• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଫିଲ୍ମ ପ୍ରଦର୍ଶନ, ଆଉ ତା ସହିତ ମାନସ ମନ୍ଥନ । ଫୋକସରେ ଜାତୀୟ ଦୃଶ୍ୟପଟ୍ଟରେ ଆଞ୍ଚଳିକ ସିନେମା । ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ନିଆରା ଫିଲ୍ମ କନକ୍ଲେଭ ତରଙ୍ଗ ସିନେଫ୍ଲିକ୍ସ ୨୦୨୩ ଉଦଯାପିତ ହୋଇଛି ଅଭୂତପୂର୍ବ ସଫଳତାର ସହ ।

ଆଜି ଦ୍ୱିତୀୟ ଦିନରେ ସ୍କ୍ରିନିଂ ହୋଇଥିଲା ମରାଠୀ ଫିଲ୍ମ ଧୂସର, ବଙ୍ଗାଳି ଫିଲ୍ମ ହାମି-ଟୁ ଓ ଗୁଜରାଟୀ ଭାଷାରେ ହେଲ୍ଲାରୋ । ଏଥିସହିତ ଆଲୋଚନାରେ ଭାଗ ନେଇଥିଲେ ପ୍ରଖ୍ୟାତ ଅଭିନେତା ତଥା ଫିଲ୍ମ ନିର୍ମାତା ଅମୋଲ ପାଲେକର, ତାଙ୍କ ପତ୍ନୀ ତଥା ଲେଖିକା ସନ୍ଧ୍ୟା ଗୋଖଲେ ଏବଂ ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ହଂସଲ ମେହେଟ୍ଟା ।

କେବଳ ଓଡ଼ିଆ ନୁହେଁ, ବିଭିନ୍ନ ଭାରତୀୟ ଭାଷାର ସିନେମା ଶିଳ୍ପରେ ଯେ ଏକ ନୂଆ ଯୁଗର ଅୟମାରମ୍ଭ ହୋଇଛି ଏବଂ ତାହା ଆଗକୁ ଅଭିବୃଦ୍ଧିର ଆହୁରି ଅନେକ ପାହାଚ ଚଢ଼ିବାକୁ ଯାଉଛି, ତାହା ପ୍ରମାଣିତ ହୋଇଥିଲା ତରଙ୍ଗ ସିନେଫ୍ଲିକ୍ସ-୨୦୨୩ରେ ।

ଭୁବନେଶ୍ୱରରେ ଆୟୋଜିତ ଏ ଧରଣ ପ୍ରଥମ ସିନେ କନକ୍ଲେଭରେ କେବଳ ଓ କେବଳ ଆଞ୍ଚଳିକ ସିନେମା ଫୋକସରେ ଥିବା ବେଳେ, ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନରେ ଅତିଥି ଭାବେ ଯୋଗ ଦେଇଥିଲେ ୩ ପ୍ରଖ୍ୟାତ ଚେହେରା । ବରିଷ୍ଠ ବଲିଉଡ୍ ଅଭିନେତା ତଥା ଫିଲ୍ମ ନିର୍ମାତା ଅମୋଲ ପାଲେକର୍, ତାଙ୍କ ପତ୍ନୀ ତଥା ଲେଖିକା ସନ୍ଧ୍ୟା ଗୋଖଲେ ଏବଂ ଖ୍ୟାତନାମା ନିର୍ଦ୍ଦେଶକ ହଂସଲ ମେହେଟ୍ଟା ।

ଓଟିଭି ନେଟୱର୍କର ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ଆଲୋଚନା ବେଳେ, ଅମୋଲ ପାଲେକର୍ ଆଞ୍ଚଳିକ ସିନେମାର ବିଷୟବସ୍ତୁ ଓ କାହାଣୀ କହିବାର କଳା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଦୁଇଟି ଦିଗକୁ ଗୁରୁତ୍ୱ ଦେଉଥିବା ଆଞ୍ଚଳିକ ସିନେମା ପ୍ରତି ଦର୍ଶକଙ୍କ ଦୃଷ୍ଟିଭଙ୍ଗୀରେ ସକାରାତ୍ମକ ପରିବର୍ତ୍ତନ ଆସୁଥିବା କହିଥିଲେ ପାଲେକର୍ ।

ସେହିପରି ଫିଲ୍ମ ନିର୍ମାତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରସଙ୍ଗରେ ମତ ରଖିଥିଲେ ସନ୍ଧ୍ୟା ଗୋଖଲେ । ତରଙ୍ଗ ସିନେଫ୍ଲିକ୍ସର ଦ୍ୱିତୀୟ ତଥା ଅନ୍ତିମ ଦିନରେ ପ୍ରଦର୍ଶିତ ହୋଇଥିଲା ୩ଟି ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ଆଞ୍ଚଳିକ ସିନେମା । ଅମୋଲ ପାଲେକରଙ୍କ ମରାଠୀ ଫିଲ୍ମ ଧୂସର, ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଯୋଡ଼ି ନନ୍ଦିତା ରାୟ ଓ ଶିବ ପ୍ରସାଦ ମୁଖାର୍ଜୀଙ୍କ ବଂଗଳା ଫିଲ୍ମ ହାମି-ଟୁ ଏବଂ ଗୁଜରାଟୀ ଫିଲ୍ମ ହେଲ୍ଲାରୋ ।

ବିଷୟବସ୍ତୁ ମୌଳିକ ଓ ଉଚ୍ଚକୋଟିର ଥିଲେ ଆଞ୍ଚଳିକ ସିନେମା ବି ଯେ ରାଜ୍ୟ ଓ ଭାଷାର ସୀମା ଡେଇଁ ଦେଶବିଦେଶରେ ସୁନାମ ଅର୍ଜନ କରିପାରେ, ଏହିସବୁ ଫିଲ୍ମ ଦେଖି ଉପଲବ୍ଧି କରିଥିଲେ ବିମୁଗ୍ଧ ଦର୍ଶକ । ତେବେ ସମସ୍ତଙ୍କ ଅପେକ୍ଷା ଥିଲା ସାହିଦ, ସିଟିଲାଇଟ୍ସ ଓ ଆଲିଗଡ଼ ଭଳି ଫିଲ୍ମର ନିର୍ଦ୍ଦେଶକ ହଂସଲ ମେହେଟ୍ଟାଙ୍କ ମୁହଁରୁ କିଛି ଶୁଣିବାକୁ ।

ଓଟିଟି ମଞ୍ଚର ବର୍ଦ୍ଧିତ ଲୋକପ୍ରିୟତା ଏବଂ ଆଞ୍ଚଳିକ ସିନେମା ପ୍ରତି ଏହାର ଆଭିମୁଖ୍ୟକୁ ନେଇ ମତ ରଖିଥିଲେ ସେ । ଆଜି ଉଦଯାପିତ ହୋଇଥିବା ତରଙ୍ଗ ସିନେଫ୍ଲିକ୍ସ-୨୦୨୩ କେବଳ ବିଭିନ୍ନ ଭାଷାର ଆଞ୍ଚଳିକ ସିନେମା ପ୍ରଦର୍ଶନ ଏବଂ ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଓ ଅଭିନେତାଙ୍କୁ ମତ ବିନିମୟର ସୁଯୋଗ ଆଣିଦେଇ ନଥିଲା । ବରଂ ଏକ ନୂଆ ଦିଶା ଦେଖାଇଥିଲା ଚଳଚ୍ଚିତ୍ର ଶିଳ୍ପ ପ୍ରତି ଆଗ୍ରହୀ ଆଗାମୀ ପିଢ଼ିକୁ ।

ଭୁବନେଶ୍ୱରରୁ ପ୍ରଶନଜିତ ରାୟଙ୍କ ରିପୋର୍ଟ ଓଟିଭି