/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737186122.jpg)
Saif Ali Khan
ବଲିଉଡ୍ ଷ୍ଟାର ସୈଫ ଅଲୀ ଖାନଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣା କେବଳ ମୁମ୍ବାଇ ନୁହେଁ ସାରା ଦେଶରେ ସୃଷ୍ଟି କରିଛି ହଇଚଇ। କାହିଁକି ଅଭିଯୁକ୍ତ ସୈଫଙ୍କୁ ଛୁରା ମାଡ଼ କଲା ଏବେବି ତାକୁ ନେଇ ଜାରି ରହିଛି ସସପେନ୍ସ। ଏହିସବୁ ଭିତରେ ସୈଫ ଅଲୀଙ୍କୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ମେଡିକାଲ ପହଞ୍ଚାଇ ଥିବା ଅଟୋ ରିକ୍ସା ଡ୍ରାଇଭର ବଖାଣିଛନ୍ତି କାଳରାତି ଛାତିଥରା କାହାଣୀ।
ଅଟୋ ରିକ୍ସା ଡ୍ରାଇଭର ଭଜନ ସିଂହ ରଣା କହିଛନ୍ତି, ମୁଁ ଅଟୋ ନେଇ ଆସୁଥିଲି। ହଠାତ୍ ଏକ ଶବ୍ଦ ଶୁଣିଲି। ଦୂରରୁ ଜଣେ ମହିଳା ଡାକିଲେ, ରିକ୍ସା-ରିକ୍ସା।’ ମୁଁ ମହିଳାଙ୍କ ଚିତ୍କାର ଶୁଣି ପ୍ରଥମେ ଭୟଭୀତ ହୋଇ ପଡ଼ିଥିଲି। ପରେ ମୁଁ ୟୁ-ଟର୍ନ ନେଇ ସୈଫ ଅଲୀ ଖାନଙ୍କ ବାନ୍ଦ୍ରା ସ୍ଥିତ ଘରେ ଗେଟ୍ ପାଖକୁ ଗଲି। ଏବଂ ସେଠାରେ ଗାଡି ପାର୍କିଂ କଲି। ଜଣେ ମହିଳା ଆସି କହିଥିଲେ, ଗୁରୁତର ଅଛନ୍ତି, ଡାକ୍ତରଖାନା ଯିବାର ଅଛି। ପରେ ସୈଫ ଅଲୀ ଖାନଙ୍କୁ ଆଣି ଅଟୋ ରିକ୍ସାରେ ବସାଯାଇଥିଲା।
ହେଲେ ମୁଁ ସେତେବେଳକୁ ସୈଫ ଅଲି ଖାନ୍ ବୋଲି ଜାଣି ନଥିଲି। ସେ ଏକ କୁର୍ତ୍ତା ପିନ୍ଧିଥିଲେ, ଯାହା ସମ୍ପୂର୍ଣ୍ଣ ରକ୍ତରେ ଭିଜି ସାରିଥିଲା। ପୂରା ଶରୀରରେ ଗଭୀର ଅଘାତ ଲାଗିଥିଲା। ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହାପରେ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲି। ମେଡିକାଲରେ ପହଞ୍ଚାଇବା ପରେ ସେ ବଲିଉଡ୍ ଷ୍ଟାର ସୈଫ ଅଲୀ ଖାନ୍ ବୋଲି ଜାଣିଥିଲି। ମେଡିକାଲରେ ଡାକ୍ତର ତାଙ୍କର ଶୀଘ୍ର ଚିକିତ୍ସା ଆରମ୍ଭ କରିଥିଲେ। ସୈଫଙ୍କ ସହ ଅଟୋରେ ତାଙ୍କର ବଡ଼ ପୁଅ ଇବ୍ରାହିମ ଅଲି ଖାନ୍ ଯାଇଥିଲେ। ଏଥିସହ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ,ଆଜି ବାନ୍ଦ୍ରା ପୁଲିସ ଅଟୋ ଡ୍ରାଇଭରଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।
ଅଧିକ ପଢ଼ନ୍ତୁ: ଟାର୍ଗେଟରେ ଥିଲେ କି ଶାହରୁଖ ? ସୈଫଙ୍କୁ ଆକ୍ରମଣ ପୂର୍ବରୁ…
ସୂଚନାଯୋଗ୍ୟ, ଗୁରୁବାର ରାତି ପ୍ରାୟ ୨ଟା ସମୟରେ ବାନ୍ଦ୍ରା ସ୍ଥିତ ଘରେ ତାଙ୍କୁ ଛୁରା ମାଡ଼ ହୋଇଥିଲା। ସେତେବେଳେ ସୈଫ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଶୋଇଥିଲେ। ହଠାତ୍ ସୈଫ ତାଙ୍କର ଜଣେ ଘରୋଇ ସହାୟିକାଙ୍କ ଚିତ୍କାର ଶୁଣିଥିଲେ। ଘରୋଇ ସହାୟିକା ଜଣଙ୍କ ସୈଫଙ୍କ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀରେ ଶୋଇଥିଲେ। ଦୁର୍ବୃତ୍ତ ଜଣଙ୍କ ପ୍ରଥମେ ସେହି କୋଠରୀରେ ପଶିଥିଲେ। ଘରୋଇ ସହାୟିକା ତାଙ୍କୁ ଦେଖିବା ପରେ ଚିତ୍କାର କରିଥିଲେ। ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଆଘାତ ଦେବାକୁ ଉଦ୍ୟମ କରିଥିଲେ।
ଘରୋଇ ସହାୟିକାଙ୍କ ଚିତ୍କାର ଶୁଣି ସୈଫ ସେଠାକୁ ଦୌଡ଼ି ଯାଇଥିଲେ। ସୈଫ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ। ହେଲେ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଛୁରୀରେ ଏକାଧିକ ଥର ଆଘାତ କରି ସେଠାରୁ ଫେରାର ହୋଇ ଯାଇଥିଲେ। ଆହତ ସୈଫଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସର୍ଜରୀ ପରେ ସୈଫ ବିପଦମୁକ୍ତ ଥିବା ଜଣାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)