• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଝଡ଼ ପରର ନିରବତା । ଶାନ୍ତ ପଡ଼ି ଯାଇଛି ସବୁବେଳେ ହସାଉଥିବା ମୁହଁଟି । କ୍ୟାନସରର କ୍ରୁରତା ଆଗରେ ହାର ମାନି ଯାଇଛି ଜୀବନ । ରବି ଶତପଥୀ, ଆମ ସମସ୍ତଙ୍କର ଅତି ପ୍ରିୟ ରବିନନା । ଷ୍ଟେଜ ଫୋରର ଯକୃତ କ୍ୟାନସରରେ ପୀଡ଼ିତ ହୋଇ ଆଖି ବୁଜିଛନ୍ତି ରବିନନା । ଯାତ୍ରା ଜଗତର ଅପ୍ରତିଦ୍ୱନ୍ଦୀ କମେଡି ସମ୍ରାଟ, ରବି ଶତପଥୀ ।

ବର୍ଷବର୍ଷ ଧରି ତାଙ୍କର ଭିନ୍ନ ଅନ୍ଦାଜ, ଯାଦୁଗରୀ ସଂଳାପ ଶୈଳୀ, ଆକ୍ସନ, ଏକ୍ସପ୍ରେସନ ଦେଖି ଆପଣ ବି ଖୁବ୍ ହସିଥିବେ । ହେଲେ ହସରସରେ ଆପଣଙ୍କୁ ବେହୋସ କରୁଥିବା ରବି ଶତପଥୀଙ୍କ ଆଉ ନାହାନ୍ତି । ଛାଡ଼ି ଚାଲି ଯାଇଛନ୍ତି ଆମ ସମସ୍ତଙ୍କୁ । ଏପରି ରାଇଜକୁ ଯାଇଛନ୍ତି ଯେ, ଯେଉଁଠାରୁ ଆଉ କେବେ କେହି ଫେରେନି ।

୬୮ ବର୍ଷ ବୟସରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ଗାଁରେ ରବି ଶତପଥୀଙ୍କ ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି କ୍ୟାନସରରେ ପୀଡ଼ିତ ଥାଇ ଘରେ ଶଯ୍ୟାଶାୟୀ ଥିଲେ ରବି ଶତପଥୀ । ତୁଳସୀ, ଗୌରୀ ପରି ନାମକରା ଯାତ୍ରା ପାଟ୍ରିରେ ଲମ୍ବା ଇଂନିସ ଖେଳିବା ପରେ ବିଶ୍ୱ ଦରବାରରୁ ଅଭିନୟ ସାରି ଘରକୁ ଫେରି ଆସିଥିଲେ ରବି ।

ଚଳିତ ଥର ପୁଣି ଥରେ ଯାତ୍ରା ଜଗତରେ ଯୋଗ ଦେବା କଥା । ହଠାତ ଦେହ ଅସୁସ୍ଥ ହେବାରୁ ଅଭିନୟ ଜଗତରୁ ସାମୟିକ ବିରତି ନେଇଥିଲେ । କିନ୍ତୁ ଦିନକୁ ଦିନ ଦେହ ଭଲ ରହିଲା ନାହିଁ । ପରେ ପରୀକ୍ଷା କରିବାରୁ ଯକୃତ କ୍ୟାନସର ଥିବା ଜଣା ପଡ଼ିଥିଲା । ସମସ୍ତଙ୍କୁ ହସାଉଥିବା ଲୋକଟିର ଜୀବନରେ ଅମା ଅନ୍ଧକାର ଘୋଟି ଆସିଥିଲା । କ୍ୟାନସରର କ୍ରୁରତା ଆଗରେ ହାର ମାନି ଯାଇଥିଲେ ରବି, ଏବଂ ସବୁଦିନ ପାଇଁ ଲିଭି ଯାଇଥିଲା ରବିଙ୍କ ଜୀବନ ଦୀପ ।

‘ଶାଗୁଣା ବସିଛି ଡେଣା ମେଲାଇ’ରେ ପଦୁ ମହାନ୍ତି ଚରିତ୍ରରେ ଅଭିନୟ କରି ବେଶ ଚର୍ଚ୍ଚାକୁ ଆସିଥିଲେ ଏହି ହାସ୍ୟ ଅଭିନେତା । ତାଙ୍କ ଅଭିନୀତ ଆଉ ଏକ ଚର୍ଚ୍ଚିତ ନାଟକ ହେଉଛି, ମୋ ପେଁ କାଳି ବଜାଇ ଦେ । ଏଥିରେ ଚନ୍ଦ୍ରମଣି ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ । ଅର୍ଦ୍ଧାଙ୍ଗିନୀ, ବେଳ ବୁଡ଼ିଗଲେ ବେବିନା କାନ୍ଦେ ଭଳି ଏକାଧିକ ନାଟକରେ ଅଭିନୟ କରି ଦର୍ଶକଙ୍କ ଠାରୁ ବେଶ୍ ପ୍ରଶଂସିତ ହୋଇଛନ୍ତି ରବି ଶତପଥୀ ।

ରବି ଦୀର୍ଘ ଦିନ ଧରି ଲିଭର କ୍ୟାନସରରେ ପୀଡ଼ିତ ଥିଲେ । ୨ ବର୍ଷ ତଳେ ଅପେରା ପାର୍ଟି ବିଶ୍ବ ଦରବାରର ଆଖଡ଼ାରେ ଥିବାବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ସେବେଠାରୁ କ୍ରମାଗତ ଭାବେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା । ଶେଷରେ ୬୮ ବର୍ଷ ବୟସରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଶଯ୍ୟାଶାୟୀ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ସାରା ଯାତ୍ରା ଜଗତକୁ ଶୋକାଭିଭୂତ କରିଛି ।