• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କୁ ଆକ୍ରମଣ । ଷ୍ଟେଜ୍‌ରୁ ପରଫମାନ୍ସ ସାରି ଓହ୍ଲାଇବା ବେଳେ ଖାଇଲେ ଧକ୍କା । ପରେ ଥାନାରେ ଯାଇ ମାମଲା ଦାଏର କଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଚେମ୍ବୁର ଜିଲ୍ଲାରେ । ସୋନୁ ନିଗମ ସୋମବାର ଏକ କନସର୍ଟରେ ପ୍ରଦର୍ଶନ ସାରି ମଞ୍ଚ ତଳକୁ ଓହ୍ଲାଉଥିବା ବେଳେ ଧକ୍କା ମାରିଥିଲେ କିଛି ଯୁବକ । ତାଙ୍କ ଧକ୍କାରେ ସୋନୁ ନିଗମ ତଳେ ପଡ଼ିଥିବା ବେଳେ ତାଙ୍କର ଜଣେ ବନ୍ଧୁ ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ ଚିକିତ୍ସିତ ହେଉଛନ୍ତି ।

ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋନୁ ନିଗମ କନସର୍ଟରେ ନିଜର ପ୍ରଦର୍ଶନ ସାରି ତଳକୁ ଓହ୍ଲାଇବା ବେଳେ କିଛି ଲୋକ ତାଙ୍କ ପାଖକୁ ଯାଇ ସେଲ୍‌ଫି ନେବାକୁ ଚେଷ୍ଟା କରିଥିଲେ । ଖାଲି ସେତିକି ନୁହେଁ ତାଙ୍କ ହାତକୁ ବି ଧରିଥିଲେ । ସୋନୁ ଏନେଇ ଆପତ୍ତି ଜଣାଇଥିବା ବେଳେ ତାଙ୍କ ବନ୍ଧୁମାନେ ମଧ୍ୟ ଏହାକୁ ବାରଣ କରିଥିଲେ।

ତେବେ ଏଥିରେ ଯୁବକମାନେ ଉତ୍‌କ୍ଷିପ୍ତ ହୋଇ ସୋନୁ ଓ ତାଙ୍କ ବନ୍ଧୁଙ୍କ ସହ ପାଟି ତୁଣ୍ଡ କରିଥିଲେ । ଏମିତିକି ତାଙ୍କୁ ଧକ୍କା ମାରିଥିଲେ ଓ ଆକ୍ରମଣ କରିଥିଲେ । ଧକ୍କା ମାରିଥିବା ଯୁବକ ଜଣକ ଉଦ୍ଧବ ଠାକ୍‌ରେ ଶିବସେନା ଗୋଷ୍ଠିର ଜଣେ ବିଧାୟକଙ୍କ ପୁଅ ବୋଲି ଜଣାପଡ଼ିଛି । ତେବେ ଯୁବକଙ୍କ ଆକ୍ରମଣରେ ସୋନୁଙ୍କ ବନ୍ଧୁ ତଳେ ପଡ଼ି ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସୋନୁ ନିଗମ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । 

ସୋନୁଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

ତେବେ ଏହି ଘଟଣାର ଏକ ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ଏହି ସୋସିଆଲ ମିଡିଆ ଭିଡିଓ କ୍ଲିପ୍‌ ମାଧ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଧରିବ ବୋଲି ଆଶା କରାଯାଉଛି । ଏହାସହ କାର୍ଯ୍ୟକ୍ରମର ଆୟୋଜକଙ୍କୁ ପଚରାଉଚରା ମଧ୍ୟ କରିବ ।