଦିରରେ ଶିବରାତ୍ରି ପାଳନ ପାଇଁ ଲକ୍ଷାଧିକ ପ୍ରବାସୀ ଓଡ଼ିଆଙ୍କ ଭିଡ ଜମିଥିଲା । ଏଠାରେ ପ୍ରବାସୀ ଓଡ଼ିଆ ମାନେ ଏକତ୍ରିତ ହୋଇ ଆଜି ମହାଶିବରାତ୍ରରେ ପୃଥିବୀରେ ଶାନ୍ତିମାୟ ପରିବେଶ ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ।

ସହର ଅଗ୍ରଣୀ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ଭକ୍ତଙ୍କ ପାଇଁ ସକାଳ ଓ ସନ୍ଧ୍ୟାରେ ସ୍ୱତନ୍ତ୍ର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଜାଗର ପାଳନ କରୁଥିବା ଭକ୍ତଂକ ପାଇଁ ସନ୍ଧ୍ୟାରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ରାତ୍ରି ୧୨ ସମୟରେ ମହାଦୀପ ଚଢ଼ାଯିବ ପରେ ଜାଗର ପାଳନ ପାଇଁ ଭକ୍ତଙ୍କ ପାଇଁ କିଛି ପ୍ରମୁଖ ଆକର୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଚଳିତ ବର୍ଷ ଶିବରାତ୍ରି ପାଳନ ସମୟରେ ବିଶାଖାପାଟଣା ସହରରେ ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସହରର ସମସ୍ତ ଶୈବପୀଠରେ ସ୍ୱତନ୍ତ୍ର ପୋଲିସ ମୁତୟନ କରାଯାଇଛି । ରାତିରେ ଜାଗର ପାଳନ ସମୟରେ ସମସ୍ତ ଅପ୍ରୀତିକର ପରିସ୍ଥିତକୁ ସମ୍ଭାଳିବା ୨୦ ପ୍ଲାଟୁନ ସ୍ୱତନ୍ତ୍ର ପୋଲିସ ବାହିନୀ ଗଠନ କରାଯାଇଥିବା ଜଣାପଡିଛି ।

ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣଙ୍କ ରିପୋର୍ଟ