• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଉଭୟଙ୍କୁ କଟକ ପରିବାର ଅଦାଲତରୁ ଝଟକା ପରେ, ସୋସିଆଲ ମିଡିଆରେ ପତି ପତ୍ନୀଙ୍କ ତୁତୁ-ମେମେ । ଠାର ଠାରରେ ବର୍ଷାଙ୍କ ଚାପରେ ତାଙ୍କୁ ନ୍ୟାୟ ମିଳିଲାନି ବୋଲି ଅନୁଭବ ଲେଖିଥିବା ବେଳେ, ବର୍ଷା ଲେଖିଛନ୍ତି ଯେ, ଅନୁଭବଙ୍କ ଛାଡ଼ପତ୍ର ଆବେଦନର ହୀନ ଉଦ୍ଦେଶ୍ୟ ଧରାପଡ଼ିଛି । ସେପଟେ ଏହି ସେଲିବ୍ରିଟି କଳି ଆଗକୁ କେଉଁ ମୋଡ଼ ନେଉଛି, ତାକୁ ନେଇ ଦେଖାଦେଇଛି ଉତ୍ସୁକତା ।

ଅନୁଭବ ଲେଖିଲେ- '(ଭି) ଶସ୍ତା ଓ ହୀନ ରାଜନୀତି ବନାମ୍ (ଏ) ନ୍ୟାୟ' । ବର୍ଷା ଲେଖିଲେ- 'ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ଆବେଦନ ସଫଳ ହୁଏନି' । ବହୁଚର୍ଚ୍ଚିତ ବର୍ଷା-ଅନୁଭବ ମାମଲାରେ କାଲି ଅଦାଲତୀ ରାୟ ଆସିବା ପରେ, ଜୋର୍ ଧରିଲା ଉଭୟଙ୍କ ସୋସିଆଲ ମିଡିଆ ୱାର୍ । ସତ୍ୟର ସବୁବେଳେ ଜୟ ହୁଏ ବୋଲି ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଗତକାଲି ସୋସିଆଲ୍ ମିଡିଆରେ ଲେଖିବା ପରେ, ଗତରାତିରେ ଏହାର ଜବାବ ଦେଇଛନ୍ତି ସ୍ୱାମୀ ଅନୁଭବ । ସାଂସଦ ଅନୁଭବ ମହାନ୍ତି ଲେଖିଛନ୍ତି ଯେ, (ଭି) ଶସ୍ତା ଓ ହୀନ ରାଜନୀତି ବନାମ୍ (ଏ) ନ୍ୟାୟ । ଏଠାରେ (ଭି) ମାନେ ବର୍ଷା ଏବଂ (ଏ) ମାନେ ଅନୁଭବ ବୋଲି ଅନୁମାନ କରାଯାଉଛି । ଅନୁଭବ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଏହା ଆଇନ ବିରୋଧୀ ଯେ, ପ୍ରଥମ ରାଉଣ୍ଡରେ (ଭି) ର ପ୍ରବଳ ଚାପ ଯୋଗୁଁ (ଏ)କୁ ବଞ୍ଚିତ ଓ ଲାଞ୍ଛିତ ହେବାକୁ ପଡ଼ିଲା । କିନ୍ତୁ ଶେଷରେ ନ୍ୟାୟ ନିଶ୍ଚିତ ରୂପେ ଜିତିବ ।

ନ୍ୟାୟପାଳିକା ସବୁଠୁ ଊର୍ଦ୍ଧ୍ୱରେ । ତେବେ ଏଇଠି କଥା ସରିନି । ସମାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆଜି ପୁଣି ବର୍ଷା ଛାଡ଼ିଛନ୍ତି ଏକ ବିରାଟ ବିବୃତି । ତେବେ ସଂକ୍ଷେପରେ କହିଲେ, ବର୍ଷା ଲେଖିଛନ୍ତି- ଦୀର୍ଘ ୩ ବର୍ଷର ଲଢ଼େଇ ଓ ମାନସିକ ଯନ୍ତ୍ରଣା ପରେ, ଶେଷରେ ସତ୍ୟର ଜୟ ହେଲା । ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ବାରା ଖାରଜ ହୋଇ ସଫଳ ହୁଏ ନାହିଁ । ଅଗ୍ନିକୁ ସାକ୍ଷୀ ରଖି ପଡ଼ିଥିବା ହାତଗଣ୍ଠିର ଶକ୍ତି ବହୁତ ଅଧିକ । ମିଛ ଯେତେ ଶକ୍ତିଶାଳୀ ହୋଇଥାଉ, ଦିନେ ନା ଦିନେ ତାର ଅନ୍ତ ଘଟେ ଓ ସତ୍ୟର ବିଜୟ ହୁଏ ।

୨୦୧୪ରେ ସାରା ରାଜ୍ୟରେ ଚହଳ ପକାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଓଲିଉଡ୍ ଯୋଡ଼ି । ତେବେ ଏହି ଚହଳ ସମୟକ୍ରମେ ବିବାଦରେ ବଦଳିଥିଲା ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହେବା ପରେ । ୨୦୨୦ରେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ପରେ ବର୍ଷାଙ୍କ ଆବେଦନ ଓ ସୁପ୍ରିମକୋର୍ଟଙ୍କ ରାୟ କ୍ରମେ ଏହା କଟକର ସ୍ୱତନ୍ତ୍ର ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା । ତେବେ ସେଠାରୁ ଗତକାଲି ଉଭୟଙ୍କୁ ଝଟକା ଲାଗିଛି । ବିଜେଡି ସାଂସଦ ଅନୁଭବ ମହାନ୍ତି କରିଥିବା ବିବାହ ବିଚ୍ଛେଦ ଆବେଦନ ଏବଂ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା କରିଥିବା ଆବେଦନ, ଉଭୟକୁ କୋର୍ଟ ଖାରଜ କରିଛନ୍ତି । ତେବେ ଏହି ରାୟ ବିରୋଧରେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ ।
ତେବେ ବର୍ଷା ଆଗକୁ କେଉଁ ପଦକ୍ଷେପ ନେବେ, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

  • Reported by:
  • GAUTAM PANDA , Biswajit Acharya

OTV is now on Whatsapp

Join and get latest news update delivered to you via whatsapp

Join Now