/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748959820.jpg)
Sanjay Bhol Ban
ଯାତ୍ରାରେ ନୂଆ ବିବାଦ । ଏଥର ମୁଣ୍ଡ ଟେକିଛି କଳାକାର-ଲେଖକ କଳି । କାହାଣୀ ଚୋରି ଓ ଯାତ୍ରା ମାଷ୍ଟରଙ୍କୁ ଛି ଛି କହି ପୁଣି ବିବାଦକୁ ଆସିଛନ୍ତି ଜଲିଉଡର ଚର୍ଚ୍ଚିତ ଖଳ ଅଭିନେତା ସଞ୍ଜୟ ଭୋଳ । ସେ ପାର୍ଟିକୁ ଗଲେ ଆମେ ଯିବୁନି କହି ବ୍ୟାନ୍ କଲା ଓଡ଼ିଶା ମାଷ୍ଟର୍ ସଂଘ, ପରୱା ନାହିଁ କହିଲେ ଯାତ୍ରା ଟାଇଗର୍...
ଯାତ୍ରା ମଞ୍ଚରେ ଆଉ ଗର୍ଜିବନି କି ଯାତ୍ରା ମହାବଳ ? ବିଦା ହେବେ କି ଦୁର୍ଦ୍ଦାନ୍ତ ଖଳନାୟକ ସଞ୍ଜୟ ଭୋଳ ? ସଞ୍ଜୟ ଭୋଳଙ୍କୁ ପୁଣି ବାଜିଲା ମାଷ୍ଟରଙ୍କ 'ବ୍ୟାନ୍' ଛାଟ । କଳାକାର-ମାଲିକ କଳି ପରେ ଏବେ ଯାତ୍ରା ଜଗତରେ ମୁଣ୍ଡ ଟେକିଛି କଳାକାର-ଲେଖକ କଳି । ବିବାଦୀୟ ମନ୍ତବ୍ୟ ଦେଇ ପୂର୍ବରୁ ଥରେ ବ୍ୟାନ୍ ହୋଇଥିବା ଓ କ୍ଷମା ମାଗିଥିବା ଖଳ ଅଭିନେତା ସଞ୍ଜୟ ଭୋଳଙ୍କୁ, ପୁଣି ଥରେ ବ୍ୟାନ୍ କରିଛି ଅପେରା ମାଷ୍ଟର୍ ଆସୋସିଏସନ୍-'ଓମା' । ଯାତ୍ରା ଲେଖକଙ୍କ ଲେଖାକୁ ଛି ଛି ବୋଲି କହିବା ସହ, ରାଇଟରମାନେ କେଉଁଠୁ ୧୦/୧୨ ଖଣ୍ଡ ନାଟକ ଦେଖୁଛନ୍ତି ଓ ସବୁ ଚୋରି କରି ଆଣି ଏଠି ପୂରାଇ ଦେଉଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି ସଞ୍ଜୟ ଭୋଳ ।
ଅଧିକ ପଢ଼ନ୍ତୁ:ଷ୍ଟେଜ୍ ୨ ଲିଭର କ୍ୟାନ୍ସର୍ରେ ପୀଡିତ ଦୀପିକା; ଆଜି ହେବ ସର୍ଜରୀ
ଏହା ପରେ ପୁଣି ବିବାଦ ତେଜିବା ସହ, ତାଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଛି ଓମା । ସଞ୍ଜୟ ଭୋଳ ଯେଉଁ ଯାତ୍ରାପାର୍ଟିରେ କାମ କରିବେ, ଓମା ସଦସ୍ୟ ଥିବା ଲେଖକ, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସେ ପାର୍ଟିରେ ରହିବେ ନାହିଁ । ଏହା ସ୍ପଷ୍ଟ କରିଛନ୍ତି ଓମା ସଭାପତି ବିଜୟ ଦାସ । ସଞ୍ଜୟ ଭୋଳ ୨୦୨୫-୨୬ ପାଇଁ ରାଜନନ୍ଦିନୀ ଯାତ୍ରା ପାର୍ଟି ସହ ଅନୁବନ୍ଧିତ ହୋଇଥିଲେ । ଆଉ ଏଥିରେ ହେବାକୁ ଥିବା ନାଟକ 'ରାବଣ' ଓ 'ପାହାନ୍ତି ରାତିର ପାପ' ନାଟକ ଲାଗି କାମ କରୁଥିଲେ ନିଜେ ଓମା ସଭାପତି ବିଜୟ ଦାସ । ତେବେ ସେ ଏହି ନାଟକଗୁଡ଼ିକରୁ ବି ଓହରିଯାଇଥିବା ଏବଂ ରାଜନନ୍ଦିନୀ ମାଲିକଙ୍କୁ ସଂଘ ନିଷ୍ପତ୍ତି ସଂପର୍କରେ ଜଣାଇ ଦେଇଥିବା ସୂଚନା ମିଳିଛି ।
ଅନ୍ୟପକ୍ଷରେ, ସଞ୍ଜୟ ଭୋଳ ପ୍ରତିକ୍ରିୟାରେ ପୁଣି କାହାଣୀ ଚୋରି ଓ କପି ଅଭିଯୋଗ ଦୋହରାଇବା ସହ କହିଛନ୍ତି, କଳାକାରଙ୍କୁ ନେଇ ଓମା ନା ଓମାଙ୍କୁ ନେଇ କଳାକାର। ମୁଁ କଣ କରିବି ନକରିବି ନିଷ୍ପତ୍ତି ନେବାକୁ ସେ କିଏ । ବାସନ୍ଦ ପ୍ରସଙ୍ଗରେ କହିଛନ୍ତି, ସଞ୍ଜୟ ଭୋଳ ବିପିଏଲ୍ ଚାଉଳକୁ ଆଶ୍ରା କରିନି । ଦରକାର ପଡ଼ିଲେ ନିଜେ ଗୋଟିଏ ଯାତ୍ରା ପାର୍ଟି କରିବି, ନାଁ ରହିବ 'ଅପରା ମହାବଳ'। ଦରକାର ପଡ଼ିଲେ ସେଇ ନିର୍ଦ୍ଦେଶକ ଆସି ମୋ ପାର୍ଟିର ଯାତ୍ରା ନିର୍ଦ୍ଦେଶନା ଦେବେ ।
କେବଳ ଏବେ ନୁହେଁ, ଅଢ଼େଇ ମାସ ତଳେ ଓଟିଭି ଷ୍ଟୁଡିଓରେ ବି ଖୋଲାଖୋଲି ବିଷୋଦଗାର କରିଥିଲେ ସଞ୍ଜୟ ଭୋଳ । କହିଥିଲେ, ଯାତ୍ରା କାହାଣୀ ଲେଖକମାନେ ଏ ଯାତ୍ରାର କିଛି ସିନ୍ ସେ ଯାତ୍ରାରେ ପୂରାଇ ଦେଉଛନ୍ତି, ସେ ଯାତ୍ରାର କିଛି ସିନ୍ ଏ ଯାତ୍ରାରେ ପୂରାଇ ଦେଉଛନ୍ତି ବୋଲି ଦର୍ଶକ ଅଭିଯୋଗ କରୁଛନ୍ତି । ୫ ବର୍ଷ ଭିତରେ ଯାତ୍ରା ଶିଳ୍ପକୁ ପାରାଲିସିସ୍ ହୋଇଯିବ ବୋଲି ମଧ୍ୟ ଜୋର୍ ଦେଇ କହିଥିଲେ । ତେବେ ସତରେ କଣ ଯାତ୍ରା ବହିକୁ ବି ଚରିଗଲାଣି 'କପି' ଉଈ ? ଜଲିଉଡରେ ବି ଚାଲିଛି କି କପି-ପେଷ୍ଟ୍ ଟ୍ରେଣ୍ଡ୍ ? ନା ଅନ୍ୟ କୌଣସି କାରଣରୁ ଲେଖକଙ୍କ ଉପରେ ବ୍ୟକ୍ତିଗତ ରୋଷ ଶୁଝାଉଛନ୍ତି ସଞ୍ଜୟ ଭୋଳ ? ପୁଣି ସେ କ୍ଷମା ମାଗିଲେ ମାଫ୍ କରିଦେବେ କି ମାଷ୍ଟର୍ ?
ଗୋଟିଏ ପଟେ ଯାତ୍ରା ମାଲିକଙ୍କ ବିରୋଧରେ କଳାକାରଙ୍କ ପାଉଣା ବାକି, ମାଡ଼ଗୋଳ ଓ କାଷ୍ଟିଂ କାଉଚ୍ ଭଳି ସାଂଘାତିକ ଅଭିଯୋଗକୁ ନେଇ, ବିବାଦ ମଞ୍ଚ ଉଠୁଥିବା ପଡ଼ୁଥିବା ବେଳେ, ଏବେ ଯାତ୍ରା ଟାଇଗର୍ ଓ ଯାତ୍ରା ମାଷ୍ଟର୍ କଳି ଆଗକୁ କେଉଁ ମୋଡ଼ ନେଉଛି, ତା ଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)