• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପତ୍ନୀ ପ୍ରେମର ଅନନ୍ୟ ନିଦର୍ଶନ । ବାହାଘର ପରେ ପତ୍ନୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ମନ୍ଦିର ନିର୍ମାଣ କଲେ ସ୍ୱାମୀ । ବିଶାଳ ଭବ୍ୟ ମନ୍ଦିର, କାରୁକାର୍ଯ୍ୟ ଏମିତି ହୋଇଛି ଯେ ଆଖି ଲାଖି ରହିଯାଉଛି । ମୁଖ୍ୟ ମନ୍ଦିରଟି ମାଆ ସନ୍ତୋଷୀଙ୍କର । ତା ସହିତ ଏଠାରେ ପୂଜା ପାଇବେ ମହାଦେବ, ଗଣେଶ, ହନୁମାନ ଓ ନବଗ୍ରହ ।

ଯାଜପୁର ଜିଲ୍ଲା ବିଝାଂରପୁର ଚିକଣା ଗାଁର ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହେଲାଣି । ପୁରା ଦକ୍ଷିଣ ଭାରତ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରର ମୁଖଶାଳା ୮୬ ଫୁଟ୍ ଉଚ୍ଚ ହୋଇଥିବା ବେଳେ ମୁଖ୍ୟ ମନ୍ଦିରର ଉଚ୍ଚତା ହେଉଛି ୬୫ ଫୁଟ ।

ଖର୍ଚ୍ଚ ହୋଇଛି ପ୍ରାୟ ୭ କୋଟି ଟଙ୍କା । ୨୦୦୮ରୁ ଏହାର କାମ ଆରମ୍ଭ ହୋଇଥିବା ବେଳେ ୧୫ ବର୍ଷ ପରେ କାମ ସରିବା ଉପରେ । ପତ୍ନୀ ବୈଜୟନ୍ତୀଙ୍କ ଇଚ୍ଛା ପୂରଣ ପାଇଁ ଏହି ମନ୍ଦିର ନିର୍ମାଣ କରାଇଛନ୍ତି ସ୍ୱାମୀ କ୍ଷେତ୍ରବାସୀ ଲେଙ୍କା । ଏହି ଅନନ୍ୟ ଉପହାର ପାଇ ବୈଜୟନ୍ତୀଙ୍କ ଖୁସିର ସୀମା ନାହିଁ ।

ବୈଜୟନ୍ତୀ ହେଉଛନ୍ତି ମାଆ ସନ୍ତୋଷୀଙ୍କ ବଡ଼ ଭକ୍ତ । ୧୯୯୨ରେ କ୍ଷେତ୍ରବାସୀଙ୍କ ସହିତ ହୋଇଥିଲା ତାଙ୍କର ବାହାଘର । କୋଣାର୍କ ରେଫ୍ରିଜେଟରିଂ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ ନାଁରେ ହାଇଦ୍ରାବାଦରେ କ୍ଷେତ୍ରବାସୀଙ୍କ ଏକ ବ୍ୟାବସାୟିକ ସଂସ୍ଥା ଅଛି ।

ବୈଜୟନ୍ତୀଙ୍କ ଗାଁ ଚିକଣାରେ । ମାଆଙ୍କ ମନ୍ଦିର ନ ଥିବାରୁ ସନ୍ତୋଷୀ ମନ୍ଦିରଟିଏ ନିର୍ମାଣ ପାଇଁ ବାହାଘର ପରେ ସ୍ୱାମୀଙ୍କୁ କହିଥିଲେ ବୈଜୟନ୍ତୀ । ଏଥିରେ ହଁ ଭରିଥିଲେ କ୍ଷେତ୍ରବାସୀ । ୨୦୦୮ ମାର୍ଚ୍ଚ ୧୦ ତାରିଖରେ ଭୂମି ପୂଜନ ହୋଇଥିଲା । ଆଉ ୧୫ ବର୍ଷ ପରେ ଏବେ ଚିକ୍କଣା ଗାଁରେ ଛିଡ଼ା ହୋଇଛି ମାଆ ସନ୍ତୋଷୀଙ୍କ ଭବ୍ୟ ମନ୍ଦିର ।

ମୋଗଲ ସମ୍ରାଟ ଶାହାଜାହାନ ନିଜ ପତ୍ନୀଙ୍କ ପାଇଁ ତିଆରି କରିଥିଲେ ବିଶ୍ୱପ୍ରସିଦ୍ଧ ତାଜମହଲ । ସେହିପରି କ୍ଷେତ୍ରବାସୀ ନିଜ ପତ୍ନୀଙ୍କ ଇଚ୍ଛା ପୂରଣ ପାଇଁ ତୋଳିଛନ୍ତି ଏକ ଭବ୍ୟ ଦେଉଳ । ଆସନ୍ତା ୨୮ ତାରିଖରେ ଏହି ମନ୍ଦିରର ପ୍ରତିଷ୍ଠା ହେବ ।