• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କିଛି ସମୟ ପରେ ଦିଲ୍ଲୀ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ମୋଦି

  • ଦେଶ ଉଦ୍ଦେଶ୍ୟରେ ଦେବେ ସମ୍ବୋଧନ

ଆଜି ଦେଶ ପାଳୁଛି ୭୫ ତମ ସ୍ୱାଧୀନତା ଦିବସ । କରୋନା କଟକଣା ମଧ୍ୟରେ ଗାଁଠୁ ସହର ନଗରଠୁ ମହାନଗର ସବୁଠି ସ୍ୱାଧୀନତା ଦିବସ ପାଳନର ଉତ୍ସାହ । ଦିଲ୍ଲୀରୁ ପଲ୍ଲୀ ସବୁଠି ଶୁଭୁଛି ଜାତୀୟ ସଂଗୀତ ଗାନ, ଫରଫର ହୋଇ ଉଡ଼ୁଛି ତ୍ରିରଙ୍ଗା । କରୋନା କହର କମିନଥିବାରୁ ସବୁଠି ନିରାଡ଼ମ୍ବର ଉତ୍ସବ ପାଇଁ ଆୟୋଜନ ହୋଇଛି । ଆଜି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ କଡା ସୁରକ୍ଷା ମଧ୍ୟରେ ରହିଛି ଲାଲକିଲ୍ଲା ।

ସ୍ୱାଧୀନତା ଦିବସ ଲାଗି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ହଜାର ହଜାର ସଂଖ୍ୟାରେ ସୁରକ୍ଷାକର୍ମୀ ଦିଲ୍ଲୀରେ ମୁତୟନ ହୋଇଛନ୍ତି । ଦିଲ୍ଲୀର ସୀମାରେ କଡା ନଜର ରଖିବା ସହ ଅନ୍ୟ ସବୁ ପ୍ରମୁଖ ସ୍ଥାନରେ ପୋଲିସର କଡା ପହରା ରହିଛି । ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହାସହ ଦିଲ୍ଲୀର ଇନ୍ଦିରାଗାନ୍ଧି ଇଣ୍ଟରନାସାନଲ ଏୟାରପୋର୍ଟ, ରେଳ ଷ୍ଟେସନ, ବସ୍ ଟର୍ମିନାଲ ଗୁଡିକରେ ପୋଲିସର ସତର୍କ ଦୃଷ୍ଟି ରହିଛି । ଦିଲ୍ଲୀ ପୋଲିସ ସହ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ମୁତୟନ ହୋଇଛନ୍ତି । ଦିଲ୍ଲୀ ପୋଲିସର ଟିମ୍ ବିଭିନ୍ନ ସ୍ଥାନରେ ଗାଡି ମଟର ଅଟକାଇ ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି ।

ଏପଟେ ଜାମ୍ମୁ କାଶ୍ମୀରରେ ସୁରକ୍ଷା କଡାକଡି କରାଯାଇଛି । ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ସେନା ଯବାନଙ୍କ ସହ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି ।

ସେପଟେ କୋଭିଡ ନିୟମାବଳୀ ମଧ୍ୟରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ମହାତ୍ମାଗାନ୍ଧୀ ମାର୍ଗ ପରିବର୍ତ୍ତେ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । କରୋନା ମହାମାରୀ ଲାଗି ସ୍ୱଳ୍ପ ସଂଖ୍ୟକ ଅତିଥି, କୋଭିଡ୍ ଯୋଦ୍ଧା, ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ସ୍ୱାଧୀନତା ଦିବସ ପାଳନ କରାଯିବ ।

ସେହିପରି ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶର ସମସ୍ତ ସାମ୍ବିଧାନିକ ସୌଧ ଓ ଏତିହ୍ୟ ସ୍ଥଳ ଗୁଡ଼ିକୁ ସୁସଜ୍ଜିତ ଆଲୋକମାଳାରେ ସଜା ଯାଇଥିଲା । ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ଭବନ, ସଂସଦ ଭବନ, ଇଣ୍ଡିଆ ଗେଟ୍ ଆଦି ସ୍ଥଳ ରଙ୍ଗୀନ ଆଲୋକମାଳାରେ ଝଲସୁଥିଲା । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଧାନସୌଧ ଓ ଲୋକସେବା ଭବନ ସହ ଅନ୍ୟ ସମସ୍ତ ସରକାରୀ ସୌଧ ମଧ୍ୟ ସୁନ୍ଦର ଆଲୋକମାଳାରେ ସଜା ଯାଇଛି ।