ଆଜି ଉତ୍କଳ ଦିବସ । ସାରା ରାଜ୍ୟରେ ପାଳନ ହେଉଛି ଆମ ଜାତିର ଅସ୍ମିତାର ପର୍ବ । କାହିଁକି ନା ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ଆମ ଭାଷାର ସ୍ୱତନ୍ତ୍ର ଲିପି ଅଛି, ବର୍ଣ୍ଣ ଅଛି ବ୍ୟାକରଣ ଅଛି, ଶବ୍ଦଭଣ୍ଡାରରେ ଶବ୍ଦର ଅଭାବ ନାହିଁ । ହେଲେ ବାସ୍ତବ କ୍ଷେତ୍ରରେ କିନ୍ତୁ ସବୁ ଓଲଟା । ସରକାର ନିୟମ କଡା କଡି କରିଥିଲେ ବି ଦୋକାନ ବଜାର କେଉଁଠି ଦେଖିବାକୁ ମିଳୁନି ।
ଯୁଆଡେ ଦେଖିବ ଖାଲି ଇଂଲିଶ ଆଉ ଇଂଲିଶ । ସହର ବଜାର, ଗଳି କନ୍ଦି ଯେତେ ଦୋକାନ ଅଛି ସବୁଠି ନାମ ଫଳକ ଅଛି ସତ, ହେଲେ କେଉଁଠି ବି ଓଡ଼ିଆ ଭାଷାର ଚିହ୍ନବର୍ଣ୍ଣ ନାହିଁ । ବେଧଡକ ଯିଏ ଯେମିତି ପାରିଛି ସେମିତି ଲେଖିଛି । କେଉଁଠି ଇଂଲିଶ ତ ଆଉ କେଉଁଠି ତେଲୁଗୁ । ହେଲେ ଓଡିଆର ନାଁ ଗନ୍ଧ ନାହିଁ । ଦୁର୍ଭାଗ୍ୟ, ଏହା କୌଣସି ବାହାର ରାଜ୍ୟର ଦୃଶ୍ୟ ନୁହେଁ, ସବୁ ଆମରି ରାଜ୍ୟ ଓଡ଼ିଶାର ।
ଅଧିକ ପଢ଼ନ୍ତୁ: ଆମେ ଓଡ଼ିଆ ଭାରି ବଢ଼ିଆ: ଆମ ଭାଷାର ରହିଛି ସ୍ୱତନ୍ତ୍ର ଲିପି-ବର୍ଣ୍ଣ-ବ୍ୟାକରଣ
Also Read
ଏଠି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ହେଲେ ପଦଟିଏ ବି ଓଡିଆ ଭାଷାରେ ଲେଖା ହୋଇନି । ମାଲକାନାଗିରିର ଦୃଶ୍ୟ । ଏକ ବ୍ୟାଙ୍କ ପ୍ରଶିକ୍ଷଣ କେନ୍ଦ୍ରର ଫାଟକରେ ସବୁ କିଛି ଇଂଲିସ୍ । ସହର ସାରା ଯେତେ ଦୋକାନ ଅଛି କେଉଁଠି ବି ଓଡିଆ ଅକ୍ଷରଟିଏ ବି ଦେଖିବାକୁ ମିଳିଲା ନାହିଁ । ଯଦିବି କେଉଁଠି ଲେଖା ହୋଇଛି ସେଠି ଅକ୍ଷର ସିନା ଓଡିଆ ହେଲେ ଭାଷା କିନ୍ତୁ ଇଂଲିଶ୍... ଏଇ ଯେମିତି ଅପନା ବଜାର୍... ସାରା ରାଜ୍ୟରେ ସମାନ ଅବସ୍ଥା। ବାଲେଶ୍ୱରର ସୋର ହେଉ କି ଗଞ୍ଜାମ ର ଖଲ୍ଲିକୋଟ,
କନ୍ଧମାଳ ର ଫୁଲବାଣୀ ହେଉ କି କୋରାପୁଟର ଜୟପୁର ସବୁଠି ଆମ ମାତୃଭାଷା ଓଡ଼ିଆ ଅବହେଳିତ। ୨୦୧୮ରେ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏଠି ସବୁ ସତେ ଯେମିତି ଧୁଆଁବାଣରେ ପରିଣତ ହୋଇଯାଇଛି। କିନ୍ତୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଏଭଳି ଅନିୟମିତତାକୁ ଗୁରୁତର ଅପରାଧ ଭଳି ମନେ କରୁନାହାନ୍ତି।
୨୦୧୪ ମସିହାରେ ଆମ ଭାଷ ଶାସ୍ତ୍ରୀୟ ମାନ୍ୟତା ପାଇଲା । ସମଗ୍ର ଭାରତ ବର୍ଷରେ ସଂସ୍କୃତ, ତାମିଲି, ତେଲୁଗୁ, କନ୍ନଡ, ମାଲାୟାଲୟମ ଏବଂ ଆମ ଭାଷା ଓଡ଼ିଆକୁ ଏହି ମର୍ଯ୍ୟାଦା ମିଳିଛି । ଆମ ଭାଷାର ଲିପି ଅଛି ବ୍ୟାକରଣ ବି ଅଛି... ସବୁ ଦିଗରୁ ସମୃଦ୍ଧ ଥିବା ଆମ ଭାଷା କିନ୍ତୁ ଏମିତି ହେଉଛି ଅବହେଳିତ ।