• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

‘ରାମାୟଣ’ କଥା କହିଲେ ଆପଣଙ୍କ ସେହି ପୁରୁଣା ଦିନ ଗୁଡ଼ିକ ନିଶ୍ଚୟ ମନେପଡ଼ିଯାଉଥିବ । ଆଖିଆଗରେ ସେହି ସୁନ୍ଦର ଅଭୁଲା ଦିନଗୁଡ଼ିକର ସ୍ମତି ଯେମିତି ଜୀବନ୍ତ ହୋଇଉଠୁଥିବ । କାରଣ ସେହି ସୋ’ ହେଉଛି ୮୦ ଦଶକର ସୌନ୍ଦର୍ଯ୍ୟ । ଦୂରଦର୍ଶନରେ ସେତେବେଳେ ରାମାନନ୍ଦ ସାଗରଙ୍କ ମେଗା ଧାରାବାହିକ ‘ରାମାୟଣ’ ପ୍ରତି ଲୋକଙ୍କ ଅନେକ ଭଲପାଇବା ରହିଥିଲା ।

ପ୍ରତ୍ୟେକ ରବିବାର ଦିନ ଟିଭିରେ ‘ରାମାୟଣ’ ପ୍ରସାରିତ ହେଉଥିଲା । ତାହାସହ ଦୂରଦର୍ଶନରେ ଅନେକ ମେଗା ଧାରାବାହିକ ପ୍ରସାରିତ ହେଉଥିଲେ ମଧ୍ୟ ‘ରାମାୟଣ’ ପ୍ରତି ଲୋକଙ୍କ ଅତୁଟ ଭଲପାଇବା ରହିଥିଲା । ଯାହା ଆଜି ଯାଏଁ ବଜାୟ ରହିଛି । ସିରିଏଲର ଚରିତ୍ରଗୁଡ଼ିକ ପ୍ରାୟ ପ୍ରତ୍ୟେକ ଘରେ ପହଞ୍ଚିଛି । କରୋନା ସମୟରେ ପୁଣି ଥରେ ‘ରାମାୟଣ’କୁ ପ୍ରସାରଣ କରାଯାଇଥିଲା । ଯାହାକୁ ଲୋକମାନେ ପୁଣିଥରେ ପସନ୍ଦ କରିବା ସହ ଏପିସୋଡ୍‌ ଗୁଡ଼ିକ ରେକର୍ଡ ଭାଙ୍ଗି ଟିଆରପି ହାସଲ କରିଥିଲା ।

ବିଗତ ଦିନରେ ସେହି ଧାରାବାହିକ ‘ରାମାୟଣ’କୁ ନେଇ ଆଜି ଆମେ କିଛି ଆପଣଙ୍କୁ ଅଜଣା କଥା ଜଣାଉବୁ ଯାହା ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ । ରାମାନନ୍ଦ ସାଗରଙ୍କ ଧାରାବାହିକ ‘ରାମାୟଣ’ରେ ରାମ, ଲକ୍ଷ୍ମଣ, ସୀତା, ରାବଣ ଓ ବିଭୀଷଣଙ୍କ ଚରିତ୍ର ପରି ପ୍ରାୟ ସମସ୍ତ ଚରିତ୍ର ହୃଦୟ ସ୍ପର୍ଶୀ ହୋଇଥିଲା । ଆଉ ଏଥିରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିଲେ ସୁନୀଲ ଲହରୀ । ସୁନୀଲଙ୍କ ଅଭିନୟ ଦର୍ଶକଙ୍କ ମନକୁ ଖୁବ୍‌ ପସନ୍ଦ ଆସିଥିଲା । ତାଙ୍କର କ୍ରୋଧ, ଭାଇ ଓ ଭାଉଜଙ୍କ ପ୍ରତି ଭଲପାଇବା ଜିତିଥିଲା ଦର୍ଶକଙ୍କ ହୃଦୟକୁ ।

ହେଲେ ନିକଟରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ସୁନୀଲ ଲହରୀ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ପୁରୁଣା ଦିନର କଥାକୁ ମନେପକାଇଛନ୍ତି । ଏପ୍ରିଲ ୧୬,୨୦୨୦ରେ ‘ରାମାୟଣ’କୁ ପୁନଃ ପ୍ରସାରଣ କରାଯାଇଥିଲା । ଯେଉଁଥିରେ ଲକ୍ଷ୍ମଣ ଏବଂ ମେଘନାଦଙ୍କ ଯୁଦ୍ଧ ହୋଇଥିଲା । ଦର୍ଶକମାନେ ସେହି ଏପିସୋଡ୍‌ଟିକୁ ଏତେ ଭଲ ପାଉଥିଲେ ଯେ, ୭.୭ କୋଟି ଦର୍ଶକ ଦେଖିଥିଲେ । ଯାହା ଏକ ବିଶ୍ୱ ରେକର୍ଡ ଥିଲା ବୋଲି ସୁନୀଲ କହିଛନ୍ତି ।

ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା ଲକ୍ଷ୍ମଣ-ମେଘନାଦଙ୍କ ଯୁଦ୍ଧ

‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଏହି ଭିଡିଓଟିକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ ସେ କ୍ୟାପସନରେ ଲେଖିଛନ୍ତି, ‘ଏପ୍ରିଲ ୧୬, ୨୦୨୦ରେ ପ୍ରସାରିତ ହୋଇଥିବା ‘ରାମାୟଣ’ର ଲକ୍ଷ୍ମଣ-ମେଘନାଦ ଯୁଦ୍ଧ ଏପିସୋଡ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା । ଯାହା ଏକ ଐତିହାସକ ସୋ’ ବୋଲି ସେ କହିଛନ୍ତି । ତହାସହ ଦର୍ଶକ ମାନଙ୍କୁ ଧନ୍ୟବାଦ ଜଣାଇ ଏହା କେବଳ ଆପଣମାନଙ୍କ ପାଇଁ ସମ୍ଭବ ବୋଲି ସୁନୀଲ କ୍ୟାପସନ୍‌ରେ ଲେଖିଛନ୍ତି । ଖାଲି ସେତିକି ନୁହେଁ ଲକ୍ଷ୍ମଣ ଏବଂ ମେଘନାଦ ମଧ୍ୟରେ ହୋଇଥିବା କିଛି ଯୁଦ୍ଧ ଦୃଶ୍ୟର ସେ ସେୟାର କରିଛନ୍ତି ।