• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହତ୍ୟା ଧମକ ପରେ ବଢିଲା ଅଭିନେତା ସଲମନ ଖାନ୍ ଓ ବାପା ସମିଲ୍ ଖାନଙ୍କ ସୁରକ୍ଷା । ଧମକପୂର୍ଣ୍ଣ ଚିଠି ମିଳିବା ପରେ ଆକ୍ସନ ମୋଡକୁ ଆସିଛି ମୁମ୍ବାଇ ପୋଲିସ । ପଞ୍ଜାବ ସିଙ୍ଗର ସିଦ୍ଧୁ ମୁସେଓ୍ୱାଲାଙ୍କ ଭଳି ତୁମର ଅବସ୍ଥା କରିଦେବୁ ବୋଲି ଚିଠିରେ ଲେଖାଯାଇଛି । ମୁସେଓ୍ୱାଲାଙ୍କ ହତ୍ୟା ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ପୂର୍ବରୁ ମଧ୍ୟ ସଲମାନଙ୍କୁ ହତ୍ୟା ଧମକ ଦେଇଥିବାରୁ ତାକୁ ଜେଲରେ ପଚରାଉଚରା କରାଯାଉଛି । ସେହିପରି ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ କରୁଛି । ଏହା କୌଣସି ଗ୍ୟାଙ୍ଗଷ୍ଟରର ଧମକ ନା ହଟଚମଟ ସୃଷ୍ଟି ଲାଗି କିଏ ଏଭଳି ବଦମାସି କରିଛି ତାର ଛାନଭିନ୍ ଜାରି ରହିଛି ।

ମୁମ୍ବାଇ ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟ ନିକଟରୁ ଏହି ଚିଠି ଉଦ୍ଧାର ହୋଇଛି । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ୱାଲାଙ୍କ ପରି ଅବସ୍ଥା ହେବ ବୋଲି ଚିଠିରେ ଲେଖାଯାଇଛି । ମର୍ଣ୍ଣିଂ ଓ୍ୱାକ୍ ପରେ ସଲିମ ଖାନ୍ ଯେଉଁ ସ୍ଥାନରେ ବସନ୍ତି, ସେଠାରୁ ଏହି ଚିଠି ମିଳିଛି । ସଲିମ ପୋଲିସକୁ ଜଣାଇବା ପରେ ବାନ୍ଦ୍ରା ପୋଲିସ ଏତଲା ଦାୟର କରିବାସହ ତଦନ୍ତ ଆରମ୍ଭ କରିଛି । ଚିଠି କିଏ ରଖିଲା ତାହା ଜାଣିବା ଲାଗି ସିସିଟିଭି ଯାଞ୍ଚ କରାଯାଉ ଛି ।

କିଛି ଦିନ ତଳେ ଲୋକପ୍ରିୟ ପଂଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା । କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ତଥା ବିଷ୍ଣୋଇର ସହଯୋଗୀ ଗୋଲ୍ଡି ବ୍ରାର୍ ଫେସବୁକ୍ ପୋଷ୍ଟ ଜରିଆରେ ଏହି ଦାବି କରିଥିଲା । ଏକ ପୂର୍ବ ଶତ୍ରୁତାକୁ ନେଇ ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା କରାଯାଇଥିବା ଓ ଏହା ଗ୍ୟାଙ୍ଗଓ୍ୱାରର ପରିଣତି ବୋଲି କହିଥିଲା ପଞ୍ଜାବ ପୋଲିସ ।

ତେଣେ କଣ ପାଇଁ ସଲମାନଙ୍କୁ ଦିଆଯାଉଛି ହତ୍ୟା ଧମକ? କଣ ପାଇଁ ତାଙ୍କୁ ଟାର୍ଗେଟ କରିପାରେ ବିଷ୍ଣୋଇ ଗ୍ୟାଙ୍ଗ୍ ବୋଲି ପ୍ରଶ୍ନ ଉଠୁଛି । ରାଜସ୍ଥାନରେ ଫିଲ୍ମ ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାରକୁ ନେଇ ବିବାଦୀୟ ହୋଇପଡିଥିଲେ ସଲମାନ । ତେବେ ବିଷ୍ଣୋଇ ସଂପ୍ରଦାୟ କୃଷ୍ଣସାର ମୃଗକୁ ଅତି ପବିତ୍ର ମାନିଥାଆନ୍ତି । ତେଣୁ ସଲମାନଙ୍କ ଉପରେ କ୍ଷୁବ୍ଧ ହୋଇଥିଲା ଗ୍ୟାଙ୍ଗଷ୍ଟର ବିଷ୍ଣୋଇ ।

ଏମିତିକି ସଲମନଙ୍କୁ ହତ୍ୟା କରାଯିବ ବୋଲି ଖୋଲାଖୋଲି ଧମକ ବି ଦେଇଥିଲା । ୨୦୨୧ରେ ପୋଲିସ ଜେରା ବେଳେ ସଲମାନ ମର୍ଡର ପ୍ଲଟର ଖୁସାଲା ବି କରିଥିଲା ଲରେନ୍ସ ବିଷ୍ଣୋଇ । ରାଜସ୍ଥାନର ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ସଂପଦ ନେହରାକୁ ସଲମାନଙ୍କୁ ହତ୍ୟା ଲାଗି ନିୟୋଜିତ କରାଯାଇଥିଲା । ଏମିତିକି ସଂପଦ ମୁମ୍ବାଇ ଆସି ସଲମାନଙ୍କ ଘରର ରେକି କରିଥିଲା ।

ମାତ୍ର ଉପଯୁକ୍ତ ବନ୍ଧୁକ ନଥିବାରୁ ଯୋଜନା କାର୍ଯ୍ୟକାରୀ ହୋଇପାରିନଥିଲା । ପରେ ପୋଲିସ ଗୁଇନ୍ଦା ସୂଚନା ଆଧାରରେ ମର୍ଡର ପ୍ଲଟରେ ସାମିଲ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ସେ ଦୃଷ୍ଟିରୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ହେପାଜତରେ ଥିବା ଲରେନ୍ସକୁ ଚିଠି ସଂପର୍କରେ ପଚରାଉଚରା କରାଯାଉଛି । ସଲମାନ ଓ ତାଙ୍କ ବାପାଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି ।

ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନାଁରେ କେହି ହଟଚମଟ ସୃଷ୍ଟି ଲାଗି ଉଦ୍ୟମ କରୁନାହିଁ ତ, ପୋଲିସ ସେନେଇ ବି ତନାଘନା ଜାରି ରଖିଛି ।