• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବୟସ ପାଖାପାଖି ୮୦ । ପରିଣତ ସମୟରେ ବି ଥକି ଯାଇନି ହାତ-ଗୋଡ଼ କି ଅବସ ହୋଇନି ଶରୀର । ଆଜି ବି ସେ କର୍ମଠ ଓ ଚଳଚଞ୍ଚଳ । ତାଙ୍କ ପରିଚୟ କେବଳ ଜଣେ ସାଧାରଣ ଗୃହିଣୀ ନୁହେଁ । ଜୟପୁର ସହରର ଜଣେ ଜଣାଶୁଣା ବ୍ୟବସାୟୀ ଇନ୍ଦୁମତି ନାୟକ । ୧୯୭୮ରୁ ଆଜି ପର୍ଯ୍ୟନ୍ତ, ଦୀର୍ଘ ୪୫ ବର୍ଷ ଧରି ଜୟପୁର ମହାତ୍ମାଗାନ୍ଧୀ ରୋଡରେ ଏକ ଇଲେକ୍ଟ୍ରିକାଲ ଦୋକାନ ଚଳାଇ ଆସୁଛନ୍ତି ଇନ୍ଦୁମତି ।

ବିବାହର ମାତ୍ର ବର୍ଷ କେଇଟା ପରେ ସ୍ୱାମୀଙ୍କୁ ହରାଇଥିଲେ । ସେପଟେ ମୁଣ୍ଡ ଉପରେ ଥିଲା ଦୁଇ ପିଲାଙ୍କ ଦାୟିତ୍ୱ । ହେଲେ ସେ ଦାୟିତ୍ୱକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ସ୍ୱାମୀଙ୍କ ଏଇ ବ୍ୟବସାୟକୁ ଆଗକୁ ନେଇଥିଲେ ଇନ୍ଦୁମତି । ଆଉ ଆଜିକୁ ପ୍ରାୟ ୫ ଦଶନ୍ଧି ଧରି ସଫଳତାର ସହ ସେ ବ୍ୟବସାୟକୁ ବଞ୍ଚାଇ ବଢାଇ ନିଜେ ସ୍ୱାବଲମ୍ବୀ ହେବା ସହ ଦୁଇ ପିଲାଙ୍କୁ ମଣିଷ କରିଛନ୍ତି ।

ଆଶ୍ଚର୍ଯ୍ୟର କଥା ହେଉଛି, ଏ ବ୍ୟବସାୟ ପାଇଁ ଇନ୍ଦୁମତି କେବେ ବି କାହାରି ସାହାଯ୍ୟ କି ସହଯୋଗ ନେଇ ନାହାନ୍ତି । ଆଜି ବି ଏକା ଏକା ଦୋକାନ ସମ୍ଭାଳିବା ସହ ନିଜର ଜାବତୀୟ କାର୍ଯ୍ୟ ନିଜେ ତୁଲାଇଥାନ୍ତି ଇନ୍ଦୁମତି । ଗୃହିଣୀ, ବସାୟୀର ପରିଚୟ ଭିତରେ ଦୈନିକ ଗୀତା ଭାଗବତ ଚର୍ଚ୍ଚା କରିବାକୁ ବି ଆଦୌ ଭୁଲନ୍ତିନି ସେ । ସ୍ୱାମୀ ରୋଜଗାରିଆ ହୋଇ ବି ପତ୍ନୀ ନିଜର ବଳକା ସମୟର ସଦୁପଯୋଗ କରି କିପରି ସ୍ୱାବଲମ୍ବୀ ହୋଇପାରେ, ତାର ଏକ ନିଛକ ଉଦାହରଣ, ଭଦ୍ରକ ହାଜିପୁର ଗାଁର ସରସ୍ୱତୀ ରାଉତ ।

କ୍ଷୁଦ୍ର ଉଦ୍ୟୋଗଟିଏ କରିବାର ଝୁଙ୍କ୍ ତାଙ୍କୁ ଆଜି ଜଣେ ସଫଳ ଉଦ୍ୟୋଗୀର ପରିଚୟ ଦେଇଛି । ଆଜିକୁ ୪ ବର୍ଷ ତଳେ ନିଜର ସୁନାରୂପା ଓ ଅନ୍ୟ ଗହଣାକୁ ୬୦ ହଜାର ଟଙ୍କାରେ ବନ୍ଧକ ରଖି ସରସ୍ୱତୀ ଆରମ୍ଭ କରିଥିଲେ ଏକ ଛୋଟିଆ ହୋମ୍ କ୍ଲିନିଂ ଓ ସାନିଟେସନ୍ ଉଦ୍ୟୋଗ । ତେବେ ୟା ଭିତରେ ସରସ୍ୱତୀ ପାଲଟିଯାଇଛନ୍ତି, ଜଣେ ସଫଳ ଉଦ୍ୟୋଗୀ ।

ଏବେ ତାଙ୍କ ଘରୁ ପ୍ରସ୍ତୁତ ହେଉଛି ଫିନାଇଲ, ହ୍ୟାଣ୍ଡୱାସ, ଡିସୱାସ, ଫ୍ଲୋର କ୍ଲିନିଂ ଅଏଲ ଭଳି ୧୦ଟି ଉତ୍ପାଦ । ସରସ୍ୱତୀଙ୍କ ବ୍ୟବସାୟ ଆଗକୁ ବଢ଼ିବା ପରେ ଦୁଇ ଜଣଙ୍କୁ ନିଯୁକ୍ତି ସହ ସେମାନଙ୍କୁ କର୍ମସଂସ୍ଥାନ ବି ଯୋଗାଇ ପାରିଛନ୍ତି ।
ଆଜିକା ଦିନରେ ବି ଅନେକ ମହିଳା ଘରର ଚାରିକାନ୍ଥ ଭିତରେ ରହି ଆତ୍ମନିର୍ଭରଶୀଳ
ହେବା କଥା ଭାବି ପାରୁନଥିବା ବେଳେ ଏମାନେ କିନ୍ତୁ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି
ଉଦାହରଣ ଓ ପ୍ରେରଣା ।

ଜୟପୁରରୁ କ୍ୟାମେରାପର୍ସନ ସନ୍ଦୀପଙ୍କ ସହ ଟି. ଗୌରୀ ଶଙ୍କର ଓ ଭଦ୍ରକରୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ, ଓଟିଭି ।