• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହିନ୍ଦୁ ଧର୍ମର ଅନେକ ପର୍ବ ମଧ୍ୟରୁ ଅକ୍ଷୟ ତୃତୀୟାକୁ ସ୍ୱତନ୍ତ୍ର ଏବଂ ଶୁଭ ବୋଲି ବିବେଚନା କରାଯାଏ । ସମଗ୍ର ଦେଶରେ ଏହି ଦିନଟିକୁ ଏକ ଉତ୍ସବ ପରି ପାଳନ କରାଯାଏ । ଅକ୍ଷୟ ତୃତୀୟା ଦିନ ଶୁଭକାମ ଆରମ୍ଭ କଲେ ସକରାତ୍ମକ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଅକ୍ଷୟ ତୃତୀୟା ଦିନଟି ଭାଗ୍ୟ ଏବଂ ଭବିଷ୍ୟର ସଫଳତା ସହିତ ଜଡିତ । କେବଳ ହିନ୍ଦୁମାନଙ୍କ ପାଇଁ ନୁହେଁ ବରଂ ଜୈନ ଧର୍ମ ପାଇଁ ମଧ୍ୟ ଅନେକ ଗୁରୁତ୍ୱ ବହନ କରେ ଏହି ପର୍ବ ।

ଅକ୍ଷୟ ତୃତୀୟା ଓ ମହାଭାରତ

ଅକ୍ଷୟ ତୃତୀୟା ମହାଭାରତ ସହିତ ଜଡିତ । ଋଷି ବେଦବ୍ୟାସଙ୍କ କହିବା ଅନୁଯାୟୀ ଭଗବାନ ଗଣେଶ ଏହି ଦିନ ମହାଭାରତର କାହାଣୀ ଲେଖିବା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ ଏହି ଗ୍ରନ୍ଥରେ ଦର୍ଶାଯାଇଛି, ଭଗବାନ ଶ୍ରୀକୃଷ୍ଣ ପାଣ୍ଡବଙ୍କୁ ଏକ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ, ଯାହା କେବେ ଖାଲି ନଥିଲା । ଏହି କାରଣରୁ ପାଣ୍ଡବମାନେ ଖାଦ୍ୟର ଅଭାବ ଅନୁଭବ କରିନଥିଲେ ।

ଅକ୍ଷୟ ତୃତୀୟା ଏବଂ ଦେବୀ ଅନ୍ନପୂର୍ଣ୍ଣାଙ୍କ ଜନ୍ମ

ଦେବୀ ଅନ୍ନପୂର୍ଣ୍ଣା ଅକ୍ଷୟ ତୃତୀୟା ଦିନ ଜନ୍ମ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ । ଅନ୍ନପୂର୍ଣ୍ଣାଙ୍କୁ ପାର୍ବତୀଙ୍କ ଅବତାର ଭାବରେ ବିବେଚନା କରାଯାଏ । ଯେବେ ଭଗବାନ ଶିବ ଭିକାରୀ ରୂପରେ ତାଙ୍କ ନିକଟକୁ ଯାଇଥିଲେ, ସେତେବେଳେ ଦେବୀ ଅନ୍ନପୂର୍ଣ୍ଣା ନିଜେ ଭଗବାନ ଶିବଙ୍କୁ ଖାଦ୍ୟ ଖାଇବାକୁ ଦେଲେ ।

କୃଷ୍ଣ ଓ ସୁଦାମାଙ୍କ କାହାଣୀ

କୃଷ୍ଣ ଏବଂ ସୁଦାମାଙ୍କ ସହିତ ଅକ୍ଷୟ ତୃତୀୟାର ଆଉ ଏକ କିମ୍ବଦନ୍ତୀ ଜଡିତ । ଶ୍ରୀକୃଷ୍ଣ ଏବଂ ସୁଦାମା ପିଲାଦିନର ବନ୍ଧୁ ଥିଲେ । ତେବେ ସୁଦାମା ଅତ୍ୟନ୍ତ ଗରିବ ହୋଇଥିବାରୁ ଅକ୍ଷୟ ତୃତୀୟା ଦିନ ସାହାଯ୍ୟ ମାଗିବାକୁ ଭଗବାନ୍‌ ଶ୍ରୀ କୃଷ୍ଣଙ୍କ ନିକଟରେ ପହଞ୍ଚିଥିଲେ । ବନ୍ଧୁକୁ ଦେବାକୁ କିଛି ନଥିବାରୁ ହାତରେ କେଇ ମୁଠା ଖୁଦ ଧରି ସେ ଦରବାରରେ ପହଞ୍ଚିଥିଲେ । ତେବେ ବନ୍ଧୁଙ୍କୁ ଦେ‍ଖିବା ପରେ ଭଗବାନ ଶ୍ରୀକୃଷ୍ଣ ସୁଦାମାଙ୍କୁ ରାଜକୀୟ ଢ଼ଙ୍ଗରେ ସ୍ୱାଗତ କରିଥିଲେ । ତେବେ ସୁଦାମା ଏତେ ସମ୍ମାନ ପାଇବା ପରେ ଶ୍ରୀକୃଷ୍ଣଙ୍କ ଠାରୁ କିଛି ସାହାଯ୍ୟ ମାଗି ପାରିନଥିଲେ । ହେଲେ ସେ ଫେରି ଆସିବା ପରେ ଦେଖିଲେ ତାଙ୍କର ଛୋଟ କୁଟୀରଟି ଏକ ପ୍ରାସାଦରେ ପରିଣତ ହୋଇଛି ।

ଅକ୍ଷୟ ତୃତୀୟା ଏବଂ କୁବେର

କୁହାଯାଏ କୁବେରଙ୍କ ଧନ କେବେ ବି ଶେଷ ହୁଏ ନାହିଁ ଏବଂ ତାଙ୍କୁ ସ୍ୱର୍ଗର ମାଲିକ ଭାବରେ ବିବେଚନା କରାଯାଏ । ଶିବପୁରୀ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜା କରିବା ପରେ କୁବେର ଏହି ଦିନ ସମସ୍ତ ସମ୍ପତ୍ତି ପ୍ରାପ୍ତ କରିଥିଲେ । ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ମଧ୍ୟ ଧନର ଦେବୀ କରାଯାଇଥିଲା ଏବଂ କୁବେର ଏବଂ ଲକ୍ଷ୍ମୀଙ୍କୁ ଧନ ରକ୍ଷକ କରାଯାଇଥିଲା ।

ଅକ୍ଷୟ ତୃତୀୟା ଏବଂ ମାତା ଗଙ୍ଗାଙ୍କ କାହାଣୀ

ମାତା ଗଙ୍ଗା ଅକ୍ଷୟ ତୃତୀୟା ଦିନ ସ୍ୱର୍ଗରୁ ପୃଥିବୀକୁ ଆସିଥିଲେ ବୋଲି ବିଶ୍ୱାସ ରହିଛି । କୁହାଯାଏ ମାତା ଗଙ୍ଗାଙ୍କ ପୃଥିବୀ ଆଗମନ ପଛର କାରଣ ହେଉଛି ମନୁଷ୍ୟକୁ ପାପରୁ ମୁକ୍ତ କରିବା । ଅକ୍ଷୟ ତୃତୀୟା ସହିତ ଜଡିତ ଏଭଳି ପୌରାଣିକ କାହାଣୀ ଏହି ଦିନର ସ୍ୱୀକୃତିକୁ ଆହୁରି ବଢ଼ାଇଦେଇଥାଏ ।