• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୀର୍ଘ ଦିନ ଧରି ଯେଉଁ ଅପେକ୍ଷା ଥିଲା, ତାହା ପୂରଣ ହୋଇଛି । ପୂର୍ବ ଅପେକ୍ଷା ଏବେ ଟିକିଏ ରିଲାକ୍ସ ଲାଗୁଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ନେଇ ହାଇକୋର୍ଟଙ୍କ ରାୟ ପରେ ଆଜି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । କହିଛନ୍ତି, ବିଳମ୍ବରେ ହେଉପଛେ ଆଜି ମୋତେ ନ୍ୟାୟ ମିଳିଛି ।

ତା’ସହ ରାଜନୀତି କ୍ୟାରିୟର ଉପରେ ବି ମନ୍ତବ୍ୟ ରଖିଛନ୍ତି ଅନୁଭବ । ଆଗକୁ ଲୋକ ଯଦି ଚାହିଁବେ ତେବେ ରାଜନୀତି ମାଧ୍ୟମରେ ସେବା କରିବି ବୋଲି କହିଛନ୍ତି । ତେବେ ଅନୁଭବଙ୍କ ପ୍ରତିକ୍ରିୟା ଉପରେ ଅଭିନେତ୍ରୀ ବର୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଗତ ୨୧ ତାରିଖ ସାଂସଦ ଅନୁଭବ ମହାନ୍ତି-ବର୍ଷା ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରିବାର ଅଦାଲତ ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ପୂର୍ବରୁ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ । ହେଲେ ଏବେ ଅନୁଭବଙ୍କୁ ବିବାହ ବିଚ୍ଛେଦ ଅନୁମତି ମିଳିଛି ।

ପୂର୍ବରୁ ଦୁଇ ଓଲିଉଡ୍‌ ଷ୍ଟାରଙ୍କ ଘରକଳି ବାରମ୍ବାର ପଦାରେ ପଡ଼ିଛି । ଅନେକ ଥର ଦୁହେଁ ଦୁହିଁଙ୍କ ବିରୋଧରେ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏଇ ନିକଟରେ ଅର୍ଥାତ୍‌ ଅକ୍ଟୋବର ୧୦ ତାରିଖରେ ସୋସିଆଲ୍ ମିଡିଆରେ ପୁଣି ଭିଡିଓ ଛାଡ଼ି ଛାଡ଼ପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

  • Reported by:
  • BIBARTAN PANDA