• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଧାନସଭାର ଶୂନ୍ୟକାଳରେ ଓଡ଼ିଆ ସିନେମା କଥା ଉଠାଇଲେ ବିଜେପି ବିଧାୟକ ଆକାଶ ଦାସ ନାୟକ । ଓଡ଼ିଆ ସିନେମା ବର୍ତ୍ତମାନ କୋମା ଆଡ଼କୁ ଯାଉଛି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଆକାଶ। ସିନେମା ହଲ୍‌ର ଦୁରବସ୍ଥା ଦର୍ଶାଇବାକୁ ଯାଇ ସେ କହିଛନ୍ତି, ଓଡ଼ିଶାରେ ମାତ୍ର ୫୦ରୁ ୬୦ଟି ସିନେମା ହଲ ଅଛି । ଏହା ଭିତରୁ ପୁରୀରେ ଗୋଟିଏ ମଧ୍ୟ ହଲ ନାହିଁ । ଏପରି ସ୍ଥଳେ ଲୋକେ ଓଡ଼ିଆ ସିନେମା ଦେଖି ପାରୁନାହାନ୍ତି ।

ଏଥିପାଇଁ ବିଧାୟକ ଆକାଶ ଦାସ ନାୟକ ପ୍ରସ୍ତାବ ଦେଇ କହିଛନ୍ତି, ପ୍ରତି ବ୍ଲକରେ ମଲ୍ଟି ପର୍ପୋଜ ଫିଲ୍ମ ହଲ ପ୍ରତିଷ୍ଠା କରାଯାଉ । ପୂର୍ବ ସରକାର ବେଳେ ଗୋଟିଏ ଫିଲ୍ମ ପଲିସି ଆସିଥିଲା । କିନ୍ତୁ ତାହା କୁଆଡେ ଗଲା ଜଣା ନାହିଁ । ସେହି ପଲିସିକୁ ବର୍ତ୍ତମାନ ଆଉ ଥରେ ଅଣାଯାଉ । ଏହାସହ ବରପୁତ୍ର ମାନଙ୍କ ଉପରେ ଓଡ଼ିଶାରେ ଫିଲ୍ମ ତିଆରି କରି ସେଥିରେ ସବସିଡି ଦିଆଯାଉ ବୋଲି ଆକାଶ ପ୍ରସ୍ତାବ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ରିଲିଜ୍‌ ହେଲା ପୁଷ୍ପା-୨, ଫିଲ୍ମ ଦେଖିବାକୁ ସିନେମା ହଲ୍‌ରେ ପ୍ରବଳ ଭିଡ଼

ଏହାଦ୍ୱାରା ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର ଠାରୁ ଆରମ୍ଭ କରି ଟେକନିସିଆନଙ୍କ ସମେତ ସମସ୍ତଙ୍କର ଆର୍ଥିକ ସ୍ଥିତି ସୁଧୁରିବ ବୋଲି ସେ କହିଛନ୍ତି । ସେପଟେ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’କୁ ୮୮ ବର୍ଷ ହୋଇଛି । ଏହା ମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି । ୧୯୩୬ରେ ଓଡ଼ିଆ ସିନେମା ଆରମ୍ଭ ହୋଇଥିଲା । ସେତେବେଳେ ୨୯ହଜାର ୭୮୧ଟଙ୍କା ୧୦ଅଣା ବଜେଟରେ ସୀତା ବିବାହ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିବା ବେଳେ ଓଡ଼ିଆ ସିନେମା ପାଇଁ ଏହା ଏକ ଆଶାର ମଞ୍ଜି ବୁଣିଥିଲା ।

ଏହା ଭିତରେ ୮୮ ବର୍ଷ ବିତି ଯାଇଥିଲେ ମଧ୍ୟ, ଓଡ଼ିଆ ଚଳଚ୍ଚିତ୍ରର ଅସ୍ମିତା ଉପରେ ଅନେକ ପ୍ରଶ୍ନ ଉଠିଛି । ସେପଟେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟପାଳ ରଘୁବର ଦାସ ଓଡ଼ିଆ ସିନେମା ନିର୍ମାଣ ପାଇଁ ସବସିଡି ମିଳୁ ବୋଲି ପରାମର୍ଶ ଦେଇଥିଲେ । ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିର ବିକାଶ ଓ ନିର୍ମାଣ ପାଇଁ ପ୍ରଯୋଜକଙ୍କୁ ସବସିଡି ପ୍ରଦାନ କରାଯାଉ ବୋଲି ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ।

ନିମ୍ନମାନର ଚଳଚ୍ଚିତ୍ର ସହ ବିଷୟବସ୍ତୁ ଓ କପି ଆଦିର ଅପବାଦରୁ ଧୀରେ ଧୀରେ ମୁଣ୍ଡ ଟେକୁଛି ଓଡ଼ିଆ ଚଳଚ୍ଚିତ୍ର ଜଗତ । ବର୍ତ୍ତମାନ ସମୟରେ ଅନେକ ଓଡ଼ିଆ ଫିଲ୍ମ ଭଲ ପ୍ରଦର୍ଶନ କରୁଛନ୍ତି । ଦର୍ଶକେ ମଧ୍ୟ ଦେଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ପୁଣି ଥରେ ଅଣ୍ଟା ଭିଡ଼ିବାକୁ ସଜବାଜ ହେଉଛି ଓଡ଼ିଆ ସିନେମା । ଯଦିଓ ସିନେମା ଭଲ ଚାଲୁଛି, କିନ୍ତୁ ପ୍ରଯୋଜକ ହଲ୍‌ରୁ ଟଙ୍କା ପାଉନାହାନ୍ତି । ଫଳରେ ଟଙ୍କା ନଦେବା ଫଳରେ କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହୁଛି । ଅନ୍ୟ ରାଜ୍ୟରେ ସିନେମା ଭଲ ଚାଲିଛି । କାରଣ ପ୍ରଯୋଜକଙ୍କୁ ସବ୍‌ସିଡି ଯୋଗାଇ ଦିଆଯାଉଛି । ଓଡ଼ିଶାରେ ପ୍ରଯୋଜକମାନେ ଆର୍ଥିକ ସହାୟତାରୁ ବଞ୍ଚିତ ଅଛନ୍ତି । ସରକାରୀ ସ୍ତରରୁ ଆର୍ଥିକ ସହାୟତା ଲୋଡ଼ା ବୋଲି ମଧ୍ୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ‘ତରଙ୍ଗ୍‌ ପ୍ଲସ୍‌’ର ନୂଆ କ୍ୟାଟେଗୋରୀ; ସର୍ଟସ୍ ଫିଲ୍ମର ନେବେ ମଜା

OTV is now on Whatsapp

Join and get latest news update delivered to you via whatsapp

Join Now