• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଆରା ଯାତ୍ରା, ନିଆରା ପରମ୍ପରା। ନୂଆପଡ଼ା କୋମନା ବ୍ଲକ ସୁନାବେଡ଼ାରେ ମହାସମାରୋହରେ ପାଳିତ ହୋଇଯାଇଛି ବିହନ ଛିନା ଯାତ୍ରା । ଯାତ୍ରାରେ ସୁନାବେଡା ଅଭୟାରଣ୍ୟରେ ବସବାସ କରୁଥିବା ୮୪ଟି ଗାଁର ଚକୋଟିଆ ଭୁଞ୍ଜିଆ ଲୋକ ସାମିଲ ହୋଇଥିଲେ । ସେମାନଙ୍କ ବିଶ୍ୱାସ ଯେ, ଇଷ୍ଟଦେବୀ ଯେଉଁ ଧାନ ବିହନ ଦିଅନ୍ତି ସେଥିରେ ପୋକ ଲାଗେନାହିଁ ।

ଆଦିମ ଜନଜାତିଙ୍କ ଆଦି ପରମ୍ପରା ପାଇଁ ଉତ୍ସବ ମୁଖର ପରିବେଶ । ପାରମ୍ପରିକ ଆଦିବାସୀ ବାଦ୍ୟ ଯନ୍ତ୍ରରେ କମ୍ପୁଛି ପରିବେଶ । ଏହି ଉତ୍ସବରେ ଗାଁ ମୁରବୀମାନେ ନୂଆ ଜାମା ନୂଆ ବେଶରେ ସଜେଇ ହୋଇ ସୁନାଦେଇଙ୍କ ପାଖରେ ଏକାଠି ହୋଇଥାନ୍ତି । ଆଉ ଚିକୋଟିଆ ଭୁଞ୍ଜିଆ ଜନଜାତିର ମହିଳାମାନେ ହାତରେ ପୂଜା ଥାଳି ଧରି ଆସିଥାନ୍ତି । ଏମିତି ପାଳିତ ହୋଇଥାଏ ସେମାନଙ୍କ ଆଦି ପରମ୍ପରାର ମହାନ ପର୍ବ ବିହନ ଛିନା ଯାତ୍ରା ।

ଭୁଞ୍ଜିଆ ଜାତିର ଲୋକ ଚାଷ କରି ପରିବାର ଚଳାଇଥାନ୍ତି । କୃଷିର ପ୍ରଥମ ପର୍ବ ବିହନ ଛିନା ଯାତ୍ରା । ଏହି ଦିନ ବିହନ ଧାନକୁ ପାରମ୍ପରିକ ରୀତିରେ ଦେବୀଙ୍କ ପାଖରେ ପୂଜା କରାଯାଏ । ପରେ ଦେବୀ ସେହି ଧାନକୁ, ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ବଣ୍ଟନ କରନ୍ତି । ବିଶ୍ୱାସ ଅଛି ଦେବୀ ସୁନାଦେଈ ଦେଇଥିବା ଧାନରେ ରୋଗପୋକ ଲାଗେ ନାହିଁ । ଏହା ସହ ଅଧିକ ଅମଳ ହୁଏ ।

ସୁନାବେଡ଼ା ଅଞ୍ଚଳର ୮୪ଟି ଗାଁର ଭୁଞ୍ଜିଆ ଓ ଅନ୍ୟ ୧୦ ଜାତିର ଲୋକ ଏହି ଉତ୍ସବରେ ସାମିଲ ହୋଇଥାନ୍ତି । ଲୋକେ ପୂଜା ସହ ମାନସିକ ବଳି ମଧ୍ୟ ଦେଇଥାନ୍ତି । ଲୋକଙ୍କ ବିଶ୍ୱାସ ଏହା ବି ରହିଛି ଯେ, ଦେବୀଙ୍କ ପାଖରେ ଯାହା ମନୋକାମନା କଲେ ତାହା ପୂର୍ଣ୍ଣ ହୋଇଥାଏ ।

  • Reported by:
  • MAYADHAR SARAF