Astrospeak
  • Live TV
  • Read In English

Odia Film Pade Akasha Biopic: ଦିବ୍ୟାଙ୍ଗଙ୍କ ପାଇଁ ଜଗା ଦର୍ଶନର ବାଟ ଖୋଲିଦେଲା 'ପାଦେ ଆକାଶ' !

ଶ୍ରୁତି ମହାପାତ୍ରଙ୍କ ଜୀବନ ଉପରେ ଆଧାରିତ 'ପାଦେ ଆକାଶ' ଶ୍ରୁତିଙ୍କ ଜରିଆରେ ବଖାଣିଛି ଶ୍ରୀମନ୍ଦିରରେ ନିଇତି ଦିବ୍ୟାଙ୍ଗ ଭୋଗୁଥିବା ସମସ୍ୟାର କାହାଣୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଏହି ଫିଲ୍ମକୁ ଦେଖି ଭାବବିହ୍ବଳ ହେବା ସହ କରିଥିଲେ ହୃଦୟସ୍ପର୍ଶୀ ଘୋଷଣା ।

Pade Akasha Odia Movie
ବାଟ ଦେଖାଇଲା ପାଦେ ଆକାଶ ।

ଆଜି ପରଦାରେ ମୁକ୍ତିଲାଭ କରିଥିବା 'ପାଦେ ଆକାଶ' । ଏହା କେବଳ ଡକ୍ଟର ଶୃତି ମହାପାତ୍ରଙ୍କ ଜୀବନ ସଂଘର୍ଷର କାହାଣୀ ନୁହେଁ । ଏହା ପ୍ରତିଦିନ ଦିବ୍ୟାଙ୍ଗ ମାନେ ପାଦେ ପାଦେ ଭୋଗୁଥିବା ଅସଂଖ୍ୟ ସମସ୍ୟାର ଜଳଛବି । ତେବେ ଏହି ଫିଲ୍ମ ଜରିଆରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଛି ତରଙ୍ଗ ସିନେ ପ୍ରଡକ୍ସନ୍ସ । ତାହା ହେଉଛି, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଦିବ୍ୟାଙ୍ଗମାନେ ଭୋଗୁଥିବା ସମସ୍ୟାର କଥା ।

ତେବେ ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି । ପାଦେ ଆକାଶକୁ ପରଦାରେ ଦେଖି ଭାବବିହ୍ବଳ ହେବା ସହ ଦିବ୍ୟାଙ୍ଗଙ୍କ ସହଜ ଦର୍ଶନ ବ୍ୟବସ୍ଥା କରିବାକୁ ବି ପଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏ ସଂଘର୍ଷ ସେବେ ବି ଥିଲା, ଏବେ ବି ଅଛି । ଶ୍ରୀମନ୍ଦିରରେ ସହଜ ନୁହେଁ ଦିବ୍ୟାଙ୍ଗଙ୍କ ଦିଅଁ ଦର୍ଶନ । ସେଦିନ ଡକ୍ଟର ଶ୍ରୁତି ମହାପାତ୍ର ଯେଉଁ ସମସ୍ୟାର ସାମ୍ନା କରିଥିଲେ । ଆଜି ବି ତା’ ସହ ନିଇତି ଯୁଝୁଛନ୍ତି ଶହ ଶହ ଶ୍ରୁତି ।

ଶ୍ରୀମନ୍ଦିର ଭିତରକୁ ହ୍ବିଲ୍ ଚେୟାର୍ ମନା ଥିବାରୁ, କିଏ ବହୁ କଷ୍ଟରେ ଭିଡ଼ର ଠେଲା ପେଲା ସହି ଶ୍ରୀଜୀଉଙ୍କ ଦର୍ଶନ କରୁଛି, ଆଉ କିଏ ସିଂହଦ୍ବାର ପାଖରେ ମୁଣ୍ଡିଆ ମାରି ଲୁହ ଛଳ ଛଳ ଆଖିରେ ଘରକୁ ଫେରୁଛି । ଏ ସମସ୍ୟା ଆଉ ବେଶି ଦିନ ନୁହେଁ । ଖୁବ୍‌ଶୀଘ୍ର ହେବାକୁ ଯାଉଛି ସମାଧାନ । ଆଉ ସେଦିଗରେ ବାଟ ଦେଖାଇଛି 'ପାଦେ ଆକାଶ' । ସମାଧାନର ସୂତ୍ରଧର ସାଜିଛି ଆଜି ରିଲିଜ ହୋଇଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ।

ଜଣାଶୁଣା ସମାଜସେବୀ ଡକ୍ଟର ଶ୍ରୁତି ମହାପାତ୍ରଙ୍କ ଜୀବନ ଉପରେ ଆଧାରିତ 'ପାଦେ ଆକାଶ', କେବଳ ଦିବ୍ୟାଙ୍ଗଙ୍କ ସମସ୍ୟାକୁ ପରଦାରେ ନିଚ୍ଛକ ଉତାରିନି, ବରଂ ଶ୍ରୁତିଙ୍କ ଜରିଆରେ ବଖାଣିଛି ଶ୍ରୀମନ୍ଦିରରେ ନିଇତି ଦିବ୍ୟାଙ୍ଗ ଭୋଗୁଥିବା ସମସ୍ୟାର କାହାଣୀ । କିଛି ଦିନ ତଳେ ଏହାର ସ୍ପେଶାଲ ସ୍କ୍ରିନିଂ ଅବସରରେ ଶ୍ରୁତି ବଖାଣିଥିଲେ ତାଙ୍କର ଏହି ଅଭୂଲା ସ୍ମୃତି । ଆଉ ଜଣାଇଥିଲେ, କିଭଳି ତାଙ୍କ ପାଇଁ ଜଗାଦର୍ଶନର ବ୍ୟବସ୍ଥା କରାଇଥିଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଅଧିକ ପଢ଼ନ୍ତୁ: 'ଗଦର ୨' ପରେ ବଢିଲା ସନ୍ନି ଦେଓଲ୍‌ଙ୍କ ଚାହିଦା; ‘ଜାଟ୍’ ପାଇଁ ନେଲେ ମୋଟା ଅଙ୍କ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ମଧ୍ୟ ସେହି ଦିନ ଫିଲ୍ମକୁ ଦେଖି ଭାବବିହ୍ବଳ ହେବା ସହ କରିଥିଲେ ହୃଦୟସ୍ପର୍ଶୀ ଘୋଷଣା । ଆଜି ମଧ୍ୟ ଓଟିଭି ସହ ସ୍ବତନ୍ତ୍ର ସାକ୍ଷାତକାରରେ ସେଇ କଥାକୁ ଦୋହରାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ଆତୁର ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ୍ । ଉତ୍ତର ଦ୍ବାର ଦେଇ ଦିବ୍ୟାଙ୍ଗଙ୍କ ଯିବା ବ୍ୟବସ୍ଥା ହେଉଛି ।

ଉତ୍ତର ଦ୍ବାର ଦେଇ ରାମ୍ପ୍ ବ୍ୟବସ୍ଥା ହୋଇଥିବା ବେଳେ, କୁର୍ମ ବେଢ଼ା ପାଖରେ ବ୍ୟବସ୍ଥା ପାଇଁ ଟେଣ୍ଡର୍ ହୋଇଛି । ଆନନ୍ଦ ବଜାର ଦେଇ ହୋଇଥିବା ବ୍ୟବସ୍ଥାରେ ଅସଙ୍ଗତି ଦୂର ପାଇଁ ଚେଷ୍ଟା କରାଯାଉଛି । ଦିବ୍ୟାଙ୍ଗ ମାନଙ୍କ ସହଜ ଦର୍ଶନ ପାଇଁ ସ୍ବତନ୍ତ୍ର ସମୟ ସ୍ଥିର କରାଯିବ । ଯେପରି ଏହା ନୀତିକାନ୍ତିକୁ ପ୍ରଭାବିତ କରିବ ନାହିଁ, ସେନେଇ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା ହେବ । ଦିବ୍ୟାଙ୍ଗଙ୍କୁ ନେଇ ମହାପ୍ରଭୁଙ୍କୁ ଦର୍ଶନ କରାଇବା ପାଇଁ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । ଦିବ୍ୟାଙ୍ଗଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ବିଭିନ୍ନ ଅନୁଷ୍ଠାନର ମୁଖ୍ୟ ଏବଂ ଛତିଶା ନିଯୋଗର ସହଯୋଗ ନିଆଯିବ ।

ନାଟମଣ୍ଡପରେ ଧାଡ଼ି ଦର୍ଶନ ପାଇଁ ଭୁବନେଶ୍ବରରେ ରାମ୍ପ ନିର୍ମାଣ ସରିଥିବା ବେଳେ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ମହିଳା ଓ କୁନି କୁନି ପିଲାଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ବରିଷ୍ଠ ସେବକ ମଧ୍ୟ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।

ଅଧିକ ପଢ଼ନ୍ତୁ: ‘ବିଗ୍‌ ବସ୍’ ଖୋଲିଦେଲା ୟାମିନୀଙ୍କ ଭାଗ୍ୟ; କରିବେ ବଲିଉଡ୍‌ରେ ଡେବ୍ୟୁ