8 bollywood and ollywood movies based on brother-sister relationship
ଏ ଦୁନିଆରେ ଯେତେ ସଂପର୍କ ଅଛି ଭାଇ-ଭଉଣୀ ସଂପର୍କ ସବୁଠାରୁ ମଧୁର ଆଉ ନିଆରା। ଏଥିରେ ଥାଏ ପ୍ରେମ, ରାଗଋଷା, ଝଗଡା ଏବଂ ପରସ୍ପରକୁ ହଇରାଣ କରିବା ଭଳି ରୋଚକ କଥା। କିନ୍ତୁ ଏ ସମ୍ପର୍କ ଏମିତି ଯେ ଯେତେବେଳେ ଜଣେ ଅସୁବିଧାରେ ପଡେ, ଅନ୍ୟ ଜଣେ ସବୁବେଳେ ତା’ ସହିତ ରୁହେ।
ଏହି ଭାଇ-ଭଉଣୀ ସମ୍ପର୍କ ମଧ୍ୟ ଅନେକ ଚଳଚ୍ଚିତ୍ରର ବଡ ପରଦାରେ ଦେଖାଯାଇଛି। ଆଜି ଆମେ ଆପଣଙ୍କୁ ଏହିପରି କିଛି ଚଳଚ୍ଚିତ୍ର ବିଷୟରେ କହିବୁ, ଯେଉଁଥିରେ ଭାଇ-ଭଉଣୀଙ୍କ କାହାଣୀକୁ ଚମତ୍କାର ଭାବେ ଚିତ୍ରଣ କରାଯାଇଛି। ଆସନ୍ତୁ କିଛି ଓଡିଆ ଓ କିଛି ହିନ୍ଦୀ ଚଳଚ୍ଚିତ୍ର ଉପରେ ନଜର ପକେଇ ନେବା।
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ:
୨୦୦୬ରେ ମୁକ୍ତିଲାଭ କରିଥିଲା ଓଡ଼ିଆ ଫିଲ୍ମ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ। ଏହି ଫିଲ୍ମକୁ ରତିକାନ୍ତ କାନୁନ୍ଗୋ ଏବଂ ପ୍ରମୋଦ କୁମାର ସ୍ୱାଇଁ ପ୍ରଯୋଜନା କରିଥିଲେ। ସୁଚିସ୍ମିତା କାନୁନ୍ଗୋ ଏହାର କାହାଣୀ ରଚନା କରିଥିଲେ ଓ ସଞ୍ଜୟ ନାୟକ ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଚିତ୍ରିତ ହୋଇଥିବା କଟା ହାତ ଦୃଶ୍ୟ ସମସ୍ତଙ୍କ ହୃଦୟ ଛୁଇଁଥିଲା।
ଅଧିକ ପଢ଼ନ୍ତୁ: ରାଶି ଅନୁସାରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ; ମିଳିବ ଶୁଭ ଫଳ
ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ଅଭିନୟ କରିଥିଲେ। ଅସିତ ପତି, ଉତ୍ତମ ମହାନ୍ତି, ମୀନକେତନ, ସ୍ନିଗ୍ଧା ମହାନ୍ତି, ବୀଣା ମହାରଣା, ଦିପ୍ତି ପଣ୍ଡା, ଅଶୋକ, ଜୟୀରାମ ସାମଲ ଆଦି କଳାକାରମାନଙ୍କୁ ଅନ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା।
ରାକ୍ଷୀ ଭିଜିଗଲା ଆଖି ଲୁହରେ:
ରାଖି ଭିଜିଗଲା ଆଖି ଲୁହରେ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଫିଲ୍ମ। ସୁବ୍ରତ ସାମନ୍ତରାୟ ଏହାର କାହାଣୀ ରଚନା କରିବା ସହ ପ୍ରଯୋଜନା କରିଥିଲେ। ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହାର ସଂଳାପ ରଚନା କରିଥିଲେ ଓ ସଂଗ୍ରାମ ବିଶ୍ୱାଳ ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ।
ଭାଇ-ଭଉଣୀଙ୍କ ପ୍ରେମକୁ ନେଇ ଏଥିରେ ଏକ ଗୀତ ଥିଲା ‘ସୁନା ରୂପା ଗଉଣୀ, କ୍ଷୀର ସର ଲହୁଣୀ’। ଏଥିରେ ଭାଇ ଭୂମିକାରେ ଦିବଂଗତ ଅଭିନେତା ବିଜୟ ମହାନ୍ତି ଓ ଭଉଣୀ ଭୂମିକାରେ ବଙ୍ଗୀୟ ସୁନ୍ଦରୀ ରଚନା ବାନାର୍ଜୀ ଅଭିନୟ କରିଥିଲେ।
ଏହି ଫିଲ୍ମରେ ବିଭିନ୍ନ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ମିହିର ଦାସ, ଦେବୁ ବୋଷ, ମାମିନା, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ରାଇମୋହନ ପରିଡ଼ା, ଅସୀତ ପତି, ଜୟୀରାମ ସାମଲଙ୍କୁ ଦେଖିବାକୁ ମିଳିଥିଲା।
ସମୟ ହାତରେ ଡୋରି:
୨୦୦୭ରେ ମୁକ୍ତିଲାଭ କରିଥିଲା ଓଡ଼ିଆ ଫିଲ୍ମ ସମୟ ହାତରେ ଡୋରି। ଏହାର ପ୍ରଯୋଜନା କରିଥିଲେ ତିଳୋତ୍ତମା ଦାସ । ସଞ୍ଜୟ ହାତୀ ଏହାର କାହାଣୀ ଏବଂ ସଂଳାପ ରଚନା କରିଥିଲେ। ନିମାଇଁ ଓଝା ଏହି ଫିଲ୍ମର ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ। ଆଲୋକ ସ୍ୱାଇଁ ଓ ରତି ବାରିକ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।
ରାକ୍ଷୀକୁ ନେଇ ଏଥିରେ ଏକ ଗୀତ ସଂଯୋଜନା କରାଯାଇଥିଲା। ଦୁଇ ଛୋଟ ପିଲାଙ୍କୁ ନେଇ ଲେଖାଯାଇଥିବା ଗୀତଟି ‘ମୋ ହାତରେ ବାନ୍ଧିଦେଲୁ ରାକ୍ଷୀ’ ଥିଲା।
ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ ଅଭିନୟ କରିଥିଲେ। ମିହିର ଦାସ, ଦେବଯାନୀ, ଦେବୁ ବୋଷ, ଜୟୀରାମ ସାମଲ, ବ୍ରଜ ସିଂହ, ସନ୍ତୋଷ ନାୟକ, ବିଜୟ ମହାନ୍ତି ଆଦି କଳାକାରମାନେ ଅନ୍ୟାନ୍ୟ ଭୂମିକାରେ ନଜର ଆସିଥିଲେ। ସ୍ୱରାଜ ବାରିକ ଓ ନିକିତା ମିଶ୍ର ଏଥିରେ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ।
ହମ୍ ସାଥ୍ ସାଥ୍ ହୈ:
ବଲିଉଡ୍ର ଫାମିଲି ଡାଇରେକ୍ଟର ସୂରଜ ବଡଜାତ୍ୟା ସବୁବେଳେ ପରିବାରକୁ ନେଇ ଦମଦାର ଚଳଚ୍ଚିତ୍ର ନିର୍ମାଣ କରନ୍ତି। ତାଙ୍କ ଚଳଚ୍ଚିତ୍ର ‘ହମ୍ ସାଥ୍ ସାଥ୍ ହୈ’ ମଧ୍ୟ ଭାଇଭଉଣୀ ଭିତରେ ଥିବା ନିଆରା ସମ୍ପର୍କକୁ ଦେଖେଇଦିଏ। ଏଥିରେ ବଡ ଭାଇ କିପରି ନିଜ ଦୁଇ ସାନଭାଇ ଏବଂ ଭଉଣୀକୁ ବାନ୍ଧି ରଖିଛନ୍ତି ତାହା ଦେଖାଯାଇଛି। ଏହି ଚଳଚ୍ଚିତ୍ରରେ ମୋହନିଶ ବହଲ, ସୈଫ୍ ଅଲି ଖାନ, ସଲମାନ ଖାନ ଏବଂ ନୀଲମ ଭାଇ-ଭଉଣୀ ଭୂମିକାରେ ଅଭିନୟ କରିଥିଲେ।
ଦିଲ୍ ଧଡ୍କନେ ଦୋ:
ଚଳଚ୍ଚିତ୍ର ନିର୍ଦ୍ଦେଶକ ଜୋୟା ଅଖତର ଆଧୁନିକ ପରିବାର ଏବଂ ଏହାର ସମସ୍ୟାକୁ ନେଇ ୨୦୧୫ରେ ‘ଦିଲ୍ ଧଡକ୍ନେ ଦୋ’ ଫିଲ୍ମ କରିଥିଲେ। ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରା ଏବଂ ରଣବୀର ସିଂହ ଭାଇ-ଭଉଣୀ ସମ୍ପର୍କକୁ ଖୁବ ଚମତ୍କାର ଭାବେ ପ୍ରଦର୍ଶନ କରିଥିଲେ।
ଅଧିକ ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମା ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା; ଆଉ କେଉଁଠି କ’ଣ, ଜାଣନ୍ତୁ...
ସରବ୍ଜିତ୍:
‘ସରବ୍ଜିତ୍’ ସତ କାହାଣୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର। ଏଥିରେ ସରବ୍ଜିତ୍ ନାମକ ଜଣେ ବ୍ୟକ୍ତି ଗୁପ୍ତଚର ଭାବରେ ପାକିସ୍ତାନ ଦ୍ୱାରା ଗିରଫ ହୁଏ ଏବଂ ତାଙ୍କ ଭଉଣୀ ଦଲବୀର ତାଙ୍କ ଭାଇଙ୍କୁ ଭାରତ ଫେରାଇ ଆଣିବାକୁ ବର୍ଷ ବର୍ଷ ଧରି ଚେଷ୍ଟା କରେ। ଏହି ଚଳଚ୍ଚିତ୍ର ମାଧ୍ୟମରେ ରଣଦୀପ ହୁଡା ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଭାଇ ଓ ଭଉଣୀଙ୍କ ଅବିସ୍ମରଣୀୟ ସମ୍ପର୍କକୁ ମନେପକେଇ ଦେଇଛନ୍ତି।
ଇକ୍ବାଲ୍:
‘ଇକ୍ବାଲ୍’ ଚଳଚ୍ଚିତ୍ରରେ ଶ୍ରେୟାସ ତଲପଡେ ଏବଂ ଶ୍ୱେତା ବସୁ ଭାଇ ଓ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଭାଇ-ଭଉଣୀ ସମ୍ପର୍କକୁ ନେଇ ଏମିତି ଚିତ୍ରିତ ହୋଇଥିଲା ଯେ ଯେଉଁଥିରେ ସାନ ଭଉଣୀ ତାଙ୍କ ଭାଇଙ୍କୁ କ୍ରିକେଟ୍ରେ ଆଗକୁ ଯିବାକୁ ପ୍ରେରଣା ଦିଏ ଏବଂ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନିଜ ଜୀବନକୁ ବାଜି ଲଗେଇ ଦେଉଥିବା ଦେଖାଯାଏ।
ରକ୍ଷାବନ୍ଧନ:
ଅକ୍ଷୟ କୁମାରଙ୍କ ଅଭିନୀତ ‘ରକ୍ଷାବନ୍ଧନ’ ୨୦୨୨ରେ ରିଲିଜ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଭାଇ ଓ ଭଉଣୀଙ୍କ ମଧ୍ୟରେ ଅବିଭକ୍ତ ସମ୍ପର୍କକୁ ଦେଖାଯାଇଛି। ଜଣେ ଭାଇ ତାଙ୍କ ଚାରି ଭଉଣୀଙ୍କ ବିବାହ ପାଇଁ କିପରି ସଂଘର୍ଷ କରୁଛି ତାହା ଏହି ଚଳଚ୍ଚିତ୍ରର ମାଧ୍ୟମରେ ଦେଖାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692795133.jpg)