Advertisment

କବିତା ଚୌଧୁରୀଙ୍କୁ ଶେଖରଙ୍କ ଶ୍ରଦ୍ଧାଞ୍ଜଳୀ; କହିଲେ, ‘ଉଡାନ’ ଥିଲା ଅନେକଙ୍କ ପାଇଁ ପ୍ରେରଣା

କବିତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗଭୀର ଶୋକପ୍ରକାଶ କରିଛନ୍ତି ଅଭିନେତା ଶେଖର କାପୁର।

author-image
Santosh Kumar Sahoo
udaan

udaan

ଆଉନାହାନ୍ତି ଲୋକପ୍ରିୟ ଟିଭି ସିରିଏଲ 'ଉଡାନ' ଫେମ୍ ଅଭିନେତ୍ରୀ କବିତା ଚୌଧୁରୀ। ହୃଦଘାତରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି କବିତା । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ନେଇ ଭଣଜା ଅଜୟ ସୟଲ ସୂଚନା ଦେଇଥିଲେ । ତେବେ ତାଙ୍କ ବିୟୋଗରେ ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି ।

Advertisment

କବିତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗଭୀର ଶୋକପ୍ରକାଶ କରିଛନ୍ତି ଅଭିନେତା ଶେଖର କାପୁର। କବିତାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ସିରିଏଲରେ ପୁରୁଷ ଲିଡ୍‌ ହରିଶ ମେନନ୍ ଭୂମିକାରେ ଅଭିନୟ କରୁଥିବା ଶେଖର କାପୁର ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି,‘କବିତା ଚୌଧୁରୀଙ୍କ ନିଧନ ଖ‍ବର ଆଶ୍ଚର୍ଯ୍ୟଜନକ ଅଟେ। ସେ ‘ଉଡାନ’ ସିରିଏଲ୍‌ କରିଥିଲେ। ଯାହା ଆମ ସମୟର ଅନ୍ୟତମ ପ୍ରେରଣାଦାୟକ ଧାରାବାହିକ। ଏହି ସିରିଏଲ୍‌ ଦେଖିବା ପରେ ଅନେକ ଅନୁପ୍ରାଣିତ ହୋଇଥିଲେ। ଭାରତୀୟ ସିଭିଲ୍‌ ସର୍ଭିସରେ ଉଚ୍ଚ ପଦବୀରେ ଥିବା ଅନେକ ମହିଳା ମୋ ପାଖକୁ ଆସି କହୁନ୍ତି କି ସେମାନେ ‘ଉଡାନ୍‌’ ଦେଖି ଅନୁପ୍ରାଣିତ ହୋଇଥିଲେ। ସେ ଜଣେ ଚମତ୍କାର ନିର୍ଦ୍ଦେଶକ ଥିଲେ’ ବୋଲି ‘X’ରେ ଲେଖିଛନ୍ତି ଶେଖର କାପୁର।

Advertisment

ସୂଚନା ଅନୁସାରେ, କବିତା ଚୌଧୁରୀ କର୍କଟ ରୋଗରେ ପୀଡିତ ଥିଲେ। ଦୀର୍ଘ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ ହୃଦଘାତର ମଧ୍ୟ ଶିକାର ହୋଇଥିଲେ । ପରେ ତାଙ୍କୁ ଅମୃତସରର ପାର୍ବତୀ ଦେବୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ଅମୃତସରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

୧୯୮୯ରେ 'ଉଡାନ' ସିରିଏଲ୍‌ ରିଲିଜ ହୋଇଥିଲା। କବିତା ଏଥିରେ ଆଇପିଏସ୍ ଅଧିକାରୀ କଲ୍ୟାଣୀ ସିଂ ଭୂମିକାରେ ଅଭିନୟ କରିଥିଲେ । ଏହା ସହ ସେ ଏହି ସିରିଏଲରେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ସିରିଏଲଟି ତାଙ୍କ ଭଉଣୀ କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ଜୀବନୀ ଉପରେ ଆଧାରିତ ଥିଲା, ଯିଏ କିରଣ ବେଦୀଙ୍କ ପରେ ଦ୍ୱିତୀୟ ମହିଳା ଆଇପିଏସ୍ ଅଧିକାରୀ ହୋଇଥିଲେ ।

କବିତା ତାଙ୍କ ସିରିଏଲ 'ଉଡାନ' ମାଧ୍ୟମରେ ମହିଳା ସଶକ୍ତିକରଣର ଏକ ଉଦାହରଣ ପାଲଟିଥିଲେ । ପରେ ତାଙ୍କ କ୍ୟାରିଅରରେ କବିତା 'ୟର ଅନର' ଏବଂ 'ଆଇପିଏସ ଡାଏରୀ' ଭଳି ସିରିଏଲ୍‌ କରିଥିଲେ । ଏଥିସହ ୧୯୮୦ ଏବଂ ୧୯୯୦ ଦଶକରେ ପ୍ରସିଦ୍ଧ ସର୍ଫ ବିଜ୍ଞାପନରେ ଲଳିତାଜୀଙ୍କ ଭୂମିକାରେ ଅଭିନୟ କରି ସେ ଫେମସ୍ ହୋଇଥିଲେ।

Shekhar Kapur TV Actors
Advertisment
Advertisment