Astrospeak
  • Live TV
  • Read In English

Piyush Tripathy Dispute: ମାଲିକଙ୍କୁ ଭେଟି ଫେରାଇଲେ ଅଗ୍ରୀମ ଟଙ୍କା; ଯାତ୍ରାରୁ ଦୂରେଇ ରହିବେ ପୀୟୂଷ !

ପୀୟୂଷଙ୍କ ବିବାଦ ତୁଟାଇବା ପାଇଁ ସତ୍ୟନଗରର ଏକ ହୋଟେଲରେ ଯାତ୍ରା ମାଲିକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଦୁଇ ଦୁଇଟି ଯାତ୍ରା ମାଲିକଙ୍କ ଠାରୁ ଟଙ୍କା ନେଇ ବିବାଦୀୟ ହୋଇ ପଡ଼ିଥିବା ପୀୟୂଷ ଏକ ଟଙ୍କା ବ୍ୟାଗ ସହ ସେଠାରେ ପହଞ୍ଚିଥିଲେ ।

Piyush Tripathy
ଯାତ୍ରାରୁ ଦୂରେଇ ରହିବେ ପିୟୂଷ!

ମହଙ୍ଗା ପଡ଼ିଲା ଦୁଇଟି ପାର୍ଟିର ଅଗ୍ରୀମ ଟଙ୍କା । ଶେଷରେ ଉଭୟ ପାର୍ଟି ମାଲିକଙ୍କୁ ଟଙ୍କା ଫେରସ୍ତ କଲେ ପୀୟୂଷ ତ୍ରିପାଠୀ । ଏହାସହ ଗୋଟିଏ ବର୍ଷ ପାଇଁ ଯାତ୍ରାରୁ ଦୂରେଇ ରହିବେ ଜଲିଉଡର ହାଇପେଡ୍ ଆକ୍ଟର ପୀୟୂଷ ତ୍ରିପାଠୀ ।

କିଛି ଦିନ ତଳେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା ଯାତ୍ରା ମାଲିକ ଏବଂ ଯାତ୍ରା କଳାକାରଙ୍କ କଳି । ଚଳିତ ଯାତ୍ରା ସିଜିନରେ ବିବାଦ ଚରମ ସୀମାରେ ପହଞ୍ଚିବା ପରେ ଏହା ଗଣମାଧ୍ୟମର ଶିରୋନାମା ପାଲଟିଥିଲା ।

ଏମିତିକି କିଛି ଦିନ ତଳେ ବିବାଦ ପରେ ଜଣେ ହାସ୍ୟ ଅଭିନେତାଙ୍କୁ ଯାତ୍ରା ମାଲିକ ସଂଘ ତରଫରୁ ବ୍ୟାନ୍ କରାଯାଇଛି । ଅପରପକ୍ଷେ ଜଲିଉଡ ହାଇପେଡ୍ ଆକ୍ଟର ପୀୟୂଷ ତ୍ରିପାଠୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା । ତେବେ ଯାତ୍ରା ଜଗତର ଚର୍ଚ୍ଚିତ କଳାକାର ପୀୟୂଷ ତ୍ରିପାଠୀଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆଜି ଯବନିକା ପଡ଼ିଛି ।

ପୀୟୂଷଙ୍କ ବିବାଦ ତୁଟାଇବା ପାଇଁ ସତ୍ୟନଗରର ଏକ ହୋଟେଲରେ ଯାତ୍ରା ମାଲିକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଦୁଇ ଦୁଇଟି ଯାତ୍ରା ମାଲିକଙ୍କ ଠାରୁ ଟଙ୍କା ନେଇ ବିବାଦୀୟ ହୋଇ ପଡ଼ିଥିବା ପୀୟୂଷ ଏକ ଟଙ୍କା ବ୍ୟାଗ ସହ ସାମିଲ ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ: ଆଜି ରିଲିଜ୍ ହେବ ଫିଲ୍ମ 'ପାଦେ ଆକାଶ'

ମାଲିକଙ୍କ ସହ ଆଲୋଚନା କରି ପୀୟୂଷ ଟଙ୍କା ଫେରାଇବେ ନା କୌଣସି ଗୋଟିଏ ଯାତ୍ରା ପାର୍ଟିରେ ଯୋଗଦେଇ ଚଳିତ ସିଜିନରେ ଦର୍ଶକଙ୍କ ମନୋରଞ୍ଜନ କରିବେ ତାକୁ ନେଇ ସସ୍ପେନ୍ସ ଜାରି ରହିଥିଲା । କିନ୍ତୁ, ବୈଠକ ପରେ ଏହି ଚର୍ଚ୍ଚାରେ ଯବନିକା ପଡ଼ିଛି । ପୀୟୂଷ ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ଉତ୍ତର ଦେଇ ଟଙ୍କା ଫେରାଇଥିବା ନେଇ ସ୍ପଷ୍ଟ କରିଛନ୍ତି ।

ଏହି ଘଟଣାକୁ ନେଇ ପୀୟୂଷ କହିଛନ୍ତି, 'ଛୋଟ କଥାରୁ ବିବାଦ ହେଲା, ଆଶା କରୁଛି ଏହାର ଅନ୍ତ ହୋଇଛି । ସମୟ ମତେ ବଦନାମ କରିଛି, ଟଙ୍କା ମାଧ୍ୟମ ସାଜିଲା । ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ଯୋଗୁଁ ବର୍ଷେ ଯାତ୍ରା କରିବିନି । ବିଶ୍ରାମ ପରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିବି । ଗାଡ଼ି ମୋ ପାଖରେ ରହିବ, EMI ମୁଁ ଦେବି ।' ତେବେ ନରି ପଣ୍ଡା ଯଦି ଭୁଲ କରିଛନ୍ତି , ତେବେ ତାଙ୍କୁ କ୍ଷମା କରିଦେବା ପାଇଁ ଅନୁରୋଧ କରିଥିବା କଥା କହିଛନ୍ତି ପୀୟୂଷ ।

ସୂଚନାଯୋଗ୍ୟ, ନରି ପଣ୍ଡାଙ୍କ ବିବାଦ ପରେ ସୋସିଆଲ୍ ମିଡିଆରେ ପୀୟୂଷଙ୍କ ବାପାଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ପୀୟୁଷଙ୍କ ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ନେଇ ପୀୟୁଷଙ୍କ ବାପା ଚିଠି ଲେଖିଥିଲେ ।

ପୀୟୂଷଙ୍କ ବାପା ଯାତ୍ରା ମାଲିକ ମହାସଂଘ ସଭାପତିଙ୍କୁ ଚିଠି ଲେଖି ୨ଟି ପାର୍ଟି ମାଲିକ ଅଗ୍ରୀମ ଟଙ୍କା ଫେରାଇ ନିଅନ୍ତୁ ବୋଲି ଅନୁରୋଧ କରିଥିଲେ । ପ୍ରଥମେ ଯାତ୍ରା ସିଂହବାହିନୀ ଅପେରା ମାଲିକ ପୀୟୂଷଙ୍କ ବିରୋଧରେ ଚୁକ୍ତି ଖିଲାପ ଅଭିଯୋଗ ଏବଂ ଉଭୟଙ୍କ ମଧ୍ୟରେ ବିବାଦର ମୀମାଂସା ପରେ, ପୁଣି ସେ ଚୁକ୍ତିବଦ୍ଧ ଥିବା ଯାତ୍ରା ସୂର୍ଯ୍ୟମନ୍ଦିର ମାଲିକ ବି ଆଣିଥିଲେ ଚୁକ୍ତି ଖିଲାପୀର ଗୁରୁତର ଅଭିଯୋଗ । ଯାହାକୁ ନେଇ ଚର୍ଚ୍ଚାରେ ରହିଥିଲେ ଜଲିଉଡ ହାଇପେଡ୍ ଆକ୍ଟର ପୀୟୂଷ ତ୍ରିପାଠୀ ।

ଅଧିକ ପଢ଼ନ୍ତୁ: ପିୟୂଷ ବିବାଦ ପାଇଁ ରାଜଧାନୀରେ ବୈଠକ.. କଳିରେ ଯବନିକା ପଡ଼ିବ ନା ଆଗକୁ ବଢିବ