• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇତିହାସ ରଚିଲା RRR । ଦେଶୀ ଡ୍ୟାନ୍ସ, ଦେଶୀ ଭାଷାକୁ ମିଳିଲା ସିନେମାର ସବୋର୍ଚ୍ଚ ସମ୍ମାନ । ଗତବର୍ଷର ସବୁଠୁ ଚର୍ଚ୍ଚିତ ଗୀତ ‘ନାଟୁ ନାଟୁ’କୁ ମିଳିଛି ଓସ୍କାର । ଶ୍ରେଷ୍ଠ ଅରିଜିନାଲ୍ ଗୀତ ଭାବେ ‘ନାଟୁ ନାଟୁ’ ଏହି ସମ୍ମାନ ପାଇଛି । RRRର ସ୍ରଷ୍ଟା ନିର୍ଦ୍ଦେଶକ ରାଜାମୌଲି, ସଙ୍ଗୀତ ନିର୍ଦ୍ଦେଶକ କିରାବାଣୀ, ଲେଖକ ଚନ୍ଦ୍ର ବୋଷଙ୍କ ସମେତ ପୂରା ଟିମ୍ । ଇଂରାଜୀ ସମେତ ବିଶ୍ୱର ଅନେକ ଭାଷାର ଗୀତକୁ ପଛରେ ପକାଇଛି ତେଲୁଗୁ ଗୀତ ନାଟୁ ନାଟୁ । ପ୍ରଥମ ଥର ପାଇଁ କୌଣସି ଭାରତୀୟ ସିନେମାକୁ ମିଳିଛି ଓସ୍କାର ।

ଏହି ଅବସରରେ ଓସ୍କାର ଷ୍ଟେଜରେ ବି ପ୍ରଦର୍ଶିତ ହୋଇଥିଲା ଏହି ଚର୍ଚ୍ଚିତ ଗୀତ ଓ ଡ୍ୟାନ୍ସ । ଖୋଦ୍ ନାଟୁ ନାଟୁର ଦୁଇ ଗାୟକ ଏସ ରାହୁଲ ଓ କାଳ ଭୈରବ ଗୀତ ଗାଇଥିଲେ । ଆଉ ଝୁମିଥିଲେ ତଳେ ବସିଥିବା ଅତିଥି ।

୨୦୨୨ ର ସବୁଠୁ ବଡ଼ ବକ୍ସ ଅଫିସ୍ ହିଟ୍ ଫିଲ୍ମ ଥିଲା RRR । ବାହୁବଳୀ ସିରିଜ୍ ବିଶ୍ୱବ୍ୟାପୀ ସଫଳ ହେବା ପରେ ରାଜା ମୌଲିଙ୍କ ଏହି ଫିଲ୍ମ ୧୨ ଶହ କୋଟିରୁ ଅଧିକ ବ୍ୟବସାୟ କରିଥିଲା । ତେଲୁଗୁ ସମେତ ୫ଟି ଭାଷାରେ ରିଲିଜ୍ ହୋଇ RRR ବନି ଯାଇଥିଲା ପାନ ଇଣ୍ଡିଆ ଫିଲ୍ମ । ଆଉ ଏହାପରେ ମାନି ନଥିଲା କୌଣସି ସୀମା ସରହଦ୍ । ତେବେ ଓସ୍କାର ରେସ୍‌ରେ ସାମିଲ ହେବା ବି ବଡ଼ ଚ୍ୟାଲେଞ୍ଜ ଭରା ଥିଲା । ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଭଳି ଦେଶରେ
ଏହାକୁ ବାରମ୍ବାର ରିଲିଜ୍ କରିଥିଲେ ଖୋଦ୍ ରାଜମୌଲି । ଏମିତିକି ମାସ ମାସ ଧରି ଆମେରିକାର ଅନେକ ପ୍ରେକ୍ଷାଳୟରେ ସିନେମାକୁ ପ୍ରଦର୍ଶନ କରାଯାଇଥିଲା ।

ଓସ୍କାର ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦି RRR ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଲମ୍ବା ସମୟ ଧରି ଏହା ଦେଶବାସୀଙ୍କ ମନେ ରହିବ ବୋଲି ଟ୍ୱିଟ୍ କରି ଲେଖିଛନ୍ତି ମୋଦି । ସେହିପରି ରୀଜନୀତିରୁ ସିନେ ଜଗତ ଯାଏଁ ସବୁ ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ନାଟୁ ନାଟୁ ଥିଲା ନିର୍ଦ୍ଦେଶକ ରାଜମୌଲିଙ୍କ ପରିକଳ୍ପନା । ପରଦାରେ ଜୁନିୟର ଏନ.ଟି.ଆର ଓ ରାମ ଚରଣଙ୍କୁ ଏକାଠି ନଚାଇବାକୁ ନିଷ୍ପତ୍ତି ନେଇ ଗୀତ ପ୍ରସ୍ତୁତ
କରିବାକୁ ସଙ୍ଗୀତ ନିର୍ଦ୍ଦେଶକ ଏମ ଏମ କିରାବାଣୀଙ୍କୁ କହିଥିଲେ ରାଜମୌଲି । ତେବେ ଗୀତିକାର ଚନ୍ଦ୍ରବୋସଙ୍କୁ ଏକ ନାଟକୀୟ ଢଙ୍ଗରେ ମିଳିଥିଲା ଏହି ଗୀତର ହୁକ୍ ଲାଇନ୍ । କାରରେ ଅଫିସ୍ ଆସୁଥିବା ବେଳେ ମନକୁ ଆସିଥିଲା ‘ନାଟୁ’ ଶବ୍ଦ ଅର୍ଥାତ ନାଚ । ୧୫ ମାସର ପ୍ରୟାସ ପରେ ଗୀତ ପ୍ରସ୍ତୁତ ହେଲା । ସୁଟିଂ ପାଇଁ ୟୁକ୍ରେନର ରାଜଧାନୀ କିଭରେ ଥିବା ରାଷ୍ଟ୍ରପତିଙ୍କ ଆବାସ ମାରିସ୍କି ପ୍ୟାଲେସକୁ ବଛା ଯାଇଥିଲା । କୋରିଓଗ୍ରାଫର ପ୍ରେମ ରକ୍ଷିତ୍‌ଙ୍କ ୯୫ଟି ଡ୍ୟାନ୍ସ ଷ୍ଟେପରେ ନାଚିଥିଲେ ତେଲେଗୁ ଇଣ୍ଡଷ୍ଟ୍ରିର ଦୁଇ ବଡ଼ ସୁପରଷ୍ଟାର୍ । ଏହାପୂର୍ବରୁ ନାଟୁକୁ ମିଳିଛି ଗୋଲଡେନ୍ ଗ୍ଲୋବ୍ ଆୱାର୍ଡ । ଆଉ ତା’ପରେ ଯାହା ଘଟିଲା, ତାହା ଏବେ ଇତିହାସ ।