• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇ ଦିନିଆ ଆଂଚଳିକ ଫିଲ୍ମ କନକ୍ଲେଭ୍ ତରଙ୍ଗ ସିନେଫ୍ଲିକ୍ସ । ପ୍ରଥମ ଦିନରେ ଚର୍ଚ୍ଚିତ ହିନ୍ଦୀ, ହରିୟାଣଭୀ ଏବଂ ମାଲୟାଲମ୍ ଫିଲ୍ମ ପ୍ରଦର୍ଶିତ ହୋଇଛି । ଫିଲ୍ମ ଦେଖିବା ସହ ତାଉପରେ ମତ ବିନିମୟ କରିଛନ୍ତି ପ୍ରସିଦ୍ଧ ନିର୍ଦ୍ଦେଶକ ଓ କଳାକାର ।

ଏବେ ଆଞ୍ଚଳିକ ସିନେମା କେବଳ ରାଜ୍ୟ ଭିତରେ ସୀମିତ ନରହି ଦେଶବିଦେଶରେ ଲୋକପ୍ରିୟତା ପାଉଥିବା ଏଥିରେ ମତ ପ୍ରକାଶ ପାଇଛି । କନକ୍ଲେଭର ପ୍ରଥମ ଦିନରେ ସାମିଲ ହୋଇ ତରଙ୍ଗର ଏଭଳି ପ୍ରୟାସ, ଆଂଚଳିକ ସିନେମାକୁ ନୂଆ ଦିଗ ଦେଖାଇବ ବୋଲି କହିଛନ୍ତି ଲୋକପ୍ରିୟ ଅଭିନେତା ୟଶପାଲ୍ ଶର୍ମା ।

ଗୋଟିଏ ମଞ୍ଚରେ ଦେଶର ବଛା ବଛା କଳାକାର, ପ୍ରସିଦ୍ଧ ଲେଖକ ଓ ନିର୍ଦ୍ଦେଶକ । ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ତରଙ୍ଗ ସିନେ ଫ୍ଲିକ୍ସ- ୨୦୨୩ । ଯେଉଁଠି ଆଞ୍ଚଳିକ ସିନେମାକୁ ନେଇ ଅନୁଷ୍ଠିତ ହୋଇଛି କନକ୍ଲେଭ୍ । ପ୍ରଥମ ଦିନରେ ପ୍ରଥମ ଫିଲ୍ମ ଭାବେ ପ୍ରଦର୍ଶିତ ହୋଇଛି ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ଦମନ ।

ଅପରାହ୍ନରେ ପ୍ରସିଦ୍ଧ ଅଭିନେତା ୟଶପାଲ ଶର୍ମାଙ୍କ ସୁପରହିଟ୍ ହରିୟାଣଭି ସିନେମା 'ଦାଦା ଲକ୍ଷ୍ମୀ' ଏବଂ ସନ୍ଧ୍ୟାରେ ମାଲାୟଲମ୍ ଫିଲ୍ମ ନାୟତୁ ଦେଖିବାକୁ ଜମିଛି ଖଚାଖଚ୍ ଭିଡ଼ । ସାରା ଦେଶରେ ଚର୍ଚ୍ଚିତ ତଥା ବହୁଳ ପ୍ରସାରିତ ଆଂଚଳିକ ସିନେମାକୁ ଦେଖିଛନ୍ତି ଦର୍ଶକ ।

ଏବେ ଆଞ୍ଚଳିକ ସିନେମା କେବଳ ରାଜ୍ୟ ଭିତରେ ସୀମିତ ରହିନି । ରିଜନାଲ୍ ଫିଲ୍ମ ବିଶ୍ୱବ୍ୟାପୀ ହିଟ୍ ହେଉଛି । ଲୋକେ ଓଡ଼ିଆ ସିନେମାକୁ ଦେଶର କୋଣ ଅନୁକୋଣରେ ଦେଖୁଛନ୍ତି । ଓଡ଼ିଆ ସିନେମାର ଦିଗ ଓ ଆଗାମୀ ଭବିଷ୍ୟତକୁ ନେଇ ଆଲୋଚନାଚକ୍ରରେ ଏଭଳି ମତ ରଖିଛନ୍ତି ଦେଶର ଜଣାଶୁଣା ନିର୍ଦ୍ଦେଶକ ଓ କଳାକାର ।

ବାସ୍ତବବାଦୀ ସିନେମା ମସଲା ଫିଲ୍ମର ସ୍ଥାନ ନେଇଥିବା ବେଳେ ପ୍ରଶଂସିତ ହେବା ସହ ବକ୍ସ ଅଫିସରେ ବି ଭଲ ବ୍ୟବସାୟ କରୁଥିବା କହିଛନ୍ତି ଲୋକପ୍ରିୟ କଳାକାର ଯଶପାଲ ଶର୍ମା । ଆଜି ତାଙ୍କର ବହୁଚର୍ଚ୍ଚିତ ହରିୟାଣଭୀ ଫିଲ୍ମ ଦାଦା ଲକ୍ଷ୍ମୀର ପ୍ରଦର୍ଶନ ବେଳେ ଖୋଦ୍ ୟଶପାଲ ଉପସ୍ଥିତ ଥିଲେ । ତରଙ୍ଗର ଏପରି ପ୍ରୟାସ ଆଞ୍ଚଳିକ ସିନେମାକୁ ନୂଆ ଦିଗ ଦେଖାଇବ ବୋଲି
କହିଛନ୍ତି ଯଶପାଲ ।

ପ୍ରଥମ ଥର ଲାଗି ଭୁବନେଶ୍ୱରରେ ଜମିଛି ଆଞ୍ଚଳିକ ସିନେମାର ସମ୍ଭାର ତରଙ୍ଗ ସିନେଫ୍ଲିକ୍ସ । ଦୁଇ ଦିନିଆ କନକ୍ଲେଭରେ ଆସନ୍ତାକାଲି ପ୍ରସିଦ୍ଧ ଅଭିନେତା ଅମୋଲ ପାଲେକର, ଲେଖିକା ସନ୍ଧ୍ୟା ଗୋଖଲେ ଓ ପ୍ରଖ୍ୟାତ ନିର୍ଦ୍ଦେଶକ ହଂସଲ ମେହେଟାଙ୍କ ସହ ଅନେକ ସୁନାମଧନ୍ୟ ଅତିଥି ସାମିଲ ହେବେ।