ସତ୍ୟକୁ କେହି ରୋକି ପାରିବେ ନାହିଁ । ଦି ବେଙ୍ଗଲ ଫାଇଲ୍ସ ଫିଲ୍ମକୁ ନେଇ ପଶ୍ଚିମବଙ୍ଗରେ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଏକାଧିକ ମାମଲା ରୁଜ୍ଜୁ ହେବା ପରେ ଏଭଳି କହିଛନ୍ତି ନିଜେ ଫିଲ୍ମ ନିର୍ମାତା ଅଗ୍ନିହୋତ୍ରୀ । ଫିଲ୍ମ ବିରୋଧରେ ପଶ୍ଚିମବଙ୍ଗର ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି ।
ପଶ୍ଚିମବଙ୍ଗର ଶାସକ ଦଳ TMC ପକ୍ଷରୁ ମାମଲା ଦାୟର କରାଯାଇ ଫିଲ୍ମକୁ ବିରୋଧ କରାଯିବା ସହ ସତ୍ୟକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଫିଲ୍ମ ମେକର ଅଗ୍ନିହୋତ୍ରୀ । ତେବେ ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ଭରସା ଅଛି । କଲିକତା ହାଇକୋର୍ଟ FIR ଉପରେ ଶୁଣାଣି କରି ରୋକ ଲଗାଇଥିବା ବେଳେ ଆହୁରି ବିଭିନ୍ନ ଥାନାରେ ମାମଲା ରୁଜ୍ଜୁ କରାଯାଉଥିବା ସେ ସୂଚନା ଦେଇଛନ୍ତି ।
Also Read
ବେଙ୍ଗଲ ଫାଇଲ୍ସ ଫିଲ୍ମ ସୁଟିଂ ପାଇଁ ତାଙ୍କୁ ପଶ୍ଚିମବଙ୍ଗରେ ଅନୁମତି ମିଳିନଥିଲା । ତେଣୁ ଫିଲ୍ମକୁ ମୁମ୍ବାଇରେ ସୁଟିଂ କରାଯାଇଛି । ଆମେରିକାରେ ଫିଲ୍ମର ପ୍ରଚାର ପ୍ରସାର କରିବା ଅବସରରେ ସେ ଏଭଳି ଅଭିଯୋଗ ଆଣିଛନ୍ତି । ପଶ୍ଚିମବଙ୍ଗରେ ହିନ୍ଦୁ ଗଣହତ୍ୟାକୁ ନେଇ ଦି ବେଙ୍ଗଲ ଫାଇଲ୍ସ ଫିଲ୍ମ ନିର୍ମାଣ କରିଛନ୍ତି ବଲିଉଡ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ।
ତେବେ ଏହି ଫିଲ୍ମ ରିଲିଜ ହେବ ଓ ପଶ୍ଚିମବଙ୍ଗରେ ଏହାର ଟ୍ରେଲର ରିଲିଜ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବେଙ୍ଗଲ ଫାଇଲ୍ସ ଫିଲ୍ମ ସ୍କ୍ରିପ୍ଟ ଲେଖିଛନ୍ତି ନିଜେ ବିବେକ ଅଗ୍ନିହୋତ୍ରୀ । ଏହାର ପ୍ରଯୋଜକ ହେଉଛନ୍ତି ଅଭିଷେକ ଅଗ୍ରୱାଲ ଓ ପଲ୍ଲବୀ ଯୋଶୀ ।
ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଯୋଶୀ, ଅନୁପମ ଖେର, ଦର୍ଶନ କୁମାର ପ୍ରମୁଖ । ଆସନ୍ତା ସେପ୍ଟେମ୍ବର ୫ ଫିଲ୍ମ ରିଲିଜ ପାଇଁ ତାରିଖରେ ଧାର୍ଯ୍ୟ ହୋଇଛି । ବିବେକ ଅଗ୍ନିହୋତ୍ରୀଙ୍କ ଅଭିଯୋଗ ନେଇ ପଶ୍ଚିମବଙ୍ଗ ସରକାର କିମ୍ବା ଟିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।