• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ତୁଛାକୁ ମହୁ, ଗୁଡ଼ ପଡିଲେ କି ରହିବ ଆଉ ! ସରୁ ଓଢ଼ଣାରେ କଣେଇ ଚାହାଁଣୀ ସୁନ୍ଦର ମାନିବ ପାରିଲେ ବୋହୂ…ଓଡ଼ିଆ ଭାବକୁ, ଓଡ଼ିଆ ଢଗକୁ ସିନେମା ସଙ୍ଗୀତରେ ରୂପ ଦେବାରେ ସେ ଥିଲେ ସିଦ୍ଧହସ୍ତ । ତାଙ୍କ ରଚିତ ଅନେକ ସଙ୍ଗୀତ ଓଡ଼ିଆ ଚଳଚ୍ଚିତ୍ରରେ ଆଜି ବି କାଳଜୟୀ ହୋଇ ରହିଛନ୍ତି । ଚାଲିଯାଇଛନ୍ତି ତ କେବଳ ଏହାର ବିନ୍ଧାଣୀ ତଥା ଓଡ଼ିଆ ସିନେମାର ପ୍ରଥମ ମହିଳା ଗୀତିକାର ଶ୍ରୀମତି ବିନୋଦିନୀ ଦେବୀ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା ।

୧୯୩୭ ମସିହା ଐତିହାସିକ କଟକ ସହରର ତିଗିରିଆରେ ଜନ୍ମ ଗ୍ରହଣ କରିଥିଲେ ବିନୋଦିନୀ । ଓଡ଼ିଆ ସୁଗମ ସଂଗୀତର ସେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ ଗୀତିକାର । ୧୯୫୮ରେ ଆକାଶବାଣୀର ସ୍ୱୀକୃତିପାପ୍ତ ଗୀତିକାର ଭାବେ ତାଙ୍କୁ ସ୍ୱୀକୃତି ମିଳିବା ପରେ ସେ ପାଲଟି ଯାଆନ୍ତି ଓଡ଼ିଶାର ଅନନ୍ୟ ଗୀତିକବି ।

୧୯୬୫ ମସିହାରେ ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରି ସେ ହୁଅନ୍ତି ଚର୍ଚ୍ଚିତ । ଯାହାର କିଛି ଅଂଶ ଆପଣ ଉପରେ ପଢିଲେ, ତାହା ବିନୋଦିନିଙ୍କ ରଚନା ଭିତରୁ ଗୋଟିଏ। କେବଳ ମଲାଜହ୍ନ ନୁହେଁ, ତଅପୋଇ, ଶ୍ରୀ ଜଗନ୍ନାଥ, ମହାସତୀ ସାବିତ୍ରୀ ଓ ଜୟ ଜଗନ୍ନାଥ ଚଳଚ୍ଚିତ୍ର ପାଇଁ ତାଙ୍କ ଅବଦାନ ଅତୁଳନୀୟ ।

ଆକାଶବାଣୀ ହେଉ ଅଥବା ଦୂରଦର୍ଶନ । ଏପରିକି ଗୀତି କବିତା ରଚନା କରି ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସାଧାରଣ ଲୋକଭାଷାକୁ କବିତାର ପଦ୍ୟାବଳୀରେ ରୂପାନ୍ତରଣ ଲାଗି ସେ କାଳ କାଳକୁ ମନେ ରହିବେ । ଖୋକାଟିଏ ଖୋକିଟିଏ, ଅମୃତା, ଟିକି ଟିକି ନାଲି କାଇଁଚ, ଏଇ କଳା ମୋର କଳଙ୍କ ଭଳି ଅନନ୍ୟ ସୃଷ୍ଟି ତାଙ୍କ ଅବର୍ତ୍ତମାନରେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବ ।