ଯାତ୍ରାର ବିବାଦ ମଞ୍ଚରେ ଆଜି ଆଉ ଦୁଇ ବହି । ଗୋଟିଏ-କଳାକାରଙ୍କୁ ପାରିଶ୍ରମିକ ନଦେବାରୁ 'ବନ୍ଧା ପଡ଼ିଲା ଗଣନାଟ୍ୟ' ତ ଆରଟି ୭ ମାସ ହେଲା ଟେଣ୍ଟ ବାନ୍ଧି ବସିଛି ଯାତ୍ରା କମିଟି, ଅଗ୍ରୀମ ନେଇ ପାର୍ଟି ଗାଏବ୍ । ଗୋଟିଏ ଅଭିଯୋଗ ଜଗତସିଂହପୁର ବିରିଡ଼ିରୁ ପାର୍ବତୀ ଗଣନାଟ୍ୟ ବିରୋଧରେ ତ ଅନ୍ୟଟି କେନ୍ଦ୍ରାପଡ଼ା ଆଳିରୁ ବାଘାଯତୀନ ଗଣନାଟ୍ୟ ବିରୋଧରେ ।
Also Read
ଅଧିକ ପଢ଼ନ୍ତୁ: ବଢ଼ୁଛି ଉଦ୍ବେଗ; ଛୁଆ ଚୋରି ଓ ନିଖୋଜ ଘଟଣାରେ ବ୍ରେକ୍ କେବେ ?
ଡେଲି ନୂଆ ବିବାଦ, ନିଇତି ନୂଆ ନୂଆ ନାଟକ । ଯାତ୍ରା ମଂଚରେ କମ୍, ମଂଚ ବାହାରେ ଏବେ ବେଶି 'ବହି' । ସଦ୍ୟ ନାଟକ- 'ବନ୍ଧା ପଡ଼ିଲା ଗଣନାଟ୍ୟ' ! ଜଗତସିଂହପୁର ବିରିଡ଼ି ବ୍ଲକ ଉତ୍ତରଶାସନ ଗାଁର । ୩ ଦିନ ହେଲାଣି ଏଠି ପାର୍ବତୀ ଗଣନାଟ୍ୟର ଯାତ୍ରା ଭାଙ୍ଗିଲାଣି, କିନ୍ତୁ ବହୁ ପାର୍ଟିଅର ଅନ୍ୟ କ୍ୟାଂପକୁ ଯିବାକୁ ବେଡିଂ ବାନ୍ଧୁ ନାହାନ୍ତି, କି ଗାଡ଼ିରେ ବସୁ ନାହାନ୍ତି । କାରଣ ବାକିଆ ପାଉଣା । କଳାକାରଙ୍କଠୁ ନେଇ ଡ୍ୟାନସର, ଟେଣ୍ଟ, ଲାଇଟ୍, ସାଉଣ୍ଡଠୁ ନେଇ ରୋଷେୟା ଯାଏଁ । କାହାର ୨ ମାସର ପାରିଶ୍ରମିକ ବାକି, ତ କିଏ ଖାଲି ଖୋରାକି ବ୍ୟତୀତ ୫ ମାସ ହେବ ପାଉଣା ବାବଦକୁ ଫୁଟା କଉଡ଼ିଟିଏ ବି ପାଇନଥିବା ଅଭିଯୋଗ କରି, ପେମେଣ୍ଟ କ୍ଲିୟର ନହେବା ଯାଏଁ କ୍ୟାମ୍ପ ଛାଡ଼ିବୁନି ବୋଲି ଅଡ଼ି ବସିଛନ୍ତି ।
ସବୁଠୁ ବଡ଼ କଥା ହେଉଛି ଇଏ ସେଇ ପାର୍ଟି, ଯାହାର ପରିଚାଳକ ଦିନକ ତଳେ, ତାଙ୍କ ପାର୍ଟିର କଳାକାରଙ୍କ ପାଉଣା ବାକିଥିବାର ପ୍ରମାଣ ଦେଲେ ଯାତ୍ରା କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡାଙ୍କ ଘରେ ମୂଲିଆ ରହିବେ ବୋଲି ଚ୍ୟାଲେଞ୍ଜ୍ କରିଥିଲେ । ଆଉ ଆଜି ନିଜେ ବାପି ପଣ୍ଡା, ଦୟନୀୟ ସ୍ଥିତିରେ ଥିବା କଳାକାର ଓ କର୍ମଚାରୀଙ୍କୁ ଭେଟି କଳାକାର ସଂଘ ଅଭିଯୋଗର ପ୍ରମାଣ ଦେଇଛନ୍ତି ।
ଏ ତ ଗଲା ପାର୍ବତୀ ଗଣନାଟ୍ୟର ବହି, କେନ୍ଦ୍ରାପଡ଼ା ନିଆଳର ସ୍ଥିତି କିନ୍ତୁ ବେଶ୍ ରୋଚକ । ଅଗ୍ରୀମ ଦେଇ ୭ ମାସ ହେଲାଣି ଏମିତି ଟେଣ୍ଟ ବାନ୍ଧି ବସିଛନ୍ତି ଯାତ୍ରା କମିଟି, ହେଲେ ପାର୍ଟି ଗାଏବ୍ । ବାଘାଯତୀନ ଲୋକନାଟ୍ୟ ମାଲିକଙ୍କ ନାଁରେ ଏମିତି ଅଭିଯୋଗ ଆଣି ସ୍ଥାନୀୟ କମିଟି କହିଛି, ଗାଁରେ ଗତ ଦୁର୍ଗାପୂଜା ଅବସରରେ ୩ ରାତି ଯାତ୍ରା ପରିବେଷଣ ପାଇଁ ବାଘାଯତୀନ ଲୋକନାଟ୍ୟକୁ ୪ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା । ଯାତ୍ରା ହେବ ବୋଲି ନିଆଳହାଟ ଦଶରା ପଡ଼ିଆରେ ଟେଣ୍ଟ ବାଉଁଶ ବନ୍ଧା ହେବା ସହ ସବୁ ଯାତ୍ରା ଉପକରଣ ବି ଆସିଥିଲା, ହେଲେ ଆଜିଯାଏଁ ନା ଯାତ୍ରା ହେଲା, ନା ମାଲିକ ଟଙ୍କା ଫେରାଉଛନ୍ତି । ତେବେ ଯାତ୍ରାପାର୍ଟି ଭାଙ୍ଗିଯିବାରୁ ଏଭଳି ସମସ୍ୟା ହୋଇଥିବା କହି ଆସନ୍ତା ୨୫ ତାରିଖ ସୁଦ୍ଧା ସବୁ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ବାଘାଯତୀନ ଲୋକନାଟ୍ୟର ପରିଚାଳକ ।
ନିଇତି ନୂଆ ନୂଆ ବିବାଦରେ ଛନ୍ଦି ହେଉଥିବା ଜଲିଉଡ୍, ଏବର ସ୍ଥିତିରୁ କେବେ ଓ ଏ କେମିତି ମୁକୁଳୁଛି ଏବେ ତାଉପରେ ସବୁ କଳାକାର ଓ ଯାତ୍ରାପ୍ରେମୀଙ୍କ ନଜର ।