• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହାଟରେ ପଡ଼ି ଦାଣ୍ଡରେ ଗଡୁଛି ରାଜ୍ୟର ନାମୀଦାମୀ କଳାକାରଙ୍କ ପାରିବାରିକ ବିବାଦ । ଅଭିନେତା ଅନୁଭବ ମହାନ୍ତିଙ୍କଠୁ ଆରମ୍ଭ କରି ବାବୁସାନଙ୍କ ଯାଏଁ, ଥାନାରୁ ଆରମ୍ଭ କରି କୋର୍ଟ କଚେରୀ ଯାଏଁ କଥା ଯାଇଛି ।ଏହି ଧାରାରେ ଏବେ ଯୋଡ଼ି ହୋଇଛି, ପ୍ଲେ ବ୍ୟାକ୍ ସିଙ୍ଗର୍ ହ୍ୟୁମାନ ସାଗରଙ୍କ ନାଁ ।୧ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣି କଟକ ମହିଳା ଥାନାରେ ଅଭିଯୋଗ କରିଛନ୍ତି ହ୍ୟୁମାନଙ୍କ ପତ୍ନୀ । ତେବେ କଟକ ଡିସିପି କହିଛନ୍ତି, ହ୍ୟୁମାନ ଓ ତାଙ୍କ ପତ୍ନୀଙ୍କୁ ଆସନ୍ତାକାଲି ଡକାଯାଇଛି, ଉଭୟଙ୍କୁ କାଉନସେଲିଂ ପରେ ପଦକ୍ଷେପ ନିଆଯିବ ।

ସଂଗୀତ ମଞ୍ଚରେ କଣ୍ଟ୍ରୋଭର୍ସି ଗୀତ ଗାଇ ବିବାଦୀୟ ହୋଇଥିବା କଣ୍ଠଶିଳ୍ପୀ ହ୍ୟୁମାନ, ଏବେ ଦାମ୍ପତ୍ୟ ଜୀବନରେ ବି ବିବାଦରେ ଫସିଛନ୍ତି । ଛନ୍ଦି ହୋଇପଡ଼ିଛନ୍ତି ଘରୋଇ ହିଂସାର ଅଭିଯୋଗ ଜାଲରେ । ପତ୍ନୀ ଶ୍ରୀୟା ମିଶ୍ର ହ୍ୟୁମାନଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କଟକ ମହିଳା ଥାନାରେ । ପତ୍ନୀଙ୍କୁ କେଉଁଭଳି ମାନସିକ ଓ ଶାରିରୀକ ନିର୍ଯାତନା ଦେଇଛନ୍ତି ହ୍ୟୁମାନ, ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ପୋଲିସ କିନ୍ତୁ ଅଭିଯୋଗ ଉପରେ ତତ୍ପରତା ଦେଖାଇଛି ।

ସୂଚନା ଅନୁଯାୟୀ, ଦାମ୍ପତ୍ୟ ବିବାଦ ଯୋଗୁ, ପ୍ରାୟ ୬ ମାସ ହେଲା, ନିଜ ପିଲାକୁ ଧରି ବାପଘରେ ରହୁଛନ୍ତି ହ୍ୟୁମାନଙ୍କ ପତ୍ନୀ । ଏବେ ପୋଲିସ୍ ନିକଟରେ ଅଭିଯୋଗ ହେବା ପରେ ଡିସିପି କହିଛନ୍ତି, ଉଭୟଙ୍କୁ ଆସନ୍ତାକାଲି କଟକ ମହିଳା ଥାନା ଏବଂ ଫ୍ୟାମିଲି କାଉନସିଲରଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି । ହ୍ୟୁମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ଥିଲେ ଏବଂ ଆପୋଷ ଆଲୋଚନାରେ ବିବାଦର ସମାଧାନ ନହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ରା ।

ହୁ୍ୟମାନ ସାଗର । ଓଲିଉଡର ଅନ୍ୟତମ ପ୍ଲେ ବ୍ୟାକ୍ ସିଙ୍ଗର୍ ଭାବେ ଯେତିକି ନାଁ କରିଛନ୍ତି, ସେତିକି ବିବାଦୀୟ ବି ହୋଇପଡିଛନ୍ତି ବିଭିନ୍ନ ସମୟରେ । ୨୦୨୦ରେ ଛେଣ୍ଡିପଦା ରାଣୀ ଶୀର୍ଷକ ଏକ ଗୀତ ଗାଇ ଟଣାହୋଇଥିଲେ ଥାନାକୁ । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଉନଥିବା ଅଭିଯୋଗରେ ସୋସିଆଲ୍ ମିଡ଼ିଆଠୁ ଆରମ୍ଭ କରି ବିଭିନ୍ନ ମହଲରେ ନିନ୍ଦିତ ହୋଇଥିଲେ । ପରେ ଅବଶ୍ୟ ଷ୍ଟୁଡ଼ିଓରୁ ଷ୍ଟେଜ୍ ସୋ ଯାଏଁ ଶ୍ରୀଜଗନ୍ନାଥଙ୍କ ଏକାଧିକ ଭଜନ ବୋଲିଛନ୍ତି । କେବଳ ହ୍ୟୁମାନ କାହିଁକି, ପୂର୍ବରୁ ଓଲିଉଡର ଏଭଳି ପାରିବାରିକ କଳିର ଧାରାରେ ଅଭିନେତା ଅନୁଭବ ମହାନ୍ତି ଏବଂ ବାବୁସାନ ବି ବିବାଦୀୟ ହୋଇଛନ୍ତି । ତେବେ ପରଦା ଓ ମଞ୍ଚରେ ନିଜ ନିଜର ଅଭିନୟ ଜରିଆରେ ସମାଜକୁ ନୂଆ ଦିଶା ଦେଖାଉଥିବା ଅଭିନେତା ଓ କଳାକାରମାନଙ୍କ ବାସ୍ତବ ଜୀବନରେ କାହିଁକି ଘଟୁଛି ଏମିତି ? ଏହାକୁ ନେଇ ପ୍ରକାଶ ପାଇଛି ଉଦବେଗ ।

ତେବେ ଏହି ମାମଲା ଆଗକୁ ଜଟିଳ ହେଉଛି ନା କାଉନସେଲିଂ ଜରିଆରେ ସମାଧାନର ସୂତ୍ର ବାହାରୁଛି, ତାକୁ ଅପେକ୍ଷା ।