Advertisment

ଜଗନ୍ନାଥ ସଂସ୍କୃତିରେ କିପରି ପାଳିତ ହୁଏ ଅକ୍ଷୟ ତୃତୀୟା

କୃଷିର ପର୍ବ ଅକ୍ଷୟ ତୃତୀୟା। ଏହିଦିନଟି ଓଡିଶାର ସଂସ୍କୃତି ସହିତ ମଧ୍ୟ ଓତଃପ୍ରୋତ ଭାବେ ଜଡିତ। ଜଗନ୍ନାଥ ସଂସ୍କୃତିରେ ଏହାର ଅନେକ ଉଦାହରଣ ରହିଛି। ତେବେ ଏହା କିପରି ଜଗନ୍ନାଥ ସଂସ୍କୃତିରେ ରହିଛି ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Akshaya Tritiya in Shree Jagannath Sanskruti

Akshaya Tritiya in Shree Jagannath Sanskruti

ବୈଶାଖ ଶୁକ୍ଳ ତୃତୀୟା ଯେବେ ଆସେ ଅକ୍ଷୟ ତୃତୀୟା ପାଳନ ହୁଏ। ଏହି ଦିନକୁ କୃଷକ ଦିବସ ରୂପେ ପାଳନ କରାଯାଏ। କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରେ। ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ମଧ୍ୟ ହୁଏ।

Advertisment

ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ, ବିହନଭରା ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂଆ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ। ଏହାକୁ ଅକ୍ଷିମୁଠି କୁହାଯାଏ। ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି । ଏହିଦିନଟି ଓଡିଶାର ସଂସ୍କୃତି ସହିତ ମଧ୍ୟ ଓତଃପ୍ରୋତ ଭାବେ ଜଡିତ। ଜଗନ୍ନାଥ ସଂସ୍କୃତିରେ ଏହାର ଅନେକ ଉଦାହରଣ ରହିଛି। ତେବେ ଏହା କିପରି ଜଗନ୍ନାଥ ସଂସ୍କୃତିରେ ରହିଛି ଆସନ୍ତୁ ଜାଣିବା।

ରଥ କାଠ ଅନୁକୂଳ:

ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ କାଠ ଅନୁକୂଳ କରାଯାଏ। ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି। ତିନି ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଏ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନ ଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା କରିବାର ବିଧି ରହିଛି ।

Advertisment

ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳନ କରାଯାଏ। ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅନୁସାରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥିବା ବେଳେ ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି ରହିଛି ।

ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା:

ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଏହା ସହିତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ବା ସ୍ନାନପୂର୍ଣ୍ଣିମାର ପୂର୍ବଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ।

ବାହାର ଚନ୍ଦନରେ ରାମ, କୃଷ୍ଣ, ମଦନମୋହନ ଓ ଶ୍ରୀଦେବୀ-ଭୂଦେବୀ ଜଳକ୍ରୀଡା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିଥାନ୍ତି। ଶ୍ରୀଜଗନ୍ନାଥଙ୍କର ଏହି ମାସର ନାମ ‘ମଧୁସୂଦନ’ ବୋଲି କୁହାଯାଏ। ଚାପରେ ଶ୍ରୀମଧୁସୂଦନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି।

ଆଉ କ’ଣ ହୁଏ:

  • ବଳଦେବଜୀଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମଙ୍କର ରେବତୀଙ୍କ ସହ ବିବାହୋତ୍ସବ ଅନୁଷ୍ଠିତ ହୁଏ
  • ପର୍ଶୁରାମ ଓ ଜୟଦେବଙ୍କ ଜୟନ୍ତୀ ପାଳନ ହୁଏ
  • ବଦ୍ରୀନାଥ ଧାମ ଏହି ଦିନ ଖୋଲାଯିବା ବିଧି ରହିଛି
  • ସତ୍ୟ ଓ ତ୍ରେତୟା ଯୁଗର ଆରମ୍ଭ ଏହି ଦିନ ଆରମ୍ଭ ହୋଇଥିଲା
  • ସମ୍ବଲପୁରରେ ଶୀତଳଶଷ୍ଠୀ ଯାତ୍ରାର ଶୁଭାରମ୍ଭ ହୁଏ
Akshaya Tritiya 2022 Akshaya Trutiya 2022
Advertisment
Advertisment