• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମହଙ୍ଗା ପଡ଼ିଲା କ୍ରୁଜ ଭିତରେ ଡ୍ରଗ୍ସ ପାର୍ଟିି ।

  • ଗିରଫ ହେଲେ କିଙ୍ଗ ଖାନ୍ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ।

  • ୧୨ ଘଣ୍ଟାର ମାରାଥନ ଜେରା । ତୁହାକୁ ତୁହା ପ୍ରଶ୍ନବାଣ ।

ମହଙ୍ଗା ପଡ଼ିଲା କ୍ରୁଜ ଭିତରେ ଡ୍ରଗ୍ସ ପାର୍ଟିି । ଶେଷରେ ଗିରଫ ହେଲେ ବଲିଉଡ୍‌ର କିଙ୍ଗ ଖାନ୍ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ । ୧୨ ଘଣ୍ଟାର ମାରାଥନ୍ ଜେରା ପରେ ନିଷିଦ୍ଧ ନିଶା କାରବାର ମାମଲାରେ ଗିରଫ କରିଛି ମୁମ୍ବାଇ ନାର୍କୋଟିକ୍ କଣ୍ଟ୍ରୋଲ୍ ବୁ୍ୟରୋ-NCB । ଆଉ ତାଙ୍କୁ କୋର୍ଟରେ ହାଜର କରାଯାଇଛି । 

ଏପଟେ ପୁଅକୁ ୧୨ ଘଣ୍ଟାର ମାରାଥନ ଜେରା । ତୁହାକୁ ତୁହା ପ୍ରଶ୍ନବାଣ । ସତ ଉଗାଳିବାକୁ ଶହେ ଚେଷ୍ଟା । କିଙ୍ଗ ଖାନ୍ ଶାହରୁଖ୍ ଖାନ୍‌ଙ୍କ ୨୩ ବର୍ଷୀୟ ପୁଅ ଆର୍ୟନ୍‌ଙ୍କ ବିରୋଧରେ ସଂଗୀନ ଅଭିଯୋଗ । ଆର୍ୟନ ଯେ, ଖାଲି ଡ୍ରଗ୍ସ ସେବନ କରୁଥିଲେ ତାନୁହେଁ, ଏହାର କିଣାବିକା ବି କରୁଥିଲେ । ଇଣ୍ଟର ନ୍ୟାସନାଲ କ୍ରୁଜ୍ ଟର୍ମିନାଲରେ ତାଙ୍କ ନିକଟରୁ ୧୩ ଗ୍ରାମର କୋକେନ୍, ୫ ଗ୍ରାମର ଏମଡି, ୨୧ ଗ୍ରାମର ଚରସ ଓ ୨୨ଟି ଏମଡିଏମଏ ବଟିକା ଜବତ କରାଯାଇଛି । ସେହିଭଳି ତାଙ୍କ ନିକଟରୁ ୧ ଲକ୍ଷ ୩୩ ହଜାର ନଗଦ କ୍ୟାସ ବି ଜବତ ହୋଇଛି ।

ଆର୍ୟନଙ୍କୁ କେଉଁ ଆଧାରରେ ଗିରଫ କରାଯାଇଛି, ସେନେଇ ମେମୋ ଅଫ ଆରେଷ୍ଟରେ ଦର୍ଶାଯାଇଛି । ସେଥିରେ ଆର୍ୟନ ଦସ୍ତଖତ ମଧ୍ୟ କରିଛନ୍ତି । ଏହାସହ ସହ ତାଙ୍କ ପରିବାର ଲୋକଙ୍କୁ ଆର୍ୟନ୍‌ଙ୍କ ଗିରଫଦାରୀ ନେଇ ସୂଚନା ଦିଆଯାଇଥିବା ଏନସିବି ସୁପରିଟେଣ୍ଡେଣ୍ଟ କହିଛନ୍ତି ।

ୱିକେଣ୍ଡ ମସ୍ତିରେ ମସ୍‌ଗୁଲ୍ ହେବାକୁ ଯାଇ କ୍ରୁଜ୍ ଭିତରେ ଆୟୋଜିତ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ୍‌ଙ୍କୁ ଗିରଫ କରିଛି ମୁମ୍ବାଇ NCB । ଡାକ୍ତରୀ ମାଇନା ପରେ ସାଙ୍ଗ ଅରବାଜ ସେଠ୍ ମର୍ଚାଣ୍ଟ ଓ ମୁନମୁନ୍ ଧର୍ମେଚାଙ୍କ ସହ ଆର୍ୟନଙ୍କୁ ଧରି ନାର୍କୋଟିକ କଣ୍ଟ୍ରୋଲ୍ ବ୍ୟୁରୋ କୋର୍ଟରେ ହାଜର କରାଇଛନ୍ତି । ଆର୍ୟନଙ୍କ ମୋବାଇଲ୍‌କୁ ଏନ୍‌ସିବି ଜବତ କରିବା ସହ କାହା ସହ ସେ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି ? କଣ ସବୁ ଚାଟ୍ କରିଛନ୍ତି ? ସେନେଇ ଯାଞ୍ଚ କରୁଛି ଏନ୍‌ସବି । ଯାଞ୍ଚବେଳେ ଚଷମାର ଲେନ୍ସ କଭରରେ ଆର୍ୟନ୍ ଡ୍ରଗ୍ସ ରଖିଥିଲେ ବୋଲି ସୂଚନା ମିଳିଛି । ଏନ୍‌ସିବି ଡିଜି ଏସ୍.ଏନ୍ ପ୍ରଧାନ କହିଛନ୍ତି, ନିଶାମୁକ୍ତ ଭାରତ ଗଠନ କରିବା ଏନ୍‌ସିବିର ଲକ୍ଷ୍ୟ । ଘଟଣାରେ ଯିଏ ବି ସଂପୃକ୍ତ ଥାଆନ୍ତୁ କିମ୍ବା ଯେତେବଡ଼ ଲୋକ ହୋଇଥାନ୍ତୁ, ସମସ୍ତଙ୍କୁ ତଦନ୍ତ ପରିସରକୁ ନିଆଯିବ ।

ଜାହାଜ କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସ । ମୁମ୍ବାଇରୁ ଗୋଆ ବାହାରିଥିଲା ଗତରାତିରେ । କ୍ରୁଜ୍‌ରେ ଥିଲେ ଆର୍ୟନଙ୍କ ସମେତ ତାଙ୍କ ବନ୍ଧୁ ଅରବାଜ ସେଠ୍ ମର୍ଚାଣ୍ଟ, ମୁନ୍‌ମୁନ୍ ଧର୍ମେଚା, ନୁପୁର ସାରିକା, ଇସମିତ୍ ସିଂହ, ମୋହକ ଜସଓ୍ୱାଲ, ବିକ୍ରାନ୍ତ ଚୋକର ଏବଂ ଗୋମିତ ଚୋପ୍ରା ସମେତ ବହୁ ହାଇପ୍ରୋଫାଇଲ୍ ବ୍ୟକ୍ତି । ଶନିବାର ମୁମ୍ବାଇରୁ ବାହାରିଥିବା ଏହି କ୍ରୁଜ୍ ଗୋଆ ଯାଇ ସୋମବାର ଫେରିଆସିଥାନ୍ତା । କ୍ରୁଜ୍‌ରେ ଏକ ଫ୍ୟାସନ୍ ସୋ ସହ ରେଭ୍ ପାର୍ଟି ପାଇଁ ଆୟୋଜନ କରାଯାଇଥିଲା ।

ଗୋଆ ଅଭିମୁଖେ ଜାହାଜଟି ବାହାରିବା କ୍ଷଣି ୧୫ ଦିନ ଆଗରୁ ଖବର ପାଇଥିବା ମୁମ୍ବାଇ NCB ଅଧିକାରୀ କ୍ରୁଜ୍ ଭିତରେ ଗ୍ରାହକ ବେଶରେ ପଶିଥିଲେ । ଏହାପରେ ମୁମ୍ବାଇ ପୋଲିସ ସହାୟତାରେ ଏନ୍‌ସିବି ଅଧିକାରୀ ଜାହାଜକୁ ଫେରାଇ ଆଣିଥିଲେ । ସବୁ ଯାତ୍ରୀଙ୍କୁ କୁହାଗଲା, ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଉ ଜାହାଜଟି ମୁମ୍ବାଇ ଉପକୂଳରେ ଲାଗିବା କ୍ଷଣି ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । 

ଏଥିରେ ଶାହାରୁଖଙ୍କ ପୁଅ ଆର୍ୟନଙ୍କ ସମେତ ୨୨ ଜଣଙ୍କୁ ଧରିଥିଲା ଏନ୍‌ସିବି । ତାସହ ଏକ୍ସଟାସି, କୋକେନ୍, ମେଫେଡ୍ରନ ଓ ଚରସ ଭଳି ନିଶାଦ୍ରବ୍ୟ ଜବତ କରିଥିଲା । ସେହିପରି ୬ ଜଣ ପାର୍ଟି ଆୟୋଜକଙ୍କୁ ଏନ୍‌ସିବି ସମନ କରିଛି । ତେବେ ଜେରାବେଳେ ଆର୍ୟନ କହିଛନ୍ତି, ଏହି ପାର୍ଟି ପାଇଁ ସେ କୌଣସି ଟଙ୍କା ଦେଇ ନଥିଲେ ବରଂ ତାଙ୍କୁ ଅତିଥି ଭାବେ ଡକାଯାଇଥିଲା । ଏହି ଘଟଣା ପରେ ଅଭିନେତା ସୁନୀଲ ସେଟ୍ଟୀ ଏକ କାର୍ଯ୍ୟକ୍ରମରେ ଆର୍ୟନଙ୍କୁ ଛୋଟପିଲା ଏବଂ ବର୍ତ୍ତମାନଠୁ କାହାକୁ ଦୋଷୀ କହିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି ।

ତେବେ ଘଟଣା ସମ୍ପର୍କରେ ଶାହାରୁଖ ଏଯାଏଁ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଅପକମିଂ ମୁଭି ପଠାନ୍‌ର ସୁଟିଂକୁ ଅଧାରୁ ଛାଡ଼ି ସେ ସ୍ପେନରୁ ଭାରତ ଫେରୁଥିବା ସୂଚନା ମିଳିଛି । ଏପରିକି ଏନସିବିର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ସେ ଯୋଗାଯୋଗରେ ଥିବା କୁହାଯାଉଛି ।